‘ସୁନ୍ଦରୀ’କୁ ଭୁଲିଗଲେଣି : ୪ ମାସ ହେଲା ଏନ୍‌କ୍ଲୋଜନରେ ବନ୍ଦୀ ଜୀବନ କାଟୁଛି

ମେ’ ଭିତରେ ଜଙ୍ଗଲକୁ ଫେରିବା ସମ୍ଭାବନା କ୍ଷୀଣ

ଭୁବନେଶ୍ବର : ବାଘୁଣୀ ‘ସୁନ୍ଦରୀ’ ଖବର କ’ଣ? କେମିତି ଅଛି ସେ? ୪ ମାସ ହେଲା ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ା ଏନ୍‌କ୍ଲୋଜରରେ ବନ୍ଦୀ ଜୀବନ କାଟୁଥିବା ‘ସୁନ୍ଦରୀ’ କେବେ ମୁକୁଳିବ? ନା ମଧ୍ୟପ୍ରଦେଶ ଜଙ୍ଗଲରେ ବୁଲୁଥିବା ସୁନ୍ଦରୀ ‌ସେମିତି ଏନ୍‌କ୍ଲୋଜର୍‌ରେ ରହିଯିବ?

ଏବେ ପ୍ରାଣୀ ବିଶେଷଜ୍ଞଙ୍କ ମଧ୍ୟରେ ଏମିତି ପ୍ରଶ୍ନ ଉଙ୍କି ମାରୁଛି। ହେଲେ ବନ ବିଭାଗ ଅଧିକାରୀମାନେ ମୁହଁ ଖୋଲୁ ନାହାନ୍ତି କି ଚିତ୍ର ବି ସ୍ପଷ୍ଟ କରୁନାହାନ୍ତି। ସେପଟେ ଦେଶରେ ପ୍ରଥମ ଥର ପାଇଁ ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ଆରମ୍ଭ କରିଥିବା ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ(ଏନଟିସିଏ) ମଧ୍ୟ ଏଦିଗରେ ମୁଣ୍ଡ ପୂରାଉ ନାହାନ୍ତି। ବାଘ ‘ମହାବୀର’ର ମୃତ୍ୟୁ ପରେ ଏକ ପ୍ରକାର ଚୁପ୍‌ ହୋଇ ବସିଛି ଏନ୍‌ଟିସିଏ। ସମ୍ପ୍ରସାରଣ ଆଗକୁ ବଢ଼ାଇବାକୁ ବି ଇଚ୍ଛା ପ୍ରକାଶ କରୁନାହାନ୍ତି ଏନ୍‌ଟିସିଏର ଅଧିକାରୀ। ଲାଗୁଛି ସତେ ଯେମିତି ସମସ୍ତେ ‘ସୁନ୍ଦରୀ’ କଥା ଭୁଲିଗଲେଣି। ଭବିଷ୍ୟତ ନେଇ ବି କେହି ଚିନ୍ତା କରୁନାହାନ୍ତି। ଏବେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଲାଗି ଆଚରଣବିଧି ଲାଗୁ ହୋଇଯାଇଥିବାରୁ ଆସନ୍ତା ମେ’ ମାସ ମଧ୍ୟରେ ସତକୋଶିଆ ଅଭୟାରଣ୍ୟକୁ ପୁଣିଥରେ ‘ସୁନ୍ଦରୀ’ ଫେରିବା ସମ୍ଭାବନା କ୍ଷୀଣ। ତେବେ ବିଶେଷଜ୍ଞଙ୍କ କହିବା କଥା ହେଉଛି ବାଘୁଣୀ ଦୀର୍ଘଦିନ ଧରି ଏନକ୍ଲୋଜର୍‌ରେ ରହିବା ଓ ବୋଲ ମାନିବା ଦ୍ବାରା ସେ ତାହାର ଜଙ୍ଗଲୀ ପ୍ରବୃତ୍ତି ହରାଇ ବସିବ। ଯେଉଁ ଉଦ୍ଦେଶ୍ୟ ପାଇଁ ଦେଶରେ ପ୍ରଥମ ଥର ପାଇଁ ବାଘ ଅଣାଯାଇଥିଲା, ତାହା ଅଧାରେ ରହିଯିବ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ‘ସୁନ୍ଦରୀ’କୁ ପୁଣିଥରେ ଜଙ୍ଗଲକୁ ଛାଡ଼ିବା ଲାଗି ଦେଢ଼ ମାସ ତଳେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରାଜ୍ୟର ବିଭିନ୍ନ ଜଙ୍ଗଲରେ ଥିବା କୁମ୍‌କି ହାତୀଙ୍କୁ ସତକୋଶିଆ ଅଭୟାରଣ୍ୟକୁ ନିଆଯାଇଥିଲା। ପ୍ରଥମେ ଚନ୍ଦକାରେ ଥିବା କୁମ୍‌କି ହାତୀକୁ ନେବାକୁ ଉଦ୍ୟମ ହୋଇଥିଲା। ହେଲେ ଅଧା ବାଟରେ ନିଷ୍ପତ୍ତି ବାତିଲ୍‌ ହୋଇଥିଲା। ପରେ ମୟୂରଭଞ୍ଜ ଜିଲ୍ଲା ଶିମିଳପାଳ ଅଭୟାରଣ୍ୟରେ ଥିବା ଦୁଇଟି କୁମ୍‌କି ହାତୀକୁ ଅଣାଯାଇ ‘ସୁନ୍ଦରୀ’ ଥିବା ଏନ୍‌କ୍ଲୋଜର ନିକଟରେ ଛଡ଼ାଯାଇଛି। ଦେଢ଼ ମାସ ହେଲା ଦୁଇଟି ଯାକ ହାତୀ ସେମିତି ସାତକୋଶିଆରେ ରହିଛନ୍ତି। ସେମାନଙ୍କୁ କିଭଳି ଓ କେଉଁଠି ଛଡ଼ାଯିବ? କ’ଣ ସେମାନଙ୍କ କାର୍ଯ୍ୟ ରହିବ? ସେନେଇ କୌଣସି ବି ଆଲୋଚନା‌ କରାଯାଇ ନାହିଁ।

୨୦୧୯ ଜୁନ୍‌ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ୨୦୧୮ ଜୁନ୍‌ ମାସରେ ଗୋଟିଏ ଲେଖାଏ ବାଘ ଓ ବାଘୁଣୀ ଆସିବା ପରେ ଜାନୁଆରି ସୁଦ୍ଧା ଦ୍ବିତୀୟ ଓ ମେ’ ମାସ ସୁଦ୍ଧା ତୃତୀୟ ପର୍ଯ୍ୟାୟରେ ଆଉ ଦୁଇ ଯୋଡ଼ା ବାଘ ଆଣିବାକୁ ଯୋଜନା ହୋଇଥିଲା। ହେଲେ ପ୍ରଥମରୁ ପ୍ରକଳ୍ପକୁ ଧକ୍କା ଲାଗିଥିବାରୁ ପରବର୍ତୀ ପର୍ଯ୍ୟାୟରେ ହେବ କି ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ ଜୁନ୍‌ ଭିତରେ ଅନ୍ତଃରାଜ୍ୟ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପ ସରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଯଦି ବି ପ୍ରକଳ୍ପ ଆଗକୁ ବଢ଼ିବ ତେବେ ୨୦୧୯ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ ନାହିଁ ବୋଲି ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ ସାତକୋଶିଆରେ ‘ମହାବଳ’ ବାଘର ମୃତ୍ୟୁପରଠାରୁ ବନ ବିଭାଗର କୌଣସି ବରିଷ୍ଠ ଅଧିକାରୀ ଅନୁଗୁଳକୁ ଯାଉ ନଥିଲେ। କିଛି ଦିନ ତଳେ ଡେରାଡୁନ୍‌ସ୍ଥିତ ଡବ୍ଲ୍ୟୁଆଇଆଇର ବୈଜ୍ଞାନିକମାନେ ସାତକୋଶିଆ ଆସି ବନ ବିଭାଗ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଆବଶ୍ୟକ ପଡ଼ିଲେ ଆହୁରି ଅଭିଜ୍ଞ ବିଶେଷଜ୍ଞଙ୍କୁ ଅଣାଯାଇ ବାଘୁଣୀର ଗତିବିଧି ଉପରେ ନଜର ରଖାଯିବ। ଏଥିସହ ‘ସୁନ୍ଦରୀ’ର ଆଚରଣରେ ପରିବର୍ତ୍ତନ ଘଟିଲେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ‌ବୋଲି କହିଥିଲେ। ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପକୁ ନିଶ୍ଚିତ ଭାବେ ସଫଳ କରାଯିବ। ଏଥିପାଇଁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସବୁ ସମସ୍ୟାର ସମାଧାନ କରିବାକୁ ଉଦ୍ୟମ ହେବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର