ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନାଲି ରଙ୍ଗର ବାଘୁଣୀ ପ୍ରିୟଙ୍କା ମୃତ

୫ ବର୍ଷରେ ୧୦ ଜନ୍ମ, ୬ ମୃତ

ବାରଙ୍ଗ : ବାର୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଗତ କିଛି ମାସ ହେଲା ସଂଘର୍ଷ କରୁଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନାଲି ରଙ୍ଗର ବାଘୁଣୀ ପ୍ରିୟଙ୍କା(୧୯) ଆଜି ଜୀବନ ଯୁଦ୍ଧ‌‌‌‌‌ରେ ହାରି ଯାଇଛି। କ୍ବାରେନ୍‌ଟାଇନ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳେ ତା’ର ମୃତ୍ୟୁ ହୋଇଛି। ସାଧାରଣ ନାଲି ରଙ୍ଗର ବାଘ ଅଶୋକ ଓ ବାଘୁଣୀ ତନୁଜା ମିଳନରୁ ଗତ ୨୦୦୦ ମସିହା ମାର୍ଚ୍ଚ ମାସ ୨୫ ତାରିଖରେ ପ୍ରିୟଙ୍କା ଜନ୍ମଲାଭ କରିଥିଲା। ତାକୁ ବୟସ ୧୯ ବର୍ଷ ୫ ମାସ ହୋଇଥିଲା। ଭୁବନେଶ୍ବରସ୍ଥିତ ଓଡ଼ିଶା ପ୍ରାଣୀ ବୈଷୟିକ ତାଲିମ୍‌ କେନ୍ଦ୍ର ନିଦାନ ବିଭାଗର ମୁଖ୍ୟ ପ୍ରଫେସର୍‌ ଡା. ସୁଶେଣ ପଣ୍ଡା ତା’ର ଶବ ବ୍ୟବଚ୍ଛେଦ କରିଛନ୍ତି। ବାର୍ଧକ୍ୟ ଯୋଗୁଁ ପୁସ୍‌ଫୁସ୍‌ ଦୁର୍ବଳ ହୋଇଯିବାରୁ ତା’ର ମୃତ୍ୟୁ ହୋଇଥିବା ଜଣାପଡିଛି।

କିଛି ମାସ ତଳେ ପ୍ରିୟଙ୍କାର ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖା‌ଦେବା ଆରମ୍ଭ ହୋଇଥିଲା। ଶରୀର ଶୁଷ୍କ ହୋଇଯିବା ସହ ଅଧିକାଂଶ ଦାନ୍ତ ଝଡ଼ି ଯାଇଥିଲା। ଏଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ତାକୁ ପ୍ରାଣୀ ଉଦ୍ୟାନର କ୍ବାରେନ୍‌ଟାଇନ୍‌‌ରେ ରଖି ଚିକିତ୍ସା ଚଳାଇଥିଲେ। ପାଚନ କ୍ରିୟା ଠିକ୍‌ ରହୁନଥିବାରୁ ଖାଦ୍ୟ ହଜମ ମଧ୍ୟ ଠିକ୍ ହେଉ ନଥିଲା। ତେଣୁ ଦୈନିକ ତାକୁ ଏନ୍‌ଜାଇମ୍‌, ଭିଟାମିନ୍‌, ମିନେରାଲ ଓ ରୋଗ ପ୍ରତିଷେଧକ ଦେଇ ଚିକିତ୍ସା କରାଯାଉଥିଲା। ଖାଦ୍ୟ ଠିକ୍‌ ଭାବେ ଖାଇ ପାରୁନଥିବାରୁ ଚିକେନ୍‌ କିମା ଦିଆଯାଉଥିଲା। ତେବେ ଦୁଇଦିନ ହେବ ସେ ଧୀରେଧୀରେ ଆହାର ଛାଡ଼ିବାରୁ ଅବସ୍ଥା ସଂକଟାପନ୍ନ ହୋଇଥିଲା। ଶେଷରେ ଆଜି ତା’ର ମୃତ୍ୟୁ ଘଟିଥିଲା।

ପ୍ରିୟଙ୍କାର ମୃତ୍ୟୁ ପରେ ନନ୍ଦନକାନନରେ ବର୍ତ୍ତମାନ ମୋଟ ୨୬ଟି ବାଘ ଅଛନ୍ତି। ଏମାନଙ୍କ ମଧ୍ୟରେ ୧୩ଟି ସାଧାରଣ ନାଲି ରଙ୍ଗର ମଧ୍ୟରେ ୮ଟି ମାଈ, ୫ଟି ପୁରୁଷ, ଧଳା ରଙ୍ଗର ୯ଟି ମଧ୍ୟରେ ୫ଟି ମାଈ, ୪ଟି ପୁରୁଷ ଓ ୪ଟି ବିରଳ କଳା ମଧ୍ୟରେ ୨ଟି ପୁରୁଷ ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ୨ଟି ଛୁଆ ଅଛନ୍ତି। ଅପରପକ୍ଷେ ନନ୍ଦନକାନନରେ ବାଘ ଜନ୍ମ ମୃତ୍ୟୁ ଧାରାବାହିକ ଭାବେ ଚାଲିଥିଲେ ହେଁ ଗତ ୫ ବର୍ଷରେ ମୃତ୍ୟୁ ତୁଳନା‌‌‌ରେ ଜନ୍ମ ଅଧିକ। ଏହି ସମୟରେ ମୋଟ ୧୦ଟି ବାଘ ଜନ୍ମ ହୋଇଥିବା ବେଳେ ୬ଟି ବାଘ ମରିଛନ୍ତି।

ସମ୍ବନ୍ଧିତ ଖବର