ଶେଷରେ ଟ୍ରାଙ୍କୁଲାଇଜ୍‌ ହେଲା ବାଘୁଣୀ ‘ସୁନ୍ଦରୀ’, ଆସିବ ନନ୍ଦନକାନନ

ଅନୁଗୁଳ: ଦୀର୍ଘ ୧୫ ଦିନ ଧରି ବନବିଭାଗକୁ ପାଣି ପିଆଇଥିବା ଜଙ୍ଗଲ ରାଣୀ ‘ସୁନ୍ଦରୀ’ ଶେଷରେ ଧରାପଡ଼ିଛି। ବନବିଭାଗର ବିଶେଷଜ୍ଞଙ୍କ ନିଶ୍ଚେତକ ଗୁଳି(ଡାର୍ଟ)ରେ ଅଚେତ ହୋଇପଡ଼ିଛି ବାଘୁଣୀ ‘ସୁନ୍ଦରୀ’ । ସାତକୋଶିଆର ମଝିପଡ଼ା ଜଙ୍ଗଲରେ ଆଜି ହାତୀ ପିଠିରୁ ବନବିଭାଗର ନିଶ୍ଚେତକମାନେ ବାଘୁଣୀକୁ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଛନ୍ତି। ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରାଯିବା ପରେ ତାକୁ ଯନ୍ତାରେ ପୁରାଇବା ପାଇଁ ଉଦ୍ୟମ ଚାଲିଛି । ତେବେ ଧରାପଡ଼ିଥିବା ଏହି ବାଘୁଣୀକୁ ନନ୍ଦନକାନନକୁ ଅଣାଯିବ ବୋଲି ନୀତିଗତ ନିଷ୍ପତ୍ତି ହୋଇଥିିବା ଜଣାପଡ଼ିଛି।

file photo in satkoshia tiger reserve

ବାଘ ବଂଶ ବୃଦ୍ଧି ଲକ୍ଷ୍ୟରେ ସାତିକୋଶିଆରେ ଛଡ଼ାଯାଇଥିିବା ବାଘୁଣୀ ସୁନ୍ଦରୀ ସାତକୋଶିଆର ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଲୋକଙ୍କୁ ମାରିବା ପରେ ଏ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଓ ଅସନ୍ତୋଷ ବୃଦ୍ଧି ପାଇଥିଲା। ତେଣୁ ‘ସୁନ୍ଦରୀ’କୁ ଧରିବା ପାଇଁ ଗତ ଅକ୍ଟୋବର ମାସରୁ ବନବିଭାଗ ଉଦ୍ୟମ କରିଥିଲେ ମଧ୍ୟ ସବୁଥର ବନବିଭାଗକୁ ଚକ୍‌ମା ଦେଖାଇ ସୁନ୍ଦରୀ ଖସି ଯାଉଥିଲା ଏଥିପାଇଁ ମଧ୍ୟପ୍ରଦେଶରୁ ବିଶେଷଜ୍ଞମାନେ ଆସିଥି.ଲେ ମଧ୍ୟ ସେମାନେ ବି ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରିବାରେ ସଫଳ ହୋଇପାରି ନ ଥିଲେ। ଶେଷରେ କୁମ୍‌କୀ ହାତୀ ଯଶୋଦାକୁ ନେଇ ବାଘୁଣୀକୁ ସାମ୍‌ନା କରିବାକୁ ବାହାରିଥିଲେ ବିଶେଷଜ୍ଞମାନେ।

ଗତ ୫ ଦିନ ମଧ୍ୟରେ ବାଘୁଣୀ ‘ସୁନ୍ଦରୀ’ ଓ ହାତୀ ‘ଯଶୋଦା’ ୪ ଥର ମୁହାମୁହିଁ ହୋଇଥିଲେ ମଧ୍ୟ ତାକୁ ଟ୍ରାଙ୍କୁଲାଇଜ୍‌ କରିବାରେ ବିଶେଷଜ୍ଞମାନେ ସଫଳ ହୋଇ ପାରି ନ ଥିଲେ। ଶେଷରେ ଆଜି ମଝିପଡ଼ା ଜଙ୍ଗଲରେ ବିଶେଷଜ୍ଞମାନେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିଥିବା ଜଣାଯାଇଛି। ଏ ସମ୍ପର୍କରେ ଏସିଏଫ ଶୁଭେନ୍ଦୁ ବେହେରା କହିଛନ୍ତି ଯେ ମହାନଦୀ କୂଳରେ ଥିବା ମଝିପଡ଼ା ଜଙ୍ଗଲରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯାଇଛି । ତାକୁ ରାଏଗୋଡା ଏନକ୍ଲୋଜରକୁ ସ୍ଥାନାନ୍ତର ପାଇଁ ଉଦ୍ୟମ ଚାଲିଛି। ଏଥିପାଇଁ ପମ୍ପାଝର ନିକଟରେ ସାଧାରଣ ଲୋକଙ୍କ ଯା’ଆସ ଉପରେ କଟକଣା ଲଗାଯାଇଛି ବୋଲି ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର