ସାତକୋଶିଆ ଅଭୟାରଣ୍ୟରୁ ବାନ୍ଧବଗଡ଼କୁ ଫେରିଯିବ ବାଘୁଣୀ ‘ସୁନ୍ଦରୀ’

ଭୁବନେଶ୍ୱର : ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ମହାବଳ ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ ଅଣାଯାଇଥିବା ବାଘୁଣୀ ‘ସୁନ୍ଦରୀ’ ପାଇଁ ବିପଦ ଘନେଇବାରେ ଲାଗିଛି। ଗତକାଲି ସାତକୋଶିଆ ଅଭୟାରଣ୍ୟର ହାତୀବାରି ଗାଁରେ ବାଘୁଣୀ ‘ସୁନ୍ଦରୀ’ ମଣିଷ ମାରିବା ପରେ ଏପରି ଆଶଙ୍କା ଦେଖାଦେଇଛି। ଏଠାରୁ ବାଘୁଣୀ ‘ସୁନ୍ଦରୀ’କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ମଧ୍ୟପ୍ରଦେଶରୁ ଆସୁଛନ୍ତି ବିଶେଷଜ୍ଞ ଦଳ। ଆସନ୍ତା ୧୫ତାରିଖ ସୁଦ୍ଧା ବାଘୁଣୀକୁ ସ୍ଥାନାନ୍ତର କରାଯିବ ବୋଲି ସାତକୋଶିଆ ଡିଏଫ୍‌ଓ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ସାତକୋଶିଆ ଅଭୟାରଣ୍ୟରେ ବାଘବଂଶ ବୃଦ୍ଧି ପାଇଁ ପ୍ରଥମ ପର୍ଯ୍ୟାୟରେ ଦୁଇଟି ବାଘକୁ ଛଡାଯାଇଥିଲା। ଆଉ ୬ଟି ବାଘକୁ ସାତକୋଶିଆ ଅଭୟାରଣ୍ୟକୁ ଆଣିବାକୁ ସରକାର ଯୋଜନା କରୁଥିବା ବେଳେ ବାଘୁଣୀ ‘ସୁନ୍ଦରୀ’ ମଣିଷ ଶିକାର କରିବା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଗତକାଲି ଟିକରପଡା ରେଞ୍ଜ୍‌ ଅଫିସ ଓ ବିଟ୍‌ ହାଉସକୁ ପୋଡିଦେବା ସହ ବନ କର୍ମଚାରୀଙ୍କୁ ମାଡ଼ ମାରିଛନ୍ତି। ଏଥିସହିତ ରାସ୍ତା ଅବରୋଧ କରିବା ସହ ଆନ୍ଦୋଳନ ଚଳାଇଛନ୍ତି। ଉକ୍ତ ଅଞ୍ଚଳରେ ଉତ୍ତେଜନା ଲାଗିରହିଥିବାରୁ ଭୟରେ ବନକର୍ମଚାରୀମାନେ ସାତକୋଶିଆ ଅଭୟାରଣ୍ୟକୁ ଆସିବାକୁ ସାହସ କରିପାରୁ ନାହାନ୍ତି।

ସମ୍ବନ୍ଧିତ ଖବର