ଭୁବନେଶ୍ବର: ରାଜ୍ୟରେ ନିର୍ବାଚନ ଶେଷ ପର୍ଯ୍ୟାୟରେ ପହଞ୍ଚିବା ଭିତରେ କିଛି ସ୍ଥାନରେ ଛୋଟ ବଡ଼ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଆସନ୍ତାକାଲି, ଅର୍ଥାତ୍‌ ଜୁନ୍‌ ୧ ତାରିଖରେ ରାଜ୍ୟର ୯ଟି ଜିଲ୍ଲାର ୬ ସଂସଦୀୟ କ୍ଷେତ୍ର ଓ ୪୨ ବିଧାନସଭା ଆସନରେ ମତଦାନ ହେବ। ଉପକୂଳରେ ଥିବା ଏହି ଜିଲ୍ଲାଗୁଡ଼ିକ ଯଦିଓ ନକ୍ସଲ ପ୍ରଭାବିତ ଅଞ୍ଚଳ ନୁହେଁ, ତେବେ ରାଜନୈତିକ ଉତ୍ତେଜନାପ୍ରବଣ ତଥା ସମ୍ବେଦନଶୀଳ। ବିଶେଷ କରି ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର ଆଦି ଜିଲ୍ଲା ଏ ମାମଲାରେ ଆଗରେ ରହିଛି। ଏଠାରେ ପ୍ରଚାର ସମୟରେ ମଧ୍ୟ ରାଜନୈତିକ ହିଂସା ଘଟି ସାରିଛି। ସେହି ଦୃଷ୍ଟିରୁ ମତଦାନ ପୂର୍ବରୁ ଓ ମତଦାନ ସମୟରେ ଆଇନଶୃଙ୍ଖଳା ସ୍ଥିତିକୁ ନିୟନ୍ତ୍ରଣ କରିବାଲାଗି ରାଜ୍ୟ ପୁଲିସ ଅଣ୍ଟା ଭିଡ଼ିଛି। ଆଜି ପୁଲିସ ସେବାଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ମହାନିର୍ଦେଶକ ଅରୁଣ ଷଡ଼ଙ୍ଗୀ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପୁଲିସ ପକ୍ଷରୁ ହୋଇଥିବା ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।

Advertisment

୨,୨୮୫ ସମ୍ବେଦନଶୀଳ ବୁଥ୍‌
ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ବାଲେଶ୍ବର ଉପରେ ବିଶେଷ ନଜର
ଦାୟିତ୍ବରେ ୩୬ ହଜାର ପୁଲିସ
ସିସିଟିଭି ନଜରରେ ସୀମାନ୍ତ ଅଞ୍ଚଳ
ରାଜ୍ୟ ଓ ଜିଲ୍ଲା ସୀମାନ୍ତରେ କଡ଼ାକଡ଼ି ଯାଞ୍ଚ

ଏହି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ୧୦,୮୮୨ଟି ବୁଥ୍‌ରୁ ୨୧%, ଅର୍ଥାତ୍‌ ୨,୨୮୫ଟି ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଛି। ସେଠାରେ ମତଦାନ ସମୟରେ ହିଂସା ଆଶଙ୍କା କରାଯାଉଛି। ସେହି ସ୍ଥାନଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଧ୍ୟାନ ଦିଆଯାଇଛି। ଏହି ପର୍ଯ୍ୟାୟର ମତଦାନକୁ ଶୃଙ୍ଖଳିତ ଓ ନିରପେକ୍ଷ କରିବାଲାଗି ମୋଟ୍‌ ୩୬ହଜାର ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ସେଥି‌ରେ ଅଛନ୍ତି ୧୨୬ ପ୍ଲାଟୁନ୍‌ ସିଏପିଏଫ୍‌ ଓ ୮୬ ପ୍ଲାଟୁନ୍‌ ଓଏପି। ୪ଜଣ ଯୁବ ଆଇପିଏସ୍‌ ଅଧିକାରୀ, ୪୪ ଜଣ ଅତିରିକ୍ତ ଏସ୍‌ପି, ୯୯ଜଣ ଡିଏସ୍‌ପି, ୨୧୦ଜଣ ଆଇଆଇସି, ୨,୫୮୩ ଏସ୍‌ଆଇ ଓ ଏଏସ୍‌ଆଇ, ୯,୪୭୬ କନେଷ୍ଟବଳ ଓ ହାବିଲଦାରଙ୍କୁ ନିୟୋଜିତ କରାଯାଇଛି। ସେହିପରି ୮୪୩ଟି ମୋବାଇଲ ପାଟ୍ରୋଲିଂ ଟିମ୍‌ ମଧ୍ୟ ସାମିଲ ହୋଇଛନ୍ତି। ଏହାଛଡ଼ା ରାଜ୍ୟ ଓ ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଚେକିଂ ଓ ବ୍ଲକିଂକୁ କଡ଼ାକଡ଼ି କରାଯାଇଛି। ୨୧ଟି ଅନ୍ତଃରାଜ୍ୟ ସୀମାନ୍ତ ଅଞ୍ଚଳରେ ଚେକିଂକୁ କଡ଼ାକଡ଼ି କରାଯିବା ସହ ସେଠାରେ ସିସିଟିଭି ମଧ୍ୟ ଖଞ୍ଜାଯାଇଛି। ୬୦ଟି ଜିଲ୍ଲା ସୀମାନ୍ତରେ ଚେକିଂ ବ୍ଲକିଂ କରାଯାଉଛି। ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ମୁତାବକ ୨୫୫ଟି ଫ୍ଲାଇଂ ସ୍କ୍ୱାର୍ଡ, ୨୫୫ଟି ଷ୍ଟାଟିକ୍‌ ସର୍ଭେଲାନ୍ସ ଟିମ୍‌ କାମ କରୁଛନ୍ତି।

ଜିପିଏସ୍‌ ଜରିଆରେ କଣ୍ଟ୍ରୋଲ ରୁମ୍‌ରୁ ପୂରା ସ୍ଥିତି ଉପରେ ନଜର ରଖାଯାଇଛି। ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ପାଇଁ ଜଣେ ଅତିରିକ୍ତ ଏସ୍‌ପିଙ୍କୁ ଦାୟିତ୍ୱ ଦିଆଯାଇଛି। ସମ୍ବେଦନଶୀଳ ସ୍ଥାନରେ କୁଇକ୍‌ ଆକ୍ସନ୍‌ ଓ ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରାଯାଇଛି। ୯ଟି ଜିଲ୍ଲାରେ ୧୩ଟି ଇଭିଏମ୍‌ ଷ୍ଟ୍ରଙ୍ଗ୍‌ରୁମ୍‌ ସ୍ଥାପନ କରାଯାଇଥିବା ବେଳେ ସେଠାରେ ମଧ୍ୟ ସିଏପିଏଫ୍‌ ଓ ଏସ୍‌ଏପି ଯବାନଙ୍କୁ ମୁତୟନ କରାଯାଇଛି। ସେହିପରି ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ପୁଲିସ ସହ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା କରାଯାଇଛି। ଉକ୍ତ ଦୁଇ ରାଜ୍ୟ ପକ୍ଷରୁ ମଧ୍ୟ ୧୯ଟି ସ୍ଥାନରେ ଚେକିଂ ଓ ବ୍ଲକିଂ କରାଯାଉଛି। ଜଣେ ଏଡିଜିପି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ଏଥିପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି। ଆଜିର ଏହି ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ନିର୍ଦ୍ଦେଶକ (ଏସ୍‌ସିଆର୍‌ବି) ବିନୟତୋଷ ମିଶ୍ର, ଏଡିଜି (ଆଇନଶୃଙ୍ଖଳା) ସଞ୍ଜୟ କୁମାର, ଏଡିଜି (ଅପରେସନ୍‌) ଏସ୍‌ ଦେବଦତ୍ତ ସିଂହ, ଆଇଜି (ଟ୍ରେନିଂ) ଏସ୍‌ ସାଇନି, ଆଇଜି (କ୍ରାଇମ୍‌ବ୍ରାଞ୍ଚ) ସେଫିନ୍‌ ଅହମ୍ମଦ ଓ ଏସ୍‌ପି (ମୁଖ୍ୟାଳୟ) ବି ଗଙ୍ଗାଧର ଉପସ୍ଥିତ ଥିଲେ।