ଏ ମାସରେ ଫେରିବ ‘ସୁନ୍ଦରୀ’, ମଧ୍ୟପ୍ରଦେଶ ସରକାରଙ୍କୁ ଚିଠି ଲେଖିଲା ଓଡ଼ିଶା

ହାତୀ-ମଣିଷ ଲଢ଼େଇ ରୋକିବାକୁ ବନ କର୍ମଚାରୀଙ୍କୁ ପ୍ରଶିକ୍ଷଣ, ପଶ୍ଚିମବଙ୍ଗରୁ ଆସିବ ସ୍ୱତନ୍ତ୍ର ଗାଡ଼ି

ଭୁବନେଶ୍ବର : ଚଳିତ ମାସରେ ମଧ୍ୟପ୍ରଦେଶ ଫେରିଯିବ ବାନ୍ଧବଗଡ଼ର ବାଘୁଣୀ ‘ସୁନ୍ଦରୀ’। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷ(ଏନ୍‌ଟିସିଏ) ପକ୍ଷରୁ ଚିଠି ପାଇବା ପରେ ‘ସୁନ୍ଦରୀ’କୁ ଫେରେଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ମଧ୍ୟପ୍ରଦେଶ ସରକାରଙ୍କୁ ଚିଠି ଲେଖାଯାଇଛି। ଯେତେଶୀଘ୍ର ସମ୍ଭବ ‘ସୁନ୍ଦରୀ’କୁ ଫେରାଇ ନେବାକୁ ଅନୁରୋଧ କରାଯାଇଛି। ‘ସୁନ୍ଦରୀ’ ପ୍ରତ୍ୟାବର୍ତ୍ତନ ସହ ବନ୍ଦ ହେବାକୁ ଯାଉଛି ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପ। ସତରେ କ’ଣ ଓଡ଼ିଶାରେ ବାଘ ସୁରକ୍ଷିତ ନୁହଁନ୍ତି? ସେମାନଙ୍କୁ ସୁରକ୍ଷା ଦେବାରେ ସରକାର କାହିଁକି ବିଫଳ ହେଉଛନ୍ତି? ସରକାରଙ୍କ ପଞ୍ଝାଠାରୁ କ’ଣ ଶିକାରୀଙ୍କ ପଞ୍ଝା ବହୁତ ଲମ୍ବା? ଦେଢ଼ ବର୍ଷ ଭିତରେ ପ୍ରକଳ୍ପର ବିଫଳତାକୁ ନେଇ ଏବେ ଏଭଳି ଅନେକ ପ୍ରଶ୍ନବାଚ୍ଚୀ ସୃଷ୍ଟି ହୋଇଛି।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ କହିଛନ୍ତି ଯେ ଏନ୍‌ଟିସିଏ ପକ୍ଷରୁ ଚିଠି ମିଳିବା ପରେ ବିଭାଗ ପକ୍ଷରୁ ବ୍ୟାପକ ତର୍ଜମା କରାଯାଇ ‘ସୁନ୍ଦରୀ’କୁ ଫେରାଇ ଦେବାକୁ ଆମେ ନିଷ୍ପତ୍ତି ନେଇଛୁ। ଏନେଇ ମଧ୍ୟପ୍ରଦେଶ ସରକାରଙ୍କୁ ଚିଠି ଲେଖିଛୁ। ତେବେ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳି ନାହିଁ। ଚଳିତ ମାସ ସୁଦ୍ଧା ସେମାନେ ବିଶେଷଜ୍ଞ ଟିମ୍‌ ପଠାଇ ସୁନ୍ଦରୀକୁ ଫେରାଇ ନେବାର ସମ୍ଭାବନା ରହିଛି। ପାଖାପାଖି ୧୩ ମାସ ହେଲା ରାଇଗୁଡ଼ା ଏନକ୍ଲୋଜରରେ ବନ୍ଦୀ ଜୀବନ କାଟୁଥିବା ‘ସୁନ୍ଦରୀ’କୁ ସିଧାସଳଖ କାହ୍ନା ଅଭୟାରଣ୍ୟର ଘୋରେଲା କେନ୍ଦ୍ରକୁ ନିଆଯିବ। ସେଠାରେ ତାହାର ଜଙ୍ଗଲୀ ପ୍ରବୃତ୍ତି ଫେରେଇ ଆଣିବାକୁ ଚେଷ୍ଟା କରାଯିବ।

ସୂଚନା ଅନୁଯାୟୀ ଏନ୍‌ଟିସିଏ ପକ୍ଷରୁ ଗତ ମାସ ୧୮ ତାରିଖରେ ମୁଖ୍ୟ ଶାସନ ସଚିବଙ୍କୁ ଲେଖାଯାଇଥିବା ଚିଠିରେ ରାଜ୍ୟ ସରକାରଙ୍କ ବାଘ ସୁରକ୍ଷା ପାଇଁ ଆନ୍ତରିକତା ନ ଥିବା ସ୍ପଷ୍ଟ କରାଯାଇଥିଲା। ଏତେ ବଡ଼ ପ୍ରକଳ୍ପକୁ ରାଜ୍ୟ ସରକାର ଅଣାଦେଖା କରିଥିଲେ ଏବଂ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) ବି ପାଳନ କରାଯାଇ ନଥିଲା। ଏନେଇ ରାଜ୍ୟ ଜଙ୍ଗଲ ବିଭାଗକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ବିହିତ ପଦକ୍ଷେପ ନିଆଗଲା ନାହିଁ। ପରିମାଣ ସ୍ବରୂପ ଗୋଟିଏ ବାଘର ମୃତ୍ୟୁ ହେଲା। ଆଉ ବାଘୁଣୀ ‘ସୁନ୍ଦରୀ’ ଦେଢ଼ ବର୍ଷ ହେଲା ବନ୍ଦୀ ଜୀବନ କାଟୁଛି। ଇତି ମଧ୍ୟରେ ତାହାର ଜଙ୍ଗଲୀ ପ୍ରବୃତ୍ତି ନଷ୍ଟ ହେବାରେ ଲାଗିଛି। ତେଣୁ ଫେରାଇ ଦେବାକୁ ଚିଠିରେ ଉଲ୍ଲେଖ ହୋଇଥିଲା। ଏନ୍‌ଟିସିଏ ଏଭଳି ଭାବେ ତାତ୍ସଲ୍ୟ କରିବା ପରେ ପ୍ରକଳ୍ପ ଆଗକୁ ନେବାକୁ ବନ ବିଭାଗ ଆଉ ରିକ୍ସ ନେବାକୁ ଚାହିଁ ନାହିଁ। ଅଧିକାରୀମାନେ ବ୍ୟାପକ ଆଲୋଚନା କରିବା ପରେ ସୁନ୍ଦରୀକୁ ଫେରାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏନ୍‌ଟିସିଏ କର୍ତୃପକ୍ଷ ଯେବେ ଚାହିଁବେ ସୁନ୍ଦରୀକୁ ଫେରାଇ ନେବେ।

ଅନ୍ୟପକ୍ଷରେ ହାତୀ-ମଣିଷ ମଧ୍ୟରେ ସୃଷ୍ଟି ହେଉଥିବା ଲଢ଼େଇକୁ ନେଇ ବନ ବିଭାଗ ଚିନ୍ତା ପ୍ରକଟ କରିଛି। ଏହାକୁ କିଭଳି ରୋକାଯାଇପାରିବ ସେଥିପାଇଁ ଓଡିଶା ବନ ବିଭାଗ କର୍ମଚାରୀମାନେ ପଶ୍ଚିମବଙ୍ଗରେ ପ୍ରଶିକ୍ଷଣ ନେବେ। ଚଳିତ ମାସରେ କର୍ମଚାରୀମାନେ ପଶ୍ଚିମବଙ୍ଗ ଯିବା ସହ ସେଠାରେ ହାତୀ ମଣିଷ ବିବାଦ ସମାଧାନ ପାଇଁ ଆପଣା ଯାଇଥିବା ପନ୍ଥା ସମ୍ପର୍କରେ ଅନୁଧ୍ୟାନ କରିବେ। ହାତୀ ଉପଦ୍ରବ ସମୟରେ ଏହାର ମୁକାବିଲା ପାଇଁ ଏକ ସ୍ଵତନ୍ତ୍ର ଗାଡି ମଧ୍ୟ ପଶ୍ଚିମବଙ୍ଗରୁ ଅଣାଯିବ। ପୂର୍ବରୁ ଆସିଥିବା ଗାଡି ଚଳାଚଳରେ ଅସୁବିଧା ହେବାରୁ ନୂଆ ଗାଡ଼ି ଅଣାଯିବ ବୋଲି ଶ୍ରୀ ଉପାଧ୍ୟାୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର