ଭୁବନେଶ୍ୱର : ଗୋଟିଏ ମାସ ମଧ୍ୟରେ ‘ସୁନ୍ଦରୀ’ର କାର୍ଯ୍ୟକଳାପରେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବନ ବିଭାଗ ଶେଷରେ ଜଙ୍ଗଲରୁ ବାଘୁଣୀକୁ ଫେରାଇ ଆଣିବାକୁ ଯୋଜନା ପ୍ରସ୍ତୁତ କରିଛି। ଆସନ୍ତା ୧୫ ତାରିଖ ସୁଦ୍ଧା ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରାଯାଇ ପୁଣିଥରେ ବାନ୍ଧବଗଡ଼ ଜଙ୍ଗଲକୁ ଫେରାଇ ନିଆଯିବ। ଏଥିପାଇଁ ବାନ୍ଧବଗଡ଼ ଓ ଡେରାଡୁନ୍ରୁ ଦୁଇଟି ଟିମ୍ ଆସିବ ବୋଲି ଅନୁଗୁଳ ଏସ୍ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବନ ବିଭାଗର ଏଭଳି ନିଷ୍ପତ୍ତି ପରେ ‘ସାତକୋଶିଆ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପ’କୁ ନେଇ ଉଠିଛି ଅନେକ ପ୍ରଶ୍ନ। ଏହି ଘଟଣା ପରେ ପ୍ରକଳ୍ପ ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଯଦି ବାଘୁଣୀକୁ ପୁଣିଥରେ ମଧ୍ୟପ୍ରଦେଶର ବାନ୍ଧବଗଡ଼କୁ ଫେରାଇ ନିଆଯାଏ ତେବେ ପରବର୍ତୀ ପର୍ଯ୍ୟାୟରେ ଆସିବାକୁ ଥିବା ଦୁଇ ଯୋଡ଼ା ବାଘ ପଠାଇବା ଦିଗରେ ସହମତି ମଳିବ ତ? ସେଠାକାର ଲୋକେ ଏଥିରେ ରାଜି ହେବେ ତ? ବିକଳ୍ପ ବ୍ୟବସ୍ଥା ଗ୍ରହଣ ନକରି ମଧ୍ୟପ୍ରଦେଶକୁ ଫେରାଇଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ବିଶେଷଜ୍ଞମାନେ ପ୍ରଶ୍ନ କରିଛନ୍ତି।
ପୂର୍ବତନ ପିସିସିଏଫ୍ ବିଜୟକେତନ ପଟ୍ଟନାୟକଙ୍କ ମତରେ ଯଦି ବାଘୁଣୀକୁ ଫେରାଇ ଦିଆଯିବ ତେବେ ତାହାର ପ୍ରଭାବରେ ପରବର୍ତୀ ସ୍ଥାନାନ୍ତର ଉପରେ ନିଶ୍ଚିନ୍ତ ପଡ଼ିବ। ସେମାନେ ଆଉ ବାଘ ଦେବେ ବୋଲି କହି ହେବ ନାହିଁ। ଯେଉଁ ବାଘ ଓ ବାଘୁଣୀକୁ ଅଣାଯାଇଥିଲା ସେମାନଙ୍କୁ ଅଲଗା ଏନ୍କ୍ଲୋଜରରେ ରଖାଗଲା। ଫଳରେ ପରସ୍ପର ସଂସ୍ପର୍ଶରେ ଆସିଲେ ନାହିଁ। ସମ୍ପର୍କର୍ ସୃଷ୍ଟି ହେଲା ନାହିଁ। ଗୋଟିଏ ଏନ୍କ୍ଲୋଜରରେ ରଖାଯାଇ ସେମାନଙ୍କ ମଧ୍ୟରେ ସମ୍ପର୍କ ବଢ଼ାଯାଇଥିଲେ ଭଲ ହୋଇଥାନ୍ତା। ‘କାହ୍ନା’ ଅଭୟାରଣ୍ୟରୁ ଆସିଥିବା ବାଘଟି ଏବେ ଅନ୍ୟ ବାଘୁଣୀଙ୍କ ସହ ମିଶିଯାଇ ଥିବାରୁ ‘ସୁନ୍ଦରୀ’କୁ ତାଙ୍କ ଭିତରେ ପୂରାଇ ଦେଉନାହାନ୍ତି। ତେଣୁ ତାହାର ନିସଙ୍ଗତା ଯୋଗୁଁ ଉଗ୍ର ହୋଇଥାଇପାରେ। ଏବେ ବିକଳ୍ପ ହେଉଛି ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରାଯାଇ ମାସେ କିମ୍ବା ଦୁଇ ମାସ ଏନ୍କ୍ଲୋଜରରେ ରଖାଯାଇ ଅନୁଧ୍ୟାନ କରାଯାଉ। ଓଡ଼ିଶା ପରିବେଶ ସମିତି ସମ୍ପାଦକ ଜୟକୃଷ୍ଣ ପାଣିଗ୍ରାହୀଙ୍କ ମତରେ ଯେଉଁ ଜାଗାରେ ବାଘୁଣୀକୁ ଛଡ଼ାଯାଇଥିଲା ସେଠାରେ ସେ ନିଜକୁ ନିସଙ୍ଗ ଅନୁଭବ କରୁଛି। ଏପର୍ଯ୍ୟନ୍ତ ପୁରୁଷ ବାଘଙ୍କ ସମ୍ପର୍କରେ ଆସିପାରି ନାହିଁ। ସମ୍ପର୍କ ବଢ଼ିନି। ତେଣୁ ବାଘୁଣୀଟି ଉଗ୍ର ଓ ବ୍ୟଗ୍ର ହୋଇ ଜନବସତି ଆଡ଼କୁ ମାଡ଼ିଆସୁଛି। ଏହାର ବିକଳ୍ପ ହେଉଛି ବାଘୁଣୀକୁ ଟ୍ରାଙ୍କୁଲାଇଜ କରାଯାଇ ସାତକୋଶିଆର କୋର ଅଞ୍ଚଳରେ ଛଡ଼ାଯାଉ। ନ ହେଲେ ତାକୁ ଅନ୍ୟ ଜଙ୍ଗଲରେ ଛଡ଼ାଯାଉ। ହୁଏତ ଏ ବାଘୁଣୀଟି ବାଟବଣା ହୋଇଛି। ଧରାଯିବା ପରେ ସେ କେବଳ ମଣିଷକୁ ଦେଖିଛି। ସମଗ୍ର ପ୍ରକ୍ରିୟାକୁ ଦେଖି ତାହା ମଧ୍ୟରେ ମଣିଷ ପ୍ରତି କ୍ରୋଧ ସୃଷ୍ଟି ହୋଇଥିବାରୁ ମଣିଷକୁ ଆକ୍ରମଣ କରୁଥାଇପାରେ। ୨୦୧୪ରେ କର୍ଣ୍ଣାଟକରେ ମଧ୍ୟ ଏଭଳି ଘଟଣା ହୋଇଥିଲା।
ଜଙ୍ଗଲ ଓ ପରିବେଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବାହାରୁ ଦୁଇଟି ଟିମ୍ ଆସିବା ପରେ ସେମାନେ ବାଘୁଣୀର ଗତିବିଧିର ତଦାରଖ କରିବେ। ଅନ୍ୟ ବାଘ ସହ ସମ୍ପର୍କ ସୃଷ୍ଟି କରିବା ଦିଗରେ ପଦକ୍ଷେପ ନିଆଯାଇପାରେ। ଦରକାର ପଡ଼ିଲେ ନନ୍ଦନକାନନର ସହଯୋଗ ବି ନିଆଯିବ।