ଆଜି କୁକୁର ମାରିଛି ବାଘୁଣୀ ‘ସୁନ୍ଦରୀ’; ଟ୍ରାଙ୍କ୍ୟୁଲାଇଜ୍‌ କରିବାକୁ ସାତକୋଶିଆ ଅଭିମୁଖେ ୧୦ ଜଣିଆ ଟିମ୍‌

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳ ଗାଁ’ଗଣ୍ଡାରେ ଉପଦ୍ରବ କରୁଥିବା ବାଘୁଣୀ ‘ସୁନ୍ଦରୀ’କୁ ଟ୍ରାଙ୍କ୍ୟୁଲାଇଜର୍‌ ମାରି ଅଚେତ କରିବାକୁ ବନ ବିଭାଗ ତରଫରୁ ଏକ ୧୦ ଜଣିଆ ଦଳ ଆଜି ସକାଳେ ସେଠାକୁ ଯାଇଛନ୍ତି।

ଏଥିରେ ଓୟୁଏଟି, ଶିମିଳିପାଳ ଓ ନନ୍ଦନକାନନରୁ ଆସିଥିବା ଟ୍ରାଙ୍କ୍ୟୁଲାଇଜର୍‌ ବିଶେଷଜ୍ଞମାନେ ସାମିଲ୍‌ ହୋଇଛନ୍ତି। ଗତକାଲି ଠାରୁ ସେମାନେ ଘଟନାସ୍ଥଳକୁ ଯିବାର ଥିଲେ ମଧ୍ୟ ସେଠାକାର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଅନୁଗୁଳରେ ଅଟକି ରହିଥିଲେ। ମଙ୍ଗଳବାର ସକାଳେ ଦୁଇ ପ୍ଲାଟୁନ୍‌ ପୁଲିସ ଫୋର୍ସର ସୁରକ୍ଷାରେ ସେମାନେ ଗନ୍ତବ୍ୟସ୍ଥଳକୁ ବାହାରି ଯାଇଛନ୍ତି।

ଏବେ ବାଘୁଣୀ ‘ସୁନ୍ଦରୀ’ କୁମୁରି ଅଞ୍ଚଳରେ ବୁଲାବୁଲି କରୁଥିବା ଜଣାପଡ଼ିଛି। ଆଜି ସକାଳେ ‘ସୁନ୍ଦରୀ’ ଗୋଟାଏ ବୁଲା କୁକୁର ମାରିଛି ବୋଲି ସେ ଅଞ୍ଚଳର କିଛି ଲୋକ କହୁଛନ୍ତି।

ହାତୀବାରି ଠାରେ ଜଣେ ମହିଳାଙ୍କୁ ମାରିଥିବା ଅଭିଯୋଗ ପରେ ପୂର୍ବରୁ ବାଘୁଣୀ ‘ସୁନ୍ଦରୀ’କୁ ଟ୍ରାଙ୍କ୍ୟୁଲାଇଜ୍‌ କରିବାକୁ ଡେରାଡୁନ୍‌ ଆସିଥିବା ଟିମ୍‌ ବିଫଳ ହୋଇ ଫେରିଥିଲେ। ଉଗ୍ର ବାଘକୁ ଟ୍ରାଙ୍କ୍ୟୁଲାଇଜ୍‌ର୍‌ ମାରିବାକୁ ପୋଷା ହାତୀ ଦରକାର ହୋଇଥାଏ। କାରଣ ହାତୀ ପିଠିରେ ବସି ଅପେକ୍ଷାକୃତ ସହଜରେ ଟ୍ରାଙ୍କ୍ୟୁଲାଇଜର୍‌ ମାରି ହୁଏ। କିନ୍ତୁ, ସେମାନଙ୍କୁ ପୋଷା ହାତୀ ଯୋଗାଇ ଦେବାକୁ ଶିମିଳିପାଳ ଅଭୟାରଣ୍ୟ ସମର୍ଥ ହୋଇ ନ ଥିଲା।

ଆଜି ଯାଇଥିବା ଟିମ୍‌ ପାଖରେ ମଧ୍ୟ ପୋଷା ହାତୀ ନ ଥିବାରୁ ସେମାନଙ୍କ ସଫଳତା ଉପରେ ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରୁଛନ୍ତି।

ସମ୍ବନ୍ଧିତ ଖବର