ଅନୁଗୁଳ : ଗତ ଏକ ମାସ ହେଲା ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ାର ଏନ୍କ୍ଲୋଜର ଭିତରେ ବନ୍ଦୀ ଥିବା ବାଘୁଣୀ ସୁନ୍ଦରୀ ଏବେ ଛୋଟାଉଛି। ଏନ୍କ୍ଲୋଜର ଭିତରେ ସୁନ୍ଦରୀ ଖେଳୁଛି ଆଉ ଦୌଡ଼ୁଛି ବି। ପୁଣି ଖାଇବା ପାଇଁ ଏନ୍କ୍ଲୋଜର ଭିତରେ ଛଡ଼ା ଯାଉଥିବା ବାର୍ହା, ହରିଣ ଆଦି ବନ୍ୟପ୍ରାଣୀଙ୍କୁ ଦୌଡ଼ି ଶିକାର କରୁଛି। କିନ୍ତୁ ସ୍ବାଭାବିକ ଭାବେ ଚାଲିବା ବେଳେ ସେ ଛୋଟାଉଥିବା ବାରି ହୋଇଯାଉଛି। ସୁନ୍ଦରୀର ଆଗ ବାମ ଗୋଡ଼ରେ ଛୋଟେଇ ଚାଲୁଥିବା ଅତ୍ୟନ୍ତ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଗୋଡ଼ର ବାହାର ଅଂଶରେ ଆଘାତ ଲାଗିଥିବା ଜଣାପଡ଼ୁ ନାହିଁ। ତେଣୁ ଗୋଡ଼ର ଭିତର ଅଂଶରେ କିଛି ସମସ୍ୟା ଥିବା ସନ୍ଦେହ କରାଯାଉଛି। ସୁନ୍ଦରୀର ଏଭଳି ସ୍ଥିତି ନେଇ ବନ ବିଭାଗ ଚିନ୍ତାରେ ରହିଛି। ତେବେ ଆର୍ସିସିଏଫ୍ ଡ. ସୁଦର୍ଶନ ପଣ୍ଡା କିନ୍ତୁ ସୁନ୍ଦରୀ ଛୋଟାଇବା ଘଟଣାକୁ ଅସ୍ବୀକାର କରିଛନ୍ତି। ସୁନ୍ଦରୀ ସୁସ୍ଥ ରହିଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଅପରପକ୍ଷରେ ଗତ ୬ ନେଭମ୍ବରରୁ ରାଇଗୁଡ଼ା ଏନ୍କ୍ଲୋଜରରେ ସୁନ୍ଦରୀ ରହିଛି। ସିସିଟିଭି କ୍ୟାମେରାରେ ତାର ଗତିବିଧି ନିରୀକ୍ଷଣ କରାଯାଉଛି।
ସାତକୋଶିଆକୁ ବାଘ, ବାଘୁଣୀ ଆସିବା ପୂର୍ବରୁ ରାଇଗୁଡ଼ାର ୫ଏକର ଜମିରେ ଦୁଇଟି ଏନକ୍ଲୋଜର କରାଯାଇଥିଲା। ଗୋଟିଏରେ ମହାବଳ ମହାବୀର ଏବଂ ଅନ୍ୟଟିରେ ବାଘୁଣୀ ସୁନ୍ଦରୀକୁ ରଖାଯାଇଥିଲା।