‘ସୁନ୍ଦରୀ କାଣ୍ଡ’ର ମିଛୁଆ ରାଧୁଆ : ବନବାସୀଙ୍କୁ ଧୋକା ପରେ ଧୋକା

ବାଘୁଣୀ ସୁରକ୍ଷା ପାଇଁ ମିଛକୁ ଢାଲ, ଟ୍ରାଙ୍କୁଲାଇଜ୍ ପ୍ରତିଶ୍ରୁତି ଭରସା ପାଉନି

ଅନୁଗୁଳ : ସତେ ଯେମିତି ‘ସୁନ୍ଦରୀ’ ପାଇଛି ଅଭୟ ବର। ନର ଭକ୍ଷଣ ସତ୍ତ୍ବେ ରକ୍ତମୁଖା ବାଘୁଣୀକୁ ନିର୍ଦୋଷ ସାବ୍ୟସ୍ତ କରିବା ପାଇଁ ପୂରା ପ୍ରଶାସନିକ କଳ ଲାଗି ପଡ଼ିଛି। ମିଛକୁ ଢାଲ କରି ଏସ୍‌ପିଙ୍କଠାରୁ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଲୋକଙ୍କୁ ଯେମିତି ଭୁଆଁ ବୁଲାଇବାର ଅପଚେଷ୍ଟା କରିଛନ୍ତି, ଏଥିରୁ କେବଳ ଜିଲ୍ଲା ପ୍ରଶାସନର ମିଛୁଆ ଚେହେରା ଧରା ପଡ଼ିଛି ତା’ନୁହେଁ, ବର˚ ଗୋଟିଏ ପ୍ରାଣୀ ପାଇଁ ସରକାର ଲକ୍ଷାଧିକ ସାଧାରଣ ଜନତାଙ୍କ ଜୀବନକୁ କିପରି ମରଣ ମୁହଁକୁ ଠେଲି ଦେବାକୁ ବି ପଛାଉ ନାହାନ୍ତି ତାହା ଏବେ ଚିନ୍ତାର କାରଣ ପାଲଟିଛି। ସୁନ୍ଦରୀ ସହିତ ଫି’ଦିନ ଲଢ଼େଇ କରୁଥିବା ବନବାସୀ ଏ କଥାକୁ ମର୍ମେ ମର୍ମେ ଅନୁଭବ କଲେଣି।‌ କେବଳ ସେତିକି ନୁହେଁ, ପୂରା ‘ସୁନ୍ଦରୀ’ କାଣ୍ତକୁ ବିଶ୍ଲେଷଣ କଲେ, ଡିଏଫ୍ଓ, ପିସିସିଏଫ୍ ଓ ମନ୍ତ୍ରୀଙ୍କ ପ୍ରତିଶ୍ରୁତି, ମନ୍ତବ୍ୟ ମିଛୁଆ ରାଧୁଆ ଗପଠୁ କିଛି କମ୍ ନୁହେଁ ବୋଲି ଲୋକେ ସିଧାସିଧା କହିଛନ୍ତି।

‘ସୁନ୍ଦରୀ’ ଆସିବା ପୂର୍ବରୁ ଏ ମିଛ କାହାଣୀର ଧାରା ଆରମ୍ଭ କରିଥିଲା ବନ ବିଭାଗ। ଯେଉଁଦିନ ବାନ୍ଧବଗଡ଼ରୁ ସାତକୋଶିଆ ଅଭିମୁଖେ ‘ସୁନ୍ଦରୀ’ ବାହାରିଥିଲା, ସେଦିନ ଗଣମାଧୢମକୁ ଭୁଲ ସୂଚନା ଦେଇ ସାତକୋଶିଆର ବରିଷ୍ଠ ଅଧିକାରୀ ବିଭ୍ରାନ୍ତ କରିଥିଲେ। ଜୁଲାଇ ୧୮ତାରିଖରେ ହଜାର ହଜାର ବନବାସୀ ବାଘଠାରୁ ନିଜର ସୁରକ୍ଷା ଭିକ୍ଷା‌ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜୋର‌୍‌ଦାର ବିକ୍ଷୋଭ କରିଥିଲେ। ସେଦିନ ବି ସେମିତି ଭୁଆଁ ବୁଲାଯାଇଥିଲା। ସପ୍ତାହକ ମଧୢରେ ଜିଲ୍ଲାପାଳଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା ପାଇଁ ଡାକିବେ ବୋଲି ସେଦିନ ଅତିରିକ୍ତ ଜିଲ୍ଲାପାଳ ତପନ ଶତପଥୀ ଲୋକଙ୍କୁ ପ୍ରତିଶ୍ରୁତି ଦେଲେ। ହେଲେ କୌଣସି ଆଲୋଚନା ହେଲା ନାହିିଁ। ବହୁ ବିଳମ୍ବରେ ଜିଲ୍ଲାପାଳ ବୈଠକ ଡାକିଲେ ସିନା ସୁନ୍ଦରୀ ଆତଙ୍କରାଜର ଅନ୍ତ ପାଇଁ କୌଣସି ଠୋସ୍ ପଦକ୍ଷେପ ନେଲେ ନାହିଁ।

ଟିକରପଡ଼ା ଲଙ୍କାକାଣ୍ତ ପରେ ପ୍ରଶାସନର ଦୋମୁହାଁ ନୀତି ଜଳଜଳ ଦିଶିଥିଲା। ସେପ୍ଟେମ୍ବର ୧୩ତାରିଖ ପମ୍ପାସର ବୈଠକରେ ଖୋଦ୍‌ ଏସ୍‌ପି ମିତ୍ରଭାନୁ ମହାପାତ୍ର, ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ ଏବ˚ ପୂର୍ବତନ ଡିଏଫ୍‌ଓ ଏସ୍‌ଏମ୍‌ଟି ରେହ୍‌ମାନ ହାତ କାଟି ଲେଖି ସ୍ବୀକାର କରିଥିଲେ ଯେ ହାତୀବାରିର ମହିଳା କୈଳାସୀ ସାଏଙ୍କୁ ସୁନ୍ଦରୀ ହିଁ ମାରିଛି। କିନ୍ତୁ କେଇଟା ଦିନ ପରେ କଣ ହେଲା କେଜାଣି ସେହି ଅଧିକାରୀଙ୍କ ମନ୍ତବ୍ୟ ପୂରା ବଦଳିଗଲା। ରାଜଧାନୀରେ ବସି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହାର ପ୍ରମାଣ ଖୋଜିଲେ। ଆଖି ଆଗରେ ତଣ୍ଟି କଣା ଶବ ପଡ଼ିଥିଲା। ସେଦିନ ସୁନ୍ଦରୀ ସେଇଠି ବୁଲୁଥିଲା ବୋଲି ପୂର୍ବତନ ଡିଏଫ୍ଓ ଶ୍ରୀ ରେହମାନ ଗଣମାଧ୍ୟମକୁ କହିଥିଲେ। ପୁଳାଏ ମା˚ସ ଦେହରୁ ଖାଇଗଲା। ତା’ ସତ୍ବେ ‘ସୁନ୍ଦରୀ’ ନୁହେଁ, ବର˚ କେହି ହି˚ସ୍ରଜନ୍ତୁ କୈଳାସୀଙ୍କୁ ମାରିଛି ବୋଲି ବୟାନ ଦେଇ ମନ୍ତ୍ରୀ ପ୍ରତାରଣାର ସବୁ ସୀମା ଟପିଗଲେ ବୋଲି କ୍ଷୁବ୍ଧ ବନବାସୀ କହିଛନ୍ତି। ଏମିତିକି ବାଘୁଣୀକୁ ଦୁଇ ଦିନ ମଧୢରେ ସ୍ଥାନାନ୍ତର କରିବା ପାଇଁ ସେଦିନ ସାତକୋଶିଆ କତୃର୍ପକ୍ଷ ଲୋକଙ୍କୁ ଲିଖିତ କଣ୍ଟ ଦେଇଥିଲେ। ପ୍ରତିଶ୍ରୁତି ମୁତାବକ ଡେରାଡ଼ୁନରୁ ଟ୍ରାଙ୍କୁଲାଇଜ୍‌ର ଟିମ୍‌ ଆସିଲା। କିନ୍ତୁ ଜଙ୍ଗଲରେ ଦୁଇ ଦିନର ନାଟକବାଜି ପରେ ଘଉଡ଼ିବା ନୀତି ଧରିଥିଲା ବିଭାଗ। ଟ୍ରାଙ୍କୁଲାଇଜ ନ କରି ପୂର୍ବ ଭଳି ସୁନ୍ଦରୀକୁ ମୁକୁଳା ଛାଡ଼ି ଦେଲା। ଏମିତିକି ଏସ୍‌ପି ଶ୍ରୀ ମହାପାତ୍ର ବାଘୁଣୀ ଦାଉରୁ ସୁରକ୍ଷା ଦେବା ପାଇଁ ପୁଲିସ ଫୋର୍ସ ଜଗିବେ ବୋଲି ପ୍ରତିଶ୍ରୁତି ଦେଇ ଆସିଲେ। ରବିବାର ଦିନ ଟାଇଁସି ଚାଷୀ ତ୍ରିନାଥ ସାହୁଙ୍କୁ ବାଘୁଣୀ ମାରିବା ପରେ ପୁଲିସ ସୁରକ୍ଷା କୁଆଡେ଼ ଗଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ପୂରା ସୁନ୍ଦରୀକାଣ୍ତକୁ ବିଶ୍ଲେଷଣ କଲେ ସରକାରୀ ବାବୁ ଓ ମନ୍ତ୍ରୀଙ୍କ ମତ, ମନ୍ତବ୍ୟ ମିଛୁଆ ରାଧୁଆ ଗପଠାରୁ କିଛି କମ୍‌ ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି

ରବିବାର ଦିନ ମୁଣ୍ତାସାହି ରାଜରାସ୍ତାରେ ପୁଲିସ-ଜନତା ଖଣ୍ତଯୁଦ୍ଧ ପରେ ଆଜି ପିସିସିଏଫ୍‌ ଡକ୍ଟର ସନ୍ଦୀପ ତ୍ରିପାଠୀ ପୁରୁଣା କଥାକୁ ଦୋହରାଇଛନ୍ତି। ରାଜଧାନୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରାଯିବ। ସେଥିପାଇଁ ବିଶେଷଜ୍ଞ ଟିମ୍ ସାତକୋଶିଆ ଯାଇଛନ୍ତି। ରାଇଗୁଡ଼ା ଏନ୍‌କ୍ଲୋଜରକୁ ‘ସୁନ୍ଦରୀ’କୁ ଫେରାଇ ଅଣାଯିବ ବୋଲି ଡ. ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ପ୍ରତିଶ୍ରୁତି ଦେଇଛନ୍ତି। ଗତଥର କୈଳାସୀ ସାଏଙ୍କ ଘଟଣାରେ ସମାନ କଥା କୁହାଯାଇଥିଲା। ଟ୍ରାଙ୍କୁଲାଇଜ୍‌ ପାଇଁ ହାତରେ ପୋଷା ହାତୀ ନ ଥିଲା। ଏଭଳି ସ୍ଥିତିରେ ଡେରାଡ଼ୁନରୁ ବିଶେଷଜ୍ଞ ଟିମ୍ ବିଫଳ ହୋଇ ଫେରିଯାଇଥିବା ବେଳେ ଏଥର କ’ଣ ହେବ ବୋଲି ପ୍ରଶ୍ନ ଉଠିଛି। ବାସ୍ତବରେ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବେ ନା, ଗତଥର ଭଳି ନାଟକବାଜି କରି ଉତ୍ତେଜନାକୁ ପ୍ରଶମିତ କରାଯିବ ତା’ଉପରେ ସଭିଁଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର