ଛତିଶଗଡ଼ ଘଟଣା ପରେ ଚିନ୍ତା ବଢ଼ିଲା, ସୁରକ୍ଷା ବଳୟରେ ମାଓପ୍ରବଣ ଅଞ୍ଚଳର ବୁଥ୍‌

ଅନୁଗୁଳ : ଛତିଶଗଡ଼ ଘଟଣା ପରେ ଅନୁଗୁଳର ମାଓପ୍ରବଣ ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହିତ ନିର୍ବାଚନ ଶେଷ ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଗତକାଲି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟାଇ ନକ୍ସଲ ଜଣେ ବିଧାୟକଙ୍କ ସମେତ ୫ ଜଣ ଯବାନଙ୍କୁ ହତ୍ୟା କରିଥିଲା। ଓଡ଼ିଶାରେ ମଧ୍ୟ ନକ୍ସଲ ଅନୁରୂପ ଘଟଣା ଘଟାଇବାର ଆଶଙ୍କା ରହିଥିବା ଗୋଇନ୍ଦା ସତର୍କ କରାଇଥିଲା। ଏହାକୁ ଦୃଷ୍ଟିରେ ରଖି ଅନୁଗୁଳ ପୁଲିସ୍‌ ଅଧିକ ସଜାଗ ହୋଇଥିବା ଜଣାପଡ଼ିଛି।

ଅନୁଗୁଳ ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ରରେ ୧୧୬୩ ମତଦାନ କେନ୍ଦ୍ର(ବୁଥ୍‌) ରହିଥିବା ବେଳେ ଏଥିରୁ ୧୧୮ଟି ଜଟିଳ(କ୍ରିଟିକାଲ) ବୁ୍ଥ ରହିଥିବା ପ୍ରଶାସନ ଚିହ୍ନଟ କରାଯାଇଛି। ‌ଏହି ୧୧୮ଟି ମଧ୍ୟରୁ ୫୬ଟିରେ ମାଓବାଦୀଙ୍କ ପ୍ରଭାବ ରହିଛି। ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ସୀମାନ୍ତରେ ଏଥିରୁ ଅଧିକାଂଶ ବୁଥ୍‌ ରହିଛି। ପାଳଲହଡ଼ା ବିଧାନସଭା କ୍ଷେତ୍ର ୨୩୯ ବୁଥ୍‌ ରହିଥିବା ବେଳେ ଏଥିରୁ ୨୪ଟି ବୁଥ୍‌କୁ ପ୍ରଶାସନ ଜଟିଳ ବୋଲି ଚିହ୍ନଟ କରାଯାଇଥିବା ବେଳେ ଏଥିରୁ ୧୭ଟିରେ ମାଓବାଦୀଙ୍କ ପ୍ରଭାବ ରହିଛି। ବାରଡିହି, ସାଲେଇ,ରଡ଼ା, ଷଣ୍ଢର, ଶିବିଡ଼ଶ, କଇରା, ତନୁଗୁଳା, ଖଡ଼କା, ନଗିରା, ପଟ୍ଟାମୁଣ୍ଡ, ଗଣେଶ୍ବରପୁର, ଭିମକାଣ୍ଡ, ଜୋଲଣ୍ଡା, ରୁଗୁଡ଼ିଡ଼ିହି, ଦୁଇ ପାଣି, ଉଦୟପୁର ଆଦି ବୁଥ୍‌ ଅଂଚଳରେ ମାଓବାଦୀଙ୍କ ପ୍ରଭାବ ଥିବାରୁ ନିର୍ବାଚନ ବେଳେ ହିଂସାକାଣ୍ଡ ଘଟାଇବା ଆଶଙ୍କା କରାଯାଉଛି। ସେହିପରି ଖମାର ଥାନା ଅଂଚଳର ଶଙ୍ଖମୁର, ସମଲ ଥାନା ଅଂଚଳର ଶରଧାପୁର ଓ ବୀରୁ-୧, ରେଂଗାଲି ଥାନା ଅଂଚଳର ସୁଲେଇପାଲ ଓ ବଜ୍ରକୋଟ-୧, କଣିହାଁ ଥାନା ଅଂଚଳର ନାଲମ ୧ ଓ ୨ ଏବଂ ଡେରେଂଗ-୨ ବୁଥକୁ ସମ୍ବେଦନଶୀଳ ରହିଥିବା ଦର୍ଶାଯାଇଛି। ତେବେ ଆଠମଲ୍ଲିକ ବିଧାନସଭା ‌କ୍ଷେତ୍ରରେ ମାଓବାଦୀଙ୍କ ଅଧିକ ପ୍ରଭାବ ରହିଛି। ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ୨୫୦ଟି ବୁଥ୍‌ ମଧ୍ୟରୁ ୩୬ଟି ଜଟିଳ ଥିବା ବେଳେ ସେଥିରୁ ୩୧ଟି ମାଓବାଦୀ ପ୍ରଭାବିତ। ସେହିପରି ଅନୁଗୁଳ ବିଧାନସଭା କ୍ଷେତ୍ରରେ ୨୪୬ଟି ବୁଥ୍‌ ମଧ୍ୟରୁ ୧୯ଟି ଜଟିଳ ଥିବା ବେଳେ ସେଥିରୁ ୫ଟିରେ ନିର୍ବାଚନ ‌ବେଳେ ମାଓବାଦୀମାନେ ହିଂସାକାଣ୍ଡ ଘଟାଇବାର ଆଶଙ୍କା ରହିଛି। ଛେଣ୍ଡିପଦା ବିଧାନସଭା କ୍ଷେତ୍ରରେ ୨୨୭ଟି ବୁଥ୍‌ ମଧ୍ୟରୁ ୧୯ଟି ଜଟିଳ ବୁଥ୍‌ ରହିଛି। ସେଥିରୁ ୨ଟି ବୁଥ୍‌ ମାଓବାଦୀ ପ୍ରଭାବିତ ଅଂଚଳରେ ଥିବା ଚିହ୍ନଟ କରାଯାଇଛି।

ଅନୁଗୁଳ ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ଅନୁଗୁଳ ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ, ନିର୍ବାଚନ ବେଳେ ମାଓବାଦୀମାନେ ଯେଭଳି କୌଣସି ଅଘଟଣ ଘଟାଇନପାରିବେ ସେଥିପାଇଁ ଆବଶ୍ୟକ ପ୍ରସ୍ତୁତି ସରିଛି। ନିର୍ବାଚନ ବେଳେ ମାଓବାଦୀ ହିଂସାକାଣ୍ଡ ରୋକିବା ପାଇଁ ପୁଲିସ-ପ୍ରଶାସନ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସିଆର୍‌ପିଏଫ୍‌, ଡିଭିଏଫ୍‌ ସହିତ ସଶସ୍ତ୍ର ପୁଲିସ ବାହିନୀଙ୍କୁ ନିୟୋଜିତ କରାଯିବ। ସାଦା ପୋଷାକରେ ବାଇକରେ ବି ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କରାଯିବ ବୋଲି ଏସ୍‌ପି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର