ଆସିଲା ‘ସୁନ୍ଦରୀ’ ରାୟ : ଓଡ଼ିଶାରୁ ଫେରିଯିବ, କାହ୍ନାରେ ରହିବ

ଅନୁଗୁଳ/ବନ୍ତଳା : ବିଳମ୍ବରେ ହେଲେ ବି ସୁନ୍ଦରୀର ଭାଗ୍ୟ ଫିଟିଛି। ଗତ ପ୍ରାୟ ଦୁଇ ବର୍ଷ ହେଲା ଏନ୍‌କ୍ଲୋଜର ଭିତରେ ବନ୍ଦୀ ଜୀବନ ଜିଉଁଥିବା ସାତକୋଶିଆର ଏହି ବାଘୁଣୀକୁ ଜନ୍ମମାଟିକୁ ଫେରାଇ ନେବା ପାଇଁ ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ଜଙ୍ଗଲୀ ହିଂସ୍ର ଜନ୍ତୁକୁ ଏତେଦିନ ଧରି ଏକ ଛୋଟ ଏନକ୍ଲୋଜର ଭିତରେ ଦୀର୍ଘ ଦିନ ପାଇଁ ରଖାଯାଇ ପାରିବ ନାହିଁ। ତେଣୁ, ବାଘୁଣୀକୁ ତତ୍କାଳ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ପ୍ରକଳ୍ପ ସ୍ଥିତ ଘୋରେଲା ରି-ୱାଇଲ୍‌ଡ଼ିଂ ସେଣ୍ଟରକୁ ଫେରାଇ ଆଣିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସୁନ୍ଦରୀର ଘରବାହୁଡ଼ା ପ୍ରକ୍ରିୟା କେବେ ଆରମ୍ଭ ହେବ ତାହା ଉପରେ ସଭିଁଙ୍କ ନଜର ରହିଛି।

ଉଲ୍ଲେଖଯୋଗ୍ୟ, ସାତକୋଶିଆର ସୌନ୍ଦର୍ଯ୍ୟ ଫେରାଇ ଆଣିବା ପାଇଁ ୨୦୧୮ ଜୁନ୍‌ ୨୮ ତାରିଖରେ ସୁନ୍ଦରୀ ମଧ୍ୟପ୍ରଦେଶର ବାନ୍ଧବଗଡ଼ ବ୍ୟାଘ୍ର ପ୍ରକଳ୍ପରୁ ସାତକୋଶିଆକୁ ଆସିଥିଲା। କିନ୍ତୁ, ଶ୍ରୀବୃଦ୍ଧି କରିବ କ’ଣ, ଓଲଟା ସାତକୋଶିଆରେ ଗୋଟିଏ ପରେ ଗୋଟିଏ ମଣିଷମରା କାଣ୍ଡ ଘଟାଇ ମହାବଳ ବଂଶବୃଦ୍ଧି ଯୋଜନାକୁ ସଂପୂର୍ଣ୍ଣ ଭଣ୍ଡୁର କରି ଦେଇଥିଲା। ଯାବତୀୟ ଉଦ୍ୟମ ସତ୍ତ୍ବେ ତାର ହିଂସ୍ର ଆଚରଣରେ ପରିବର୍ତ୍ତନ ନ ଆସିବାରୁ ୨୦୧୮ ନଭେମ୍ବର ୬ ତାରିଖରୁ ରାଇଗୁଡ଼ାର ଏନକ୍ଲୋଜର ଭିତରେ ବନ୍ଦୀ ଜୀବନ କାଟୁଛି ସୁନ୍ଦରୀ।

ଏଭଳି ସ୍ଥିତିରେ ସୁନ୍ଦରୀ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଥିଲା ଏନ୍‌ଟିସିଏ। ମଧ୍ୟପ୍ରଦେଶକୁ ଫେରାଇ ନେବା ପାଇଁ ଉଭୟ ଓଡ଼ିଶା ଏବଂ ମଧ୍ୟପ୍ରଦେଶ ବନ ବିଭାଗକୁ ନିର୍ଦ୍ଦେଶ ଜାରି କରିଥିଲା। କିନ୍ତୁ, ମଣିଷ ମାରିଥିବା ବାଘୁଣୀକୁ ନିଜ ଜାଗାକୁ ଫେରାଇ ନେବା ପାଇଁ କୁନ୍ଥୁକୁନ୍ଥୁ ହୋଇଥିଲା ମଧ୍ୟପ୍ରଦେଶ ବନ ବିଭାଗ।

ତେବେ, ଇତିମଧ୍ୟରେ ଉତ୍ତରପ୍ରଦେଶର ଏକ ସ୍ବେଚ୍ଛାସେବୀ ସଂଗଠନ ରେଡ୍‌ ଲିଙ୍କ୍‌ସ କନଫେଡେରେସନ ଏନେଇ ମଧ୍ୟପ୍ରଦେଶ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲା। ସାତକୋଶିଆରେ ଅଣ୍ଡିରା ମହାବଳ ବାଘ ‘ମହାବୀର’ ମୃତ୍ୟୁର ନ୍ୟାୟିକ ତଦନ୍ତ ସହିତ ସଂପ୍ରତି ବନ୍ଦୀ ଜୀବନ କଟାଉଥିବା ବାଘୁଣୀ ସୁନ୍ଦରୀକୁ ବ୍ୟବସ୍ଥିତ ଢଙ୍ଗରେ ଫେରାଇ ଆଣିବା ପାଇଁ ଏହି ସଂସ୍ଥା ଅଦାଲତଙ୍କୁ ପ୍ରାର୍ଥନା କରିଥିଲା। ଯାହାର ରାୟ ଚଳିତ ନଭେମ୍ବର ୪ ତାରିଖରେ ପ୍ରକାଶ ପାଇଛି। ସାତକୋଶିଆ କର୍ତୃପକ୍ଷଙ୍କ ଦ୍ବାରା ପ୍ରସାରିତ କୋର୍ଟଙ୍କ ଏହି ରାୟରେ ବାଘୁଣୀ ସୁନ୍ଦରୀକୁ ଫେରାଇ ନେବା ପାଇଁ କୋର୍ଟ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି। କହିଛନ୍ତି, ଏକ ଛୋଟ ଏନ୍‌କ୍ଲୋଜର ମଧ୍ୟରେ ସୁନ୍ଦରୀକୁ ଦୀର୍ଘଦିନ ଧରି ରଖିବା ଉଚିତ ନୁହେଁ। ତାକୁ ମଧ୍ୟପ୍ରଦେଶର ଘୋରେଲା ସେଣ୍ଟରକୁ ତୁରନ୍ତ ଆଣିବାକୁ କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି। ସେଠାରେ ବାଘୁଣୀକୁ ପୁଣି ରି-ୱାଇଲ୍‌ଡ଼ିଂ କରାଯିବ। ତା ପରେ ତାକୁ ଜଙ୍ଗଲରେ ଛାଡ଼ିବାକୁ କୋର୍ଟ କହିଛନ୍ତି। ସେହିପରି ସାତକୋଶିଆ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବାଘ ରହିବାର ମୌଳିକ ଆବଶ୍ୟକତା ପୂରଣ ନ ହେବା ପର୍ଯ୍ୟନ୍ତ ବାଘ ସ୍ଥାନାନ୍ତର ପ୍ରକ୍ରିୟା ବନ୍ଦ ରଖିବାକୁ କୋର୍ଟ ନି‌ର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସାତକୋଶିଆରେ ମହାବଳ ମହାବୀର ମୃତ୍ୟୁ ଘଟଣାର ତଦନ୍ତ ଲାଗି ଆଗତ ଆବେଦନ ଉପରେ ଅଦାଲତ କହିଛନ୍ତି ଯେ ଯେହେତୁ ଏନଟିସିଏ ମହାବୀର ମୃତ୍ୟୁର ତଦନ୍ତ କରିସାରିଛି, ତେଣୁ ପୁନଶ୍ଚ ନ୍ୟାୟିକ ତଦନ୍ତର ଆଉ ଆବଶ୍ୟକତା ନାହିଁ।

ଗତ ୪ତାରିଖରୁ ବାଘୁଣୀ ସୁନ୍ଦରୀ ପ୍ରସଙ୍ଗରେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ ପାଇ ସାରିଥିବା ବେଳେ ବନ ବିଭାଗ ଏହାକୁ କାହିଁକି ଲୁଚାଇଥିଲା? ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର