‘ସୁନ୍ଦରୀ’ ବନ୍ଦୀ : ମଇଁଷି ଥୋପରେ ଫଶିଲା, ଏନ୍‌କ୍ଲୋଜରକୁ ବାହୁଡ଼ିଲା

ଫେରିଗଲେ ମଧ୍ୟପ୍ରଦେଶ ଟିମ୍, ଓଡ଼ିଶା ବିଶେଷଜ୍ଞ ସଫଳ, ବନବାସୀ ଖୁସ୍, ଏବେ ବାଘୁଣୀ ଭବିଷ୍ୟତ କ’ଣ?

ଅନୁଗୁଳ/ବନ୍ତଳା : ଦୀର୍ଘ ୧୫ଦିନର ଲୁଚକାଳି ଖେଳ ପରେ ଶେଷରେ ଆଜି କାବୁ ହୋଇଛି ରକ୍ତମୁଖା ବାଘୁଣୀ ‘ସୁନ୍ଦରୀ’। ସାତକୋଶିଆ ଡାକ୍ତର କିଶୋର ସାହୁଙ୍କ ବାଘୁଣୀ ନିଶାନା ବେଶ୍‌ ଫଳପ୍ରଦ ହୋଇଛି। ଟିକରପଡ଼ା ରେଞ୍ଜ୍‌ ମଝିପଡ଼ା-ବେହେରା ସାହି ଗାଁ ଶିବ ମନ୍ଦିର ନିକଟରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରିବା ପରେ ଯନ୍ତାରେ ଭର୍ତ୍ତି କରି ରାଇଗୁଡ଼ାସ୍ଥିତ ଏନ୍‌କ୍ଲୋଜରରେ ଛଡ଼ା ଯାଇଛି। ବାନ୍ଧବଗଡ଼ରୁ ବାଘୁଣୀ ଆସିବା ପରେ ଏହି ତାରବାଡ଼ଘେରା ଏନ୍‌କ୍ଲୋଜର ଚାରି କାନ୍ଥରେ ୫୦ ଦିନ କାଳ ବନ୍ଦୀ ଜୀବନ କାଟିଥିଲା। ତା’ ପରେ ଜଙ୍ଗଲକୁ ମୁକୁଳିଥିଲା। କିନ୍ତୁ ଦୁର୍ଭାଗ୍ୟକୁ ଆଜି ଠିକ୍‌ ୫୦ଦିନ ପରେ ପୁଣି ସେହି ଏନ୍‌କ୍ଲୋଜରର ଚାରି କାନ୍ଥକୁ ବାଘୁଣୀ ଫେରିଛି। ମିସନ ‘ସୁନ୍ଦରୀ’ ଗୋଟିଏ ପଟେ ସାତକୋଶିଆ ବନବାସୀଙ୍କୁ ଆଶ୍ବସ୍ତ କରିଥିବା ବେଳେ ଅନ୍ୟପଟେ ବାଘୁଣୀର ଭବିଷ୍ୟତ କ’ଣ ହେବ ସେ ନେଇ ନାନା ପ୍ରଶ୍ନ ଉଠିଛି।

ଉଲ୍ଲେଖଯୋଗ୍ୟ, ଜୁନ୍‌ ୨୧ ତାରିଖରେ କାହ୍ନା ଅଭୟାରଣ୍ୟରୁ ଯୁବ ମହାବଳ ସାତକୋଶିଆ ଆସିଥିଲା। ମହାବଳ ବ˚ଶବୃଦ୍ଧିରେ ତା’ର ସାଥ୍‌ ଦେବା ପାଇଁ ବାନ୍ଧବଗଡ଼ରୁ ଆସିଥିଲା ବାନ୍ଧବୀ ‘ସୁନ୍ଦରୀ’। ମାତ୍ର ୧୫ ଦିନ ପରେ ଯୁବ ମହାବଳ ସିନା ଏନ୍‌କ୍ଲୋଜରରୁ ମୁକୁଳିଲା, କିନ୍ତୁ ବାଘୁଣୀ ତାରବାଡ଼ଘେରାରେ ବନ୍ଦୀ ହୋଇ ଦୀର୍ଘ ୫୦ ଦିନ କାଳ ରହିଗଲା। ଦୀର୍ଘ ଦିନ ଧରି ବାଘୁଣୀକୁ ଏହିପରି ବନ୍ଦୀ କରି ରଖିବା ଘଟଣା ସେତେବେଳେ ସନ୍ଦେହ ସୃଷ୍ଟି କରିଥିଲା। ବାଘୁଣୀ ପୋଷା ବନିଯିବ କି ବୋଲି ବିଶେଷଜ୍ଞମାନେ ପ୍ରଶ୍ନ କରିଥିଲେ। ବିଳମ୍ବରେ ହେଲେ ବି ଅଗଷ୍ଟ ୧୭ ତାରିଖରେ ବନ ବିଭାଗ ବିନା ପ୍ରସ୍ତୁତିରେ ବାଘୁଣୀକୁ ଏନ୍‌କ୍ଲୋଜରରୁ ମୁକୁଳାଇଥିଲା। ତା’ ପରଠାରୁ ଆରମ୍ଭ ହୋଇଥିଲା ‘ସୁନ୍ଦରୀ’ର ଉନ୍ମତ୍ତକାଣ୍ତ। ଯାହା ସନ୍ଦେହ କରାଯାଉଥିଲା ସେୟା ହିଁ ହେଲା। ସାତକୋଶିଆର ବିରାଟ ଘଞ୍ଚ ଜଙ୍ଗଲ ଏବ˚ ଭରପୂର ତୃଣଭୋଜି ଶିକାର ଥାଉ ଥାଉ ବାଘୁଣୀ ଜଙ୍ଗଲକୁ ଗଲା ନାହିଁ, ବର˚ ଗାଁମୁହାଁ ହୋଇ ଆତଙ୍କ ଖେଳାଇଲା। ହାତୀବାରିର ମହିଳା କୈଳାସୀ ସାଏ ଏବ˚ ଟାଇଁସିର ଚାଷୀ ତ୍ରିନାଥ ସାହୁଙ୍କୁ ଘୋଷାଡ଼ି ଜୀବନ ନେଲା। ଅନେକ ଗାଈ, ବଳଦଙ୍କୁ ମଧୢ ଶିକାର କଲା। ବାଘୁଣୀର ଏତାଦୃଶ୍ୟ ଚାଲିଚଳନ ସାତକୋଶିଆ ବନବାସୀଙ୍କୁ କେବଳ କ୍ଷୁବ୍ଧ କଲା ନାହିଁ, ବର˚ ଟିକରପଡ଼ାର ଲଙ୍କାକାଣ୍ତଠାରୁ ଆରମ୍ଭ କରି ଜାତୀୟ ରାଜପଥରେ ପୁଲିସ ସହିତ ଲୋକଙ୍କ ଖଣ୍ତଯୁଦ୍ଧ କେବଳ ସୁନ୍ଦରୀକାଣ୍ତରୁ ହିଁ ସୂତ୍ରପାତ ହୋଇଥିଲା। ମାତ୍ର ୫୦ଦିନର ଜଙ୍ଗଲ ଭ୍ରମଣ ମଧୢରେ ବାଘୁଣୀ ଶହେ ଖଣ୍ତ ଗାଁକୁ ଥରହର କରାଇଥିଲା। ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା।

ଟାଇଁସି ଚାଷୀମୃତ୍ୟୁ ଘଟଣା ପରେ ବାଘୁଣୀକୁ କାବୁ କରିବା ପାଇଁ ସରକାର ଘୋଷଣା କରିଥିଲେ। ଟ୍ରାଙ୍କୁଲାଇଜ୍‌ ପାଇଁ ଶିମିଳିପାଳ, ଓୟୁଏଟି, ନନ୍ଦନକାନନ, କାହ୍ନା, ପେଞ୍ଚ ଏବ˚ ଡବ୍ଲ୍ୟୁଆଇଆଇର ବିଶେଷଜ୍ଞମାନେ ଗତମାସ ୨୩ ତାରିଖରୁ ଲାଗି ପଡ଼ିଥିଲେ। କିନ୍ତୁ ଜଙ୍ଗଲରେ ସୁନ୍ଦରୀ ଅଭିଯାନ ଥରକୁ ଥର ବିଫଳ ହୋଇଥିଲା। ପୋଷାହାତୀ ନ ଆଣିଲେ ନ ଚଳେ ଭଳି ପରସ୍ଥିତି ଉପୁଜିବାରୁ ଚଳିତ ମାସ ୨ ତାରିଖରେ ଚନ୍ଦକାରୁ ଆସିଥିଲା କୁମ୍‌କି ହାତୀ ଯଶୋଦା। ୪ ତାରିଖରୁ ଅପରେସନ୍‌ ‘ସୁନ୍ଦରୀ’ରେ ଯଶୋଦା ବି ସାମିଲ ହୋଇଥିଲା। ତିନି ଦିନ ଧରି ଯଶୋଦା ଓ ସୁନ୍ଦରୀ ବାରମ୍ବାର ମୁହାଁମୁହିଁ ହୋଇଥିଲେ। ଥରକୁ ଥର ଟ୍ରାଙ୍କୁଲାଇଜ୍‌ ଡାର୍ଟ କ୍ଷେପଣ କରି ବିଶେଷଜ୍ଞ ଦଳ ବିଫଳ ହୋଇଥିଲେ। ସପ୍ତାହେ କାଳ କସରତ ପରେ ଗତକାଲି କାହ୍ନା ଓ ପେଞ୍ଚରୁ ଆସିଥିବା ମଧୢପ୍ରଦେଶ ବିଶେଷଜ୍ଞମାନେ ଫେରି ଯାଇଥିଲେ। ସାତକୋଶିଆର ପ୍ରାଣୀ ଚିକିତ୍ସକ ଡାକ୍ତର କିଶୋର ସାହୁ, ନନ୍ଦନକାନନର ଡାକ୍ତର ଶରତ କୁମାର ସାହୁ ବାଘୁଣୀ ଧରା ଉଦ୍ୟମରେ ଲାଗି ପଡ଼ିଥିଲେ।

ଗତକାଲିଠାରୁ ବାଘୁଣୀ ମଝିପଡ଼ାରେ ଭୋକିଲା ଅବସ୍ଥାରେ ଥିଲା। ତେଣୁ ସୁଯୋଗ ଉଣ୍ତି ବାଘୁଣୀ ପାଇଁ ମଝିପଡ଼ାରେ ମଇଁଷି ଥୋପ ଦିଆଯାଇଥିଲା। ଗତକାଲି ମଇଁଷି ଶିକାର କରିଥିଲା ବାଘୁଣୀ। ପେଟ ପୂରା ଖାଇ ଶିକାର ପାଖରେ ଜଗିଥିଲା। ମଝିପଡ଼ା ଇଲାକାରେ ଘୂରି ବୁଲୁଥିଲା। ଏହି ମୌକାରେ ବାଘୁଣୀକୁ କାବୁ କରିବା ପାଇଁ ଯଶୋଦାକୁ ଆଜି ସକାଳେ ସେହି ଅଞ୍ଚଳକୁ ନିଆଯାଇଥିଲା। କିନ୍ତୁ ବାଉଁଶ ବୁଦା ପାଇଁ ଅମଙ୍ଗ ହୋଇଥିଲା ଯଶୋଦା। ତେଣୁ ଆଗରେ ଗାଡ଼ି ଗଲା ପରେ ପଛରେ ହାତୀ ଯାଇଥିଲା। ସକାଳୁ ହାତୀ ଓ ଗାଡ଼ି ସହାୟତାରେ ବାଘୁଣୀ ଆଡ଼କୁ ନିଶ୍ଚେତକ ଟାର୍ଗେଟ୍‌ କରିଥିଲେ ଡାକ୍ତର ସାହୁ। ଦିନ ପ୍ରାୟ ୧୦.୪୫ରେ ବାଘୁଣୀ ଆଡ଼କୁ ଡାର୍ଟ ନିକ୍ଷେପ କରି ସଫଳ ହୋଇଥିଲେ। ବାଘୁଣୀ ପଛ ପାଖ ଜଙ୍ଘରେ ଡାର୍ଟ ବାଜିବା ପରେ ବାଘୁଣୀ ନିଶ୍ଚେତ ହୋଇଥିଲା। ପ୍ରାୟ ଅଧ ଘଣ୍ଟା ଭିତରେ ବାଘୁଣୀର ସ୍ବାସ୍ଥ୍ୟ ପରୀକ୍ଷା, ଅନ୍ୟାନ ମାପଚୁପ କରି ତାକୁ ଯନ୍ତାରେ ତୁରନ୍ତ ଭର୍ତ୍ତି କରିବା ପରେ ପୁଣି ଔଷଧ ଦେଇ ଚେତା ଫେରାଇ ଅଣାଯାଇଥିଲା। ସ୍ବତନ୍ତ୍ର ଗାଡ଼ିରେ ପୁରୁଣାକୋଟ୍‌ ଥାନା ପୁଲିସ ସୁରକ୍ଷାରେ ବାଘୁଣୀକୁ ମଝିପଡ଼ା, ପୁରୁଣାକୋଟ୍‌, ଟୁଲୁକା ଜଙ୍ଗଲ ଦେଇ ରାଇଗୁଡ଼ା ଏନ୍‌କ୍ଲୋଜରକୁ ଛଡ଼ାଯାଇଛି। ବାଟରେ ଯନ୍ତା ଭିତରେ ବାଘୁଣୀ ବାନ୍ତି କରିଥିବା ସୂଚନା ମିଳିଛି। ପୂର୍ବ ଅପେକ୍ଷା ତା’ର ଓଜନ ବୃଦ୍ଧି ହୋଇଥିବା ଜଣାପଡ଼ିଛି। ଅପରାହ୍‌ଣ ପ୍ରାୟ ସାଢେ଼ ୪ଟାରେ ଯନ୍ତା ଖୋଲି ଦେବାରୁ ବାଘୁଣୀ ଏନ୍‌କ୍ଲୋଜରକୁ ଡିଆଁ ମାରିଛି। ପୂର୍ବରୁ ଯେଉଁ ଏନ୍‌କ୍ଲୋଜରରେ ବାଘୁଣୀ ରହିଥିଲା, ବର୍ତ୍ତମାନ ସେହି ଜାଗାକୁ ଫେରି ଯାଇଛି। ବର୍ତ୍ତମାନ ବାଘୁଣୀ ସୁସ୍ଥ ଅଛି ବୋଲି ଅତିରିକ୍ତ ପିସିସିଏଫ୍‌ ତଥା ସାତକୋଶିଆ କ୍ଷେତ୍ର ନିର୍ଦେଶକ ଡ. ସୁଦର୍ଶନ ପଣ୍ତା ‘ସମ୍ବାଦ’କୁ କହିଛନ୍ତି। ଯେହେତୁ ବାଘୁଣୀ ଗତକାଲି ଶିକାର କରିଛି, ତେଣୁ ବର୍ତ୍ତମାନ ଦୁଇ ଦିନ ପର୍ଯ୍ୟନ୍ତ ତା’ର ଖାଦ୍ୟର ଆବଶ୍ୟକତା ନାହିଁ ବୋଲି ଡ. ପଣ୍ତା କହିଛନ୍ତି। ବାଘୁଣୀ ବନ୍ଦୀ ପରେ ସାତକୋଶିଆ ବନବାସୀ ଖୁସି ହୋଇଥିବା ବେଳେ ଏନ୍‌କ୍ଲୋଜରରୁ ବାଘୁଣୀର ଭବିଷ୍ୟତ କ’ଣ ହେବ ତା ଉପରେ ପ୍ରଶ୍ନ ଉଠିଛି। ଜଙ୍ଗଲ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ମୁତାବକ ସୁନ୍ଦରୀକୁ ନନ୍ଦନକାନନକୁ ପଠାଯିବ, ନା ଏନ୍‌କ୍ଲୋଜରରେ ତା’ର ପରିବର୍ତ୍ତନ ପରେ ପୁଣି ସାତକୋଶିଆ ଜଙ୍ଗଲରେ ଛଡ଼ାଯିବ? ବାଘୁଣୀ ପୁଣି ଜଙ୍ଗଲକୁ ଫେରିଲେ ସେମିତି ଉଗ୍ରରୂପ ଦେଖାଇବ ନି ତ? ସେନେଇ ସନ୍ଦେହ ଉପୁଜିଛି। ଆଜିର ବାଘୁଣୀ ଧରା ଅଭିଯାନରେ ସାତକୋଶିଆ ଡିଏଫ୍ଓ ରାମା ସ୍ବାମୀ ପି., ଏସିଏଫ୍ ଏସ୍.ପି. ବେହେରା, ରାଜକିଶୋର ସ୍ବାଇଁ, ଏସ୍‌. କେ. ପଣ୍ଡା, ଟିକରପଡ଼ା ରେଞ୍ଜର ଜୟନ୍ତ ପଟ୍ଟନାୟକଙ୍କ ସମେତ ବହୁ କର୍ମଚାରୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର