ମୋଟୀ ହୋଇଗଲାଣି ‘ସୁନ୍ଦରୀ’, ଟ୍ରାଙ୍କୁଲାଇଜ୍‌ କରି ବେକରୁ ଖୋଲାଗଲା ‌ରେଡିଓ କୋଲାର୍‌

ଅନୁଗୁଳ/ବନ୍ତଳା : ସାତକୋଶିଆ ଜଙ୍ଗଲରେ ବନ୍ଦୀ ଜୀବନ କାଟୁଥିବା ବାଘୁଣୀ ସୁନ୍ଦରୀ ହୋଇଛି ମୋଟୀ। ତାର ମୋଟାପଣ ଏତେ ବେଶି ହୋଇଛି ଯେ, ଦୁଇ ବର୍ଷ ତଳେ ଖଞ୍ଜା ହୋଇଥିବା ରେଡିଓ କୋଲାର ବି ବେକକୁ ତାର ଚାପି ଦେଲାଣି। କେବଳ ସେଇଥିପାଇଁ ସାତକୋଶିଆ ଏନକ୍ଲୋଜର ଭିତରେ ବାଘୁଣୀକୁ ଆଜି ପୁଣି କରାଯାଇଛି ଟ୍ରାଙ୍କୁଲାଇଜ୍‌। ନିଶା ଦେଇ ତା ବେକରୁ ଖୋଲି ଦିଆଯାଇଛି ରେଡିଓ କୋଲାର। ଗତ ଦୁଇ ବର୍ଷ ମଧ୍ୟରେ ଆଜିକୁ ମିଶାଇ ବାଘୁଣୀ ଦେହରେ ତୃତୀୟ ଥର ଟ୍ରାଙ୍କୁଲାଇଜ୍‌ ଡାର୍ଟ କ୍ଷେପଣ ହୋଇଛି। ରେଡିଓ କୋଲାର ଖୋଲା ଯିବାର କିଛି ସମୟ ପରେ ବାଘୁଣୀ ପୁଣି ଚେତା ଫେରି ପାଇଛି। ପୂର୍ବଭଳି ଏନକ୍ଲୋଜର ଭିତରେ ବିଚରଣ କରୁଛି ବୋଲି ସାତକୋଶିଆ ଡିଏଫ୍‌ଓ ପି. ରାମା ସ୍ବାମୀ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୮, ଜୁନ୍‌ ୨୯ରେ ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ବଂଶବିସ୍ତାର କରିବା ପାଇଁ ସୁନ୍ଦରୀକୁ ସାତକୋଶିଆକୁ ଅଣାଯାଇଥିଲା। ଆଣିବା ପାଇଁ ମଧ୍ୟପ୍ରଦେଶରେ ପ୍ରଥମେ କରାଯାଇଥିଲା ଟ୍ରାଙ୍କୁଲାଇଜ୍‌। ଦୀର୍ଘ ସମୟର ଗାଡ଼ି ଯାତ୍ରା ପରେ ସାତକୋଶିଆ ରାଇଗୁଡ଼ା ଏନକ୍ଲୋଜରରେ ତାକୁ ଛଡ଼ାଯାଇଥିଲା। ସେଠାରେ ବେଶ୍ କିଛି ଦିନ ରହିବା ପରେ ଅଗଷ୍ଟ ୧୭ରେ ଖୋଲା ଜଙ୍ଗଲକୁ ମୁକୁଳିଥିଲା। ସେଇଠି କରିଥିଲା ଉତ୍ପାତ। କେଇଟା ଦିନ ମୁକୁଳା ଜଙ୍ଗଲ ଯାତ୍ରା ଭିତରେ ଦୁଇ ଦୁଇଟା ମଣିଷଙ୍କ ଜୀବନ ନେବା, ଟିକରପଡ଼ାରେ ଲଙ୍କାକାଣ୍ଡ, ଜାତୀୟ ରାଜପଥରେ ପୁଲିସ ସହ ଜନତାର ଖଣ୍ଡଯୁଦ୍ଧର ମୂଳ କାରଣ ଏହି ବାଘୁଣୀ ହିଁ ଥିଲା। ସାରା ରାଜ୍ୟରେ ହଇଚଇ କରିଥିଲା ସୁନ୍ଦରୀ। ବହୁ ପରିଶ୍ରମରେ ଦ୍ବିତୀୟ ଥର ତାକୁ ଟ୍ରାଙ୍କୁଲାଇଜ୍‌ କରାଯାଇ ଏନକ୍ଲୋଜର ଭିତରକୁ ନିଆଯାଇଥିଲା। ପ୍ରାୟ ବର୍ଷେରୁ ଉର୍ଧ୍ବ ଦିନ ଏନକ୍ଲୋଜର ଭିତରେ ରହଣି ପରେ ଏନଟିସିଏ ବାଘୁଣୀକୁ ଫେରାଇ ଦେବାକୁ ରାଜ୍ୟ ସରକାରଙ୍କୁ କହିଛି। ସେଥିପାଇଁ ପ୍ରସ୍ତୁତି ମଧ୍ୟ ଚାଲିଛି। ବାଘୁଣୀକୁ ଯେଉଁଠିକୁ ନେବାକୁ ଯୋଜନା ଚାଲିଛି, ସେଠାରେ କୁଆଡ଼େ ପୂର୍ବରୁ କିଛି ମହାବଳଙ୍କର ହିଂସ୍ର ପ୍ରବୃତ୍ତି (ରି-ୱାଇଲ୍‌ଡ଼ିଂ) ଫେରାଇ ଆଣିବା କାମ ଚାଲିଥିବାରୁ ସାତକୋଶିଆରୁ ସୁନ୍ଦରୀ ସ୍ଥାନାନ୍ତର ପ୍ରକ୍ରିୟା ବିଳମ୍ବ ହେଉଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ଏଭଳି ସ୍ଥିତିରେ ବାଘୁଣୀ ବେକରେ ଖଞ୍ଜାଯାଇଥିବା ମୂଲ୍ୟବାନ ରେଡିଓ କୋଲାର ସୁନ୍ଦରୀ ପାଇଁ ବୋଝ ସଦୃଶ ହୋଇଥିଲା। କାରଣ, ଖୋଲା ଜଙ୍ଗଲରେ ବାଘୁଣୀକୁ ଛାଡ଼ିବା ପୂର୍ବରୁ ଡବ୍ଲୁଆଇଆଇ ବେକରେ ରେଡିଓ କୋଲାର ଖଞ୍ଜିଥିଲା। ବ୍ୟାଟେରୀ ଚାଳିତ ଏହି ଯନ୍ତ୍ରାଂଶ ବାଘୁଣୀକୁ ନିକାଞ୍ଚନ ଜଙ୍ଗଲରେ ଠଉରାଇବାରେ ସହଯୋଗ କରୁଥିଲା। କିନ୍ତୁ, ଏନକ୍ଲୋଜରରେ ବନ୍ଦୀ ହେବା ପରଠାରୁ ରେଡିଓ କୋଲାରର ଆବଶ୍ୟକତା ନ ଥିବା ବେଳେ ଗତ ବର୍ଷକ ମଧ୍ୟରେ ବାଘୁଣୀ ମୋଟି ହୋଇଯାଇଥିବାରୁ ରେଡିଓ କୋଲାର ବେକକୁ ଚାପି ରଖୁଥିବା ବନ ବିଭାଗ ଅନୁମାନ କରାଯାଉଥିଲା। ପୂର୍ବରୁ ଅଣ୍ଡିରା ମହାବଳ ମହାବୀରର ମୃତ୍ୟୁ ବେକରେ ଫାଶ ପଡ଼ିବା ଯୋଗୁ ହୋଇଛି। ତେଣୁ ରେଡିଓ କୋଲାର ସୁନ୍ଦରୀ ପାଇଁ କୌଣସିମତେ ଫାଶ ସଦୃଶ ନ ହେଉ, ଏହା ଯେମିତି କିଛି କ୍ଷତି ନ କରୁ ସେଥିପାଇଁ ଆଜି ଅଣ୍ଟା ଭିଡ଼ିଥିଲେ ସାତକୋଶିଆ କର୍ତୃପକ୍ଷ। ପୂର୍ବାହ୍‌ଣରେ ଶିମିଳିପାଳ ଏବଂ ସାତକୋଶିଆର ପ୍ରାଣୀ ଚିକିତ୍ସକଙ୍କ ଉପସ୍ଥିତିରେ ଏନ୍‌କ୍ଲୋଜର ଭିତରେ ବାଘୁଣୀକୁ ତୃତୀୟ ଥର ପାଇଁ ଟ୍ରାଙ୍କୁଲାଇଜ୍‌ କରିଥିଲେ। ବେକରୁ ତାର ରେଡିଓ କୋଲାର ଖୋଲି ତାର ସ୍ବାସ୍ଥ୍ୟ ପରୀକ୍ଷା ଯାଞ୍ଚ କରାଯାଇଥିଲା ବୋଲି ସାତକୋଶିଆ ଡିଏଫ୍ଓ ଶ୍ରୀ ସ୍ବାମୀ ‘ସମ୍ବାଦକୁ କହିଛନ୍ତି। ବାଘୁଣୀ ପୂର୍ବଭଳି ଏବେ ସୁସ୍ଥ ଅଛି। ଚେତା ଫେରିବା ପରେ ଏକ୍ଲୋଜରରେ ଘୂରି ବୁଲୁଛି ସେ କହିଛନ୍ତି। ବେକରୁ କଢ଼ାଯାଇଥିବା ରେଡିଓ କୋଲାର ଅଚଳ ପ୍ରାୟ ଥିଲା। ତାର ବ୍ୟାଟେରି ଶେଷ ହୋଇଥିଲା ବୋଲି ସାତକୋଶିଆର ଆଉ ଜଣେ କର୍ମଚାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର