ଅନୁଗୁଳ : ସାତକୋଶିଆ ଅଭୟାରଣ୍ୟରେ ଜଘନ୍ୟ ବନ୍ୟପ୍ରାଣୀ ଅପରାଧ। ସାତକୋଶିଆ ଇତିହାସରେ ଯାହା କେବେ ଘଟି ନଥିଲା, ତାହା ହିଁ ହେଲା। ୧୫/୨୦ବର୍ଷ ବୟସ ଦନ୍ତାହାତୀକୁ ପୋତି ଦିଆଗଲା। ମୂଲ୍ୟବାନ ଦାନ୍ତକୁ ଗାଏବ କରି ଦିଆଗଲା। ୨୦୨୧ମସିହା ମେ ୬ତାରିଖ ଦିନ ହିଁ ଶୂନଶାନ୍ ଜଙ୍ଗଲରେ ଏ ପ୍ରକାର ଅପରାଧ କରାଗଲା। ବନ ବିଭାଗ ତଦନ୍ତରୁ ଏ ଘଟଣାର ପର୍ଦ୍ଦାଫାସ ହୋଇଥିବାବେଳେ ଏବେ ଚୂନଭାଟି ଅଞ୍ଚଳରୁ ବାଘୁଣୀ ଗାଏବ ଘଟଣାକୁ ନେଇ ସମାନ ପ୍ରଶ୍ନ ଉଙ୍କିମାରୁଛି। ବୁଢ଼ୀ ବାଘୁଣୀ ଶେଷଥର ପାଇଁ ସାତକୋଶିଆ ଅଭୟାରଣ୍ୟର ଜିଲିଣ୍ଡା ରେଞ୍ଜ୍‌ ସୀମା ଏହି ଚୂନଭାଟି ଇଲାକାରେ ଦେଖିବାକୁ ମିଳିଥିଲା। ତା’ ପରଠାରୁ ବାଘୁଣୀର ପତ୍ତା ମିଳୁନାହିଁ। ବୁଢ଼ୀ ହାତୀକୁ ଯେମିତି ମାରି ମାଟିରେ ପୋତି ଦେଇଥିଲେ, ବାଘୁଣୀକୁ ସେମିତି କରି ନାହାନ୍ତି ତ?

Advertisment

publive-image

ସୂଚନା ମୁତାବକ, ବୁଢ଼ୀ ବାଘୁଣୀ ଥିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଶେଷ ସନ୍ତକ। ସାତକୋଶିଆରେ ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ଫେଲ୍ ମାରିଲା ପରେ ବି ସାତକୋଶିଆର ଏହି ଗୋଟିଏ ମହାବଳ ମୁଣ୍ଡ ବ୍ୟାଘ୍ର ପ୍ରକଳ୍ପର ନାଁକୁ ଉଜ୍ଜୀବିତ କରିଥିଲା। ବାଘୁଣୀ ଯଦି ବୟସାଧିକ ହୋଇଥିଲା, ତଥାପି ସେ ଚଳଚଞ୍ଚଳ ଥିଲା। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବାଘୁଣୀ ଠିକଣା ସମୟରେ ଶିକାର କରୁଥିଲା। ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଚଲାବୁଲା ବି କରୁଥିଲା। ଜଙ୍ଗଲରେ ବାଘୁଣୀ କେମିତି ଅଛି, କ୍ୟାମେରା ଟ୍ରାପ୍‌ ହିଁ ତାହା ସୂଚାଇ ଦେଉଥିଲା। ଏ ମହାବଳ ବାଘୁଣୀକୁ ଯଦିଓ କେହି ସ୍ବଚକ୍ଷୁରେ ଦେଖି ନ ଥିଲେ, ତଥାପି ଜଙ୍ଗଲରେ ଖଞ୍ଜା ଯାଇଥିବା ସିସିଟିଭି ଫୁଟେଜରୁ ତାର ଭଲ ମନ୍ଦର ସମୀକ୍ଷା କରାଯାଉଥିଲା। ମଧ୍ୟପ୍ରଦେଶରୁ ବାଘୁଣୀ ‘ସୁନ୍ଦରୀ’ ଆସି ଏନକ୍ଲୋଜରରେ ବନ୍ଦୀ ହୋଇ ରହିଲାପରେ ସେହି ଏନକ୍ଲୋଜର ପାଖେପାଖେ ସେ ଘୂରି ବୁଲୁଥିଲା। ଗର୍ଜନ ବି ଛାଡ଼ୁଥିଲା।

publive-image Smithsonian Magazine

ଗଲାବର୍ଷ ମାର୍ଚ୍ଚ ମାସରେ ସୁନ୍ଦରୀର ମଧ୍ୟପ୍ରଦେଶକୁ ଘର ବାହୁଡ଼ା ହେଲାପରେ ବୁଢ଼ୀ ମହାବଳ ବାଘୁଣୀ ଅନ୍ୟତ୍ର ବୁଲିଥିଲା। ଚୂନଭାଟି ଇଲାକାରେ ତାର କ୍ୟାମେରା ଫୁଟେଜ୍‌ ମିଳିଥିଲା। ତା’ ପରଠାରୁ ବାଘୁଣୀର ପତ୍ତା ମିଳୁନାହିଁ। ବାଘୁଣୀ ମୃତ ବୋଲି ଯଦିଓ ସାତକୋଶିଆ କର୍ତୃପକ୍ଷ ସ୍ପଷ୍ଟ କରୁ ନାହାନ୍ତି, ଜୀବିତ ବି ଦେଖାଇ ପାରୁ ନାହାନ୍ତି। ସବୁବେଳେ ସାତକୋଶିଆ ଭିତରେ ଚଳପ୍ରଚଳ ହେଉଥିବା ମହାବଳଟି ଗଲା କୁଆଡ଼େ? ଚୂନଭାଟି ପରଠାରୁ ତାର ପତ୍ତା କାହିଁକି ମିଳୁନାହିଁ? ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଗତ ୨୩ତାରିଖ ରାତିରେ ଜିଲିଣ୍ଡା ବନାଞ୍ଚଳରୁ ଏକ ଦନ୍ତା ହାତୀର କଙ୍କାଳ ମାଟି ତଳୁ ଉଦ୍ଧାର ଘଟଣାର ଏ ସନ୍ଦେହକୁ ଆହୁରି ବଳ ଯୋଗାଇଛି। ଜଙ୍ଗଲ ଭିତରେ ଦନ୍ତା ହାତୀକୁ ଯେମିତି ପୋତି ଦିଆଗଲା, ମହାବଳକୁ ସେମିତି ପୋତି ଦିଆଯାଇ ନାହିଁ ତ? ସେନେଇ ସନ୍ଦେହ ଦୃଢ଼ ହେବାରେ ଲାଗିଛି। ଗଲା ନଭେମ୍ବର ମାସରୁ ଉଭାନ ଥିବା ମହାବଳର ଠିକଣା ଜାଣିବାକୁ ହେଲେ ଫେରାର୍‌ ଥିବା ଜିଲିଣ୍ଡା ରେଞ୍ଜରଙ୍କୁ ଗିରଫ କରି ଜେରା କରିବାର ଆବଶ୍ୟକତା ରହିଛି। ସ୍ବତନ୍ତ୍ର ଟିମ୍‌ ଜରିଆରେ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବି ଉଠିଛି।