ଭୁବନେଶ୍ୱର : ଏକା ହୋଇଯାଇଛି ସାତକୋଶିଆ ‘ସୁନ୍ଦରୀ’। ସଙ୍ଗ ବିନା ପ୍ରାୟ ପ୍ରେମ ପାଗଳିନୀ ହୋଇଯାଇଛି। ସାଥୀ ପାଇଁ ଜଙ୍ଗଲରେ ଏଣେତେଣେ ଘୂରିବୁଲୁଛି। କେଉଁଠି କେମିତି ଜୀବଜନ୍ତୁଙ୍କ ଶବ୍ଦ ଶୁଣିବା କ୍ଷଣି ସେଠାକୁ ଧାଇଁ ଯାଉଛି। ନିଃସଙ୍ଗତା ଯୋଗୁଁ ଏକରକମ ବୋକା ପାଲଟି ଯାଇଛି। ଦିନରେ ପ୍ରେମିକର ସନ୍ଧାନରେ ଜଙ୍ଗଲର ଏ କୋଣରୁ ସେ କୋଣ ଧାଉଁଛି। ରାତି ହେଲେ ଘଞ୍ଚ ଜଙ୍ଗଲରେ ନିରବରେ ଚଳପ୍ରଚଳ କରୁଛି। ସାତକୋଶିଆ ଭିତରେ ନିଃସଙ୍ଗ ହୋଇପଡ଼ିଥିବା ‘ସୁନ୍ଦରୀ’ର ଗତବିଧି ଉପରେ ନଜର ରଖିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ପାଇଛି ବନ ବିଭାଗ।
ଗତ ୨୪ ଘଣ୍ଟା ହେଲା ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ବିଶେଷଜ୍ଞ ଦଳ ଓ ବନ ବିଭାଗର ଅଧିକାରୀମାନେ ‘ସୁନ୍ଦରୀ’ ଉପରେ ନଜର ରଖିବା ସମୟରେ ଏଭଳି ଦେଖିବାକୁ ପାଇଛନ୍ତି। ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ‘ସୁନ୍ଦରୀ’ର କାର୍ଯ୍ୟକଳାପକୁ କ୍ୟାମେରାରେ ବି କଏଦ କରାଯାଇଛି। ଜିପିଏସ୍ ସିଷ୍ଟମ ମାଧ୍ୟମରେ ଜଙ୍ଗଲ ଭିତରେ ବାଘୁଣୀର ସ୍ଥିତି ଜଣାପଡ଼ୁଛି। ତାହାକୁ ଆଧାର କରି ସୁନ୍ଦରୀର ଗତିବିଧି ଉପରେ ନଜର ରଖାଯାଇଛି। ଦୁଇ ଦିନ ହେଲା ସେ ଜନବସତି ଆଡ଼କୁ ଆସି ନଥିବା ବନ ବିଭାଗ ସୂଚନା ଦେଇଛି।
ଜଙ୍ଗଲ ଓ ପରିବେଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ‘ସୁନ୍ଦରୀ’ ଉପରେ କଡ଼ା ନଜର ରଖାଯାଇଛି। ୩ଟି ଟିମ୍ ତାହାର ଗତିବିଧି ଅନୁଧ୍ୟାନ କରୁଛନ୍ତି। ଲୋକେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଉପରେ ମଧ୍ୟ ବିଚାର କରାଯାଉଛି। ମହିଳାଙ୍କୁ ବାଘୁଣୀ ମାରିଥିବା ଲୋକେ ଆଭିଯୋଗ କରିଛନ୍ତି। ହେଲେ ଶବ ବ୍ୟବଚ୍ଛେଦର ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ବାଘୁଣୀ ମାରିଛି ବୋଲି କହିପାରିବାନି। ଗତ ଦୁଇ ଦିନ ହେଲା ବାଘୁଣୀର ସ୍ଥିତି ସାତକୋଶିଆର କୋର ଏରିଆରେ ରହିଛି। ଗତ ୧୫ ଦିନ ମଧ୍ୟରେ ସେ ୮ରୁ ଅଧିକ ଜୀବଜନ୍ତୁଙ୍କୁ ମାରି ଖାଇଛି। କେତେକଙ୍କୁ ଆକ୍ରମଣ ମଧ୍ୟ କରିଛି। ଏବେ ଯେଉଁ ଅନୁଧ୍ୟାନ କରାଯାଉଛି ତାହାର ରିପୋର୍ଟ ଆଧାରରେ ‘ସୁନ୍ଦରୀ’ର ଭବିଷ୍ୟତ ନିର୍ଭର କରୁଛି। ତାହାର ଉଗ୍ର ପ୍ରକୃତି ଯଦି ଜାରି ରହିବ ତେବେ ଧରିବା ଦିଗରେ ପଦକ୍ଷେପ ନିଆଯିବ। ବନ ବିଭାଗ ସମେତ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ବିଶେଷଜ୍ଞ ଦଳ ଏବେ ‘ସୁନ୍ଦରୀ’ ଉପରେ କଡ଼ା ନଜର ରଖିଛନ୍ତି। କେଉଁଠି ବୁଲୁଛି? କ’ଣ କରୁଛି? ଚାଲିଚଳନ, ହାବଭାବ ଉପରେ ଦୃଷ୍ଟି ଦିଆଯାଉଛି। ରିପୋର୍ଟରେ ଯଦି ମଣିଷ ମାରିଥିବା ଜଣାପଡ଼ିବ ତେବେ ଟ୍ରାଙ୍କୁଲାଇଜ୍ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।
ଅନୁଗୁଳ ଆରସିସିଏଫ୍ ସୁଦର୍ଶନ ପଣ୍ଡା ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଦୁଇଟି ଟିମ୍ ପହଞ୍ଚିବା ପରେ ଅନୁଧ୍ୟାନ ଜାରି ରହିଛି। ସ୍ଥାନାନ୍ତର ହେବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନି।