ବାଘୁଣୀ ସୁରକ୍ଷିତ ଅଛି ତ?

ମହାବଳ ମୃତ୍ୟୁ ଘଟଣାରେ ମାମଲା ହେବ ନା ଚପିଯିବ!, ବନ ବିଭାଗ ନିରବତା ନେଇ ସନ୍ଦେହ

ଭୁବନେଶ୍ବର : ଶିକାରୀଙ୍କ ଫାଶରେ ପଡ଼ି ‘ମହାବଳ’ ମରିଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(ଏନ୍‌ଟିସିଏ) ଓ ୱାଇଲଡ୍‌ ଲାଇଫ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ(ଡବ୍ଲୁଆଇଆଇ) ପ୍ରତିନିଧି ଦଳ ତଦନ୍ତ କରି ରିପୋର୍ଟ ଦେଇଛନ୍ତି। ଦୁଇ ଦିନ ହେଲା ରିପୋର୍ଟ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବନ ବିଭାଗ ନିଦ ଭାଙ୍ଗୁନି। କେଉଁମାନେ ସାତକୋଶିଆରେ ଫାଶ ବସାଇଥିଲେ? ବନ ବିଭାଗ ଅଧିକାରୀ ଠିକ୍‌ ଭାବେ ମହାବଳର ଗତିବିଧିକୁ ତଦାରଖ କରୁଥିଲେ କି ନାହିଁ? ସେ ବିଷୟରେ କେହି ବି ଖୋଲତାଡ଼ କରୁନାହାନ୍ତି। ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଓ ସଚିବ ଚୁପ୍‌ ହୋଇ ବସି ପଡ଼ିଛନ୍ତି। ପିସିସିଏଫ୍‌(ବନ୍ୟପ୍ରାଣୀ) ବି ଏନେଇ ମୁହଁ ଖୋଲୁନାହାନ୍ତି। ବନ ବିଭାଗର ଏଭଳି ନିରବତା ଏବେ ଅନେକ ସନ୍ଦେହ ସୃଷ୍ଟି କରିଛି।

ବିଶେଷଜ୍ଞମାନେ ଅଭିଯୋଗ କରିଛନ୍ତି ଯେ ମହାବଳର ମୃତ୍ୟୁର କାରଣ ଚାପିବା ଲାଗି ଆରମ୍ଭରୁ ହିଁ ରିତିମତ ଯୋଜନା ଚାଲିଛି। ଘଟଣାର ତଦନ୍ତ ନ ହେଉଣୁ, ସାତକୋଶିଆ ଫିଲ୍ଡ ଡାଇରେକ୍ଟର୍‌ ଉଭୟ ବନ ବିଭାଗ ଓ ଅଞ୍ଚଳବାସୀଙ୍କୁ କ୍ଲିନ୍ ଚିଟ୍ ଦେଇଥିଲେ। ଏହାପରେ ଯେଉଁ ଡାକ୍ତରମାନେ ବ୍ୟବଚ୍ଛେଦ କରି ରିପୋର୍ଟ ଦେଇଥିଲେ ସେମାନେ ବି କହିଥିଲେ ଯେ ଝିଙ୍କ ଖା‌ଇବା ଦ୍ବାରା ମହାବଳର ମୃତ୍ୟୁ ହୋଇଛି। ଫାଶ ଲାଗି ମୃତ୍ୟୁ ହୋଇଥିବା ନେଇ କେହି ବି ସ୍ବୀକାର କଲେ ନାହିଁ। ଏନ୍‌ଟିସିଏ ଗାଇଡଲାଇନ୍‌ ଅନୁଯାୟୀ ଜଙ୍ଗଲରେ ବାଘ ମଲେ ଶିକାରୀଙ୍କ ପ୍ରାଦୁର୍ଭାବ ନେଇ ତଦନ୍ତ ହେବା କଥା। କିନ୍ତୁ ସାତକୋଶିଆରେ ବନ ବିଭାଗର ଅଧିକାରୀମାନେ ସେଭଳି କିଛି ତଦନ୍ତ କରି ନାହାନ୍ତି। ସବୁ କିଛି ଏନ୍‌ଟିସିଏ ଉପରେ ଛାଡ଼ିଦେଇଛନ୍ତି।

ଏନ୍‌ଟିସିଏ ତଦନ୍ତ ରିପୋର୍ଟ ପ୍ରଦାନ ପରେ ବି ବନ ବିଭାଗ ତତ୍ପରତା ଦେଖାଉ ନାହିଁ। ଅଧିକାରୀମାନେ ନିରବ ରହିଥିବାରୁ ବିଶେଷଜ୍ଞମାନେ ଏବେ ଏକାଧିକ ପ୍ରଶ୍ନ ଉଠାଇଛନ୍ତି। ଯଦି ଶିକାରୀଙ୍କ ଫାଶରେ ପଡ଼ି ମହାବଳ ମରିଛି ତେବେ ସାତକୋଶିଆରେ ପୂର୍ବରୁ ଥିବା ବାଘୁଣୀ ସୁରକ୍ଷିତ ଅଛି ତ? ଫାଶରେ ପଡ଼ି ତାର ବି ମୃତ୍ୟୁ ହୋଇନି ତ? ନୂଆ ବର୍ଷରେ ନୂଆ ଖବର ଆସିବ ବୋଲି ଦୁଇ ମାସ ତଳେ ପିସିସିଏଫ୍‌ ଯେଉଁ କଥା କହିଥିଲେ ସେଥିରେ କେତେ ସତ୍ୟତା ରହିଛି? ନା କେବଳ ଲୋକଙ୍କୁ ବୁଝାଇବା ପାଇଁ ଏଭଳି କୁହାଯାଉଥିଲା। ଫାଶରେ ପଡ଼ି ମହାବଳର ମୃତ୍ୟୁ ହୋଇଥିବା ଏନ୍‌ଟିସିଏ ରିପୋର୍ଟରେ ଉଲ୍ଲେଖ ହୋଇଥିଲେ ମଧ୍ୟ ଭୁଲ୍‌ ରିପୋର୍ଟ ଦେଇଥିବା ଡାକ୍ତରଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବନି ବୋଲି ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷରେ ମହାବଳ ମୃତ୍ୟୁ ଘଟଣାରେ ଏପର୍ଯ୍ୟନ୍ତ କୌଣସି ମାମଲା ହୋଇନି। ସାତକୋଶିଆର କେଉଁ ଅଞ୍ଚଳରେ ଶିକାରୀଙ୍କ ଫାଶ ଲାଗିଛି ତାହାକୁ ଏପର୍ଯ୍ୟନ୍ତ ଖୋଜାଯାଇ ନାହିଁ। ମହାବଳକୁ ଅଭୟାରଣ୍ୟରେ ଛଡ଼ାଯିବା ପରେ ଯେଉଁଭଳି ନଜର ରଖାଯିବା କଥା ତାହା ହୋଇ ନଥିବା ରିପ‌ୋର୍ଟରୁ ସ୍ପଷ୍ଟ ଜଣାପଡ଼ିଛି। ବନ ବିଭାଗର ଯେଉଁ ଅଧିକାରୀଙ୍କ ଖାମଖିଆଲି ମନୋଭାବ ପାଇଁ ମହାବଳର ମୃତ୍ୟୁ ହୋଇଛି ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବ ନାହିଁ  ବୋଲି ବିଶେଷଜ୍ଞମାନେ କହିଛନ୍ତି।

ବନ୍ୟପ୍ରାଣୀ ବିଶେଷଜ୍ଞ ଡ. ପ୍ରଦୀପ୍ତ ତରାଇ କହିଛନ୍ତି ଯେ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପ ଆରମ୍ଭରୁ ହିଁ ବନ ବିଭାଗ ଭୁଲ୍‌ କରିଛି।  ବାଘକୁ ଯେମିତି ସୁରକ୍ଷା ଦିଆଯିବା କଥା ତାହା ଦିଆଗଲା ନାହିଁ। ‌ମହାବଳକୁ ଛାଡ଼ିବା ପରେ ବର୍ଷେ ପର୍ଯ୍ୟନ୍ତ ନଜର ରଖିବା କଥା। ଜିପ୍‌ ଉପରେ ରହି ତଦାରଖ କରିବାର ଥିଲା। କେଉଁ ଅଞ୍ଚଳରେ ବାଘ ଛଡ଼ାଯିବ ତାହାର କୌଣସି ମ୍ୟାପ୍‌ କରାଯାଇ ନଥିଲା। ଯେଉଁଥିପାଇଁ ୬ କୋଟି ଟଙ୍କା ପାଣିରେ ପଡ଼ିଲା। ବାଘ ମୃତ୍ୟୁର କ୍ଷତିପୂରଣ ବନ ବିଭାଗ ଦେବା ଦରକାର। ଯେଉଁମାନଙ୍କ ଅବହେଳା ପାଇଁ ବାଘର ମୃତ୍ୟୁ ହୋଇଛି ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବନି ବୋଲି ସେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର