‘ସୁନ୍ଦରୀ’ ପାଇଁ ଅଣ୍ଟା ଭିଡ଼ିଲା ଏନ୍‌ଜିଓ

ମଧ୍ୟପ୍ରଦେଶ ହାଇକୋର୍ଟରେ ମାମଲା, ଭୋପାଳରେ ପକ୍ଷ ରଖିବ ଓଡ଼ିଶା

ଅନୁଗୁଳ : ସାତକୋଶିଆ ଅଭୟାରଣ୍ୟର ବାଘୁଣୀ ‘ସୁନ୍ଦରୀ’ ପ୍ରସଙ୍ଗ ଧୀରେ ଧୀରେ ଅଡ଼ୁଆ ଭିତରକୁ ଠେଲି ହୋଇ ଚାଲିଛି। ଓଡ଼ିଶାରୁ ଏ ବାଘୁଣୀକୁ ଫେରାଇ ନେବା ପାଇଁ ଏନ୍‌ଟିସିଏ ମଧ୍ୟପ୍ରଦେଶ ବନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ, ମଧ୍ୟପ୍ରଦେଶ ବନ ବିଭାଗ ନିଜ ବାଘୁଣୀକୁ ଫେରାଇ ନେବାକୁ ଆଗ୍ରହ ଦେଖାଉ ନ ଥିବାରୁ ସାତକୋଶିଆର ଏନକ୍ଲୋଜର ଭିତରେ ବାଘୁଣୀର ଦୁଃଖ ବଢ଼ି ଚାଲିଛି। ଦୁଇ ରାଜ୍ୟର ବନ ବିଭାଗ ବାଘୁଣୀକୁ ନେଇ ଟଣାଓଟରା ଚଳାଇଥିବା ବେଳେ ବାଘୁଣୀ ପାଇଁ ଅଣ୍ଟା ଭିଡ଼ିଛି ଏକ ଏନ୍‌ଜିଓ। ଏନେଇ ମଧ୍ୟପ୍ରଦେଶ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଯେଉଁଥିରେ ଓଡ଼ିଶାକୁ ପକ୍ଷଭୁକ୍ତ କରାଯାଇଛି। ଭୋପାଳ କୋର୍ଟରେ ନିଜର ପକ୍ଷ ରଖିବାକୁ ହାଇକୋର୍ଟ ଓଡ଼ିଶା ବନ ବିଭାଗକୁ ନୋଟିସ୍‌ ଜାରି କରିଛନ୍ତି। ବାଘୁଣୀ ପ୍ରସଙ୍ଗର ଉତ୍ତର ଦେବା ପାଇଁ ପିସିସିଏଫ୍‌ଙ୍କ ତରଫରୁ ସାତକୋଶିଆ ଡିଏଫ୍‌ଓ ରାମାସ୍ବାମୀ ପି. ପକ୍ଷ ରଖିବାକୁ ଦାୟିତ୍ବ ଦିଆଯାଇଛି। ଏଥିପାଇଁ ଡିଏଫ୍‌ଓ ଶ୍ରୀ ରାମାସ୍ବାମୀ ସୁନ୍ଦରୀର ନଥିପତ୍ର ସବୁ ଯୋଗାଡ଼ କରି ସାରିଛନ୍ତି। ସ୍ବଳ୍ପ ଦିନ ମଧ୍ୟରେ ଏନେଇ ସେ ଭୋପାଳ ହାଇକୋର୍ଟରେ ହାଜର ହେବାକୁ ଯାଉଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ସାତକୋଶିଆରେ ମହାବଳ ବଂଶବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର, ଓଡ଼ିଶା ସରକାର ଏବଂ ମଧ୍ୟପ୍ରଦେଶ ସରକାର ଏକ ମିଳିତ ଉଦ୍ୟମ ଆରମ୍ଭ କରିଥିଲେ। ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ମହାବଳ ବାଘ ସ୍ଥାନାନ୍ତର ଭାରତରେ ପ୍ରଥମ ଥର ପାଇଁ କରାଯାଇଥିଲା। କିନ୍ତୁ, ସବୁ ପରିଶ୍ରମ କେବଳ ବୃଥା ଗଲା। ଅଣ୍ଡିରା ମହାବଳ ‘ମହାବୀର’ ଏହି ସାତକୋଶିଆରେ ଜୀବନ ହରାଇଲା ଓ ସୁନ୍ଦରୀ ଏନକ୍ଲୋଜରରେ ବନ୍ଦୀ ହୋଇଗଲା।

ତା ପରଠାରୁ ବାଘୁଣୀ ସୁନ୍ଦରୀର ଭାଗ୍ୟ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। ନନ୍ଦନକାନନରେ ରହିବା ବାଟ ଏକ ପ୍ରକାର ବନ୍ଦ ହୋଇଥିବା ବେଳେ ମଧ୍ୟପ୍ରଦେଶ ବନ ବିଭାଗ ମଧ୍ୟ ନେବାକୁ ଅନାଗ୍ରହ ଦେଖାଉଛି। ଏଭଳି ସ୍ଥିତିରେ ବାଘୁଣୀ ଭବିଷ୍ୟତ କଣ ହେବ ସେନେଇ ମଧ୍ୟପ୍ରଦେଶର ଏକ ଏନ୍‌ଜିଓ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର