ତିହିଡ଼ି: ୧୦ମ ଶ୍ରେଣୀ ବାଳିକାର ଝୁଲନ୍ତା ଶବ ଉଦ୍ଧାର; ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ତିହିଡ଼ି: ଶନିବାର ଦିନ ପ୍ରାୟ ଗୋଟାଏ ବେଳେ ଡପାଗାଁ ନିକଟ ବିଲ ମଝିରେ ଥିବା ଏକ ଚାକୁଣ୍ଡାଗଛରୁ ଜଣେ ବାଳିକାର ଝୁଲନ୍ତା ଶବ ଉଦ୍ଧାର କରାଯାଇଛି।

ତାହା ବାସୁଳୀ ହାଇସ୍କୁଲ୍‌ରେ ୧୦ ଶ୍ରେଣୀରେ ପଢୁଥିବା ତିହିଡ଼ି ଥାନା ଅଧୀନ ଗାଁପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚିଲପଦା ଗାଁର ରମେଶ ମଳିକଙ୍କ ସାନ ଝିଅ ୧୫ ବର୍ଷୀୟ ରମଣୀ ମଳିକଙ୍କର ବୋଲି ଜଣାପଡ଼ିଛି।

ମେ ୪ ତାରିଖ ରାତି ପ୍ରାୟ ୧୦ରୁ ରମଣୀ ଘରୁ ନିରୁଦ୍ଦେଶ ହୋଇ ଯାଇଥିଲା ବୋଲି ତାଙ୍କ ଘର ଲୋକେ ଥାନାରେ ସୂଚନା ଦେଇଥିଲେ। ଏଥିସହ ସେମାନେ ବନ୍ଧୁବାନ୍ଧବ ତଥା ସମ୍ପର୍କୀୟମାନଙ୍କ ଘରେ ଖୋଜାଖୋଜି କରି ମଧ୍ୟ ରମଣୀର ସନ୍ଧାନ ପାଇ ନ ଥିଲେ।

ମେ ୫ ତାରିଖ ଦିନ ପ୍ରାୟ ଗୋଟାଏ ବେଳେ ପରିବାର ଲୋକେ ଖବର ପାଇ ଚିଲପଦା ଠାରୁ ୧୨ କିଲୋମିଟର ଦୂର ଡପାଗାଁ ବିଲ ମଝିରେ ପହଞ୍ଚି ରମଣୀର ଶବ ଏକ ଛୋଟ ଚାକୁଣ୍ଡାଗଛର ଡାଳରେ ଝୁଲୁଥିବାର ଦେଖିଥିଲେ।

ମୃତ ରମଣୀଙ୍କ ଦେହର ବିଭିନ୍ନ ସ୍ଥାନରେ ମାଡ଼ ଦାଗ ଓ ବେକରେ ଗୋଟାଏ କ୍ଷତ ଚିହ୍ନ ରହିଛି। ତଳେ ଗୋଟାଏ ବେଲ୍‌ଟ୍‌ ମଧ୍ୟ ପଡ଼ିଥିବା ସେମାନେ ଦେଖିଥିଲେ।

ପାରିପାର୍ଶ୍ୱିକସ୍ଥିତିରୁ ଏହା ଦୁଷ୍କର୍ମ, ମାଡ଼ ଓ ହତ୍ୟା ଘଟଣା ବୋଲି ଉଲ୍ଲେଖ କରି ରମେଶ ମଳିକ ଥାନାରେ ଏତଲା ଦେଇଛନ୍ତି। ଏତଲାରେ ସେ ସ୍ଥାନୀୟ ମଠସାହି ଗ୍ରାମସ୍ଥିତ ମାମୁଘରେ ରହୁଥିବା ଯୁବକ ଅଜିତ ଦାସଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛନ୍ତି। ଅଜିତ ଏବଂ ତାଙ୍କ ସହଯୋଗୀମାନେ ରମଣୀଙ୍କୁ ଅପହରଣ କରି ତା’ ସହ ଦୁଷ୍କର୍ମ କରିବା ପରେ ମାଡ଼ ଦେଇ ତାକୁ ହତ୍ୟା କରିଛନ୍ତି ଓ ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଶବକୁ ଓଢ଼ଣିରେ ବାନ୍ଧି ଗଛରେ ଝୁଲାଇ ଦେଇଛନ୍ତି।

ଅଭିଯୋଗ ଆସିବା ପରେ ଅଭିଜିତ ଏବଂ ତାଙ୍କ ମାମୁଘର ଲୋକେ ଫେରାର ହୋଇ ଯାଇଛନ୍ତି ବୋଲି କୁହା ଯାଉଛି।
ତିହିଡ଼ି ପୁଲିସ ବ୍ୟବଚ୍ଛେଦ ନିମନ୍ତେ ରମଣୀଙ୍କ ଶବକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ କରୁଛି।

ମିଳିଥିବା ସଦ୍ୟତମ ସୂଚନା ଅନୁସାରେ ବ୍ୟବଚ୍ଛେଦ ହୋଇସାରିଥିବା ରମଣୀର ଶବକୁ ଚିଲପଦା ଗ୍ରାମବାସୀମାନେ ଥାନା ବାରଣ୍ଡାରେ ରଖି ଥାନା ଘେରାଉ କରିବା ସହ ପାଟିତୁଣ୍ଡ କରୁଛନ୍ତି। ସେମାନେ ପୂର୍ବରୁ ସୂଚନା ଦେଇଥିଲେ ମଧ୍ୟ ପୁଲିସର ଅବହେଳା ଯୋଗୁଁ ଅଭିଯୁକ୍ତ ଫେରାର ହୋଇ ଯାଇଥିବା କଥା କହୁଛନ୍ତି

ସମ୍ବନ୍ଧିତ ଖବର