ପଟାଙ୍ଗିରେ ରଣନୀତି ଫେଲ୍‌, ଏକୁଟିଆ ସ୍ୱାଧୀନ ଭାବେ ଲଢ଼ି ଜିତିଲେ ଟିକାଇ ଗେମେଲ

ସର୍ବଦଳୀୟ ନେତାଙ୍କ ରଣନୀତି କାମ ଦେଲାନି, ୩ ହଜାରରୁ ଊର୍ଦ୍ଧ୍ବ ଭୋଟରେ ମମତା ପରାସ୍ତ

ପଟାଙ୍ଗି/କୋରାପୁଟ : ‌ସର୍ବଦଳୀୟ ନେତାଙ୍କ ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ। ‌ପଟାଙ୍ଗି ଜୋନ୍‌-୧ ଅନ୍ତର୍ଗତ ୬ପଞ୍ଚାୟତର ଭୋଟର ନେଇଛନ୍ତି ଅପ୍ରତ୍ୟାଶିତ ତଥା ଐତିହାସିକ ନିଷ୍ପତ୍ତି। ପାର୍ଟି ଓ ମାଟି ନାରାରୁ ଊର୍ଦ୍ଧ୍ବକୁ ଯାଇ ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲଙ୍କୁ ଅଜାଡ଼ି ଦେଇଛନ୍ତି ଭୋଟ। କୋଟିଆ ଝିଅ ଟିକାଇଙ୍କୁ ବଡ଼ ବ୍ୟବଧାନରେ ଜିତାଇ ପରିବର୍ତ୍ତନର ସଂକେତ ଦେଇଛନ୍ତି।

ପ୍ରାର୍ଥିପତ୍ର ଦାଖଲର ଠିକ୍‌ ପୂର୍ବରୁ ପଟାଙ୍ଗି ବ୍ଲକ୍‌ର ଜୋନ୍‌-୧ରେ ମିଳିତ ଭାବେ ପ୍ରାର୍ଥୀ ଦେବାକୁ ପାରଂପରିକ ପ୍ରତିଦ୍ବନ୍ଦ୍ବୀ ବିଜେଡି, ବିଜେପି ଏବଂ କଂଗ୍ରେସ ଏକାଠି ହେଲେ। ନିର୍ବାଚନ ବଦଳରେ ମନୋନୀତ ପ୍ରାର୍ଥୀଙ୍କୁ ଅପ୍ରତିଦ୍ବନ୍ଦ୍ବୀ କରିବାକୁ ନିଷ୍ପତ୍ତି ନେଲେ। କିନ୍ତୁ ଏଭଳି ନିଷ୍ପତ୍ତିକୁ ଗ୍ରହଣ କରିପାରିଲେ ନାହିଁ ପୂର୍ବତନ ବିଧାୟକ ଚନ୍ଦ୍ରମା ସାଉଁନ୍ତାଙ୍କ ନାତୁଣୀ ବୋହୂ ଟିକାଇ ଗେମେଲ। ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କ ବିରୋଧରେ ଲଢ଼ିବାକୁ ଅଣ୍ଟା ଭିଡ଼ିଲେ। ବୁଝାସୁଝା ସତ୍ତ୍ବେ ଗଣତନ୍ତ୍ର ପାଇଁ ମତଦାନ ଜରୁରୀ ବୋଲି ଟିକାଇ ଅଟଳ ରହିଲେ। ଏହାପରେ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଏପରିକି ସର୍ବଦଳୀୟ ପ୍ରାର୍ଥୀଙ୍କ ପାଇଁ ପରସ୍ପର ବିରୋଧୀ ଦଳ ଗୋଟିଏ ମଞ୍ଚରେ ବସିଲେ ଏବଂ ଜଣେ ପ୍ରାର୍ଥୀଙ୍କ ପାଇଁ ବଡ଼ ବଡ଼ ନେତା ପ୍ରଚାର କଲେ। ଅନ୍ୟପଟେ ଏକୁଟିଆ ଟିକାଇ ନିଜ ସମର୍ଥକଙ୍କୁ ନେଇ ବଡ଼ ଲଢ଼େଇକୁ ଅଗ୍ରସର ହେଲେ। ଶେଷରେ ସବୁ ସମ୍ଭବନା ଏବଂ ଅକଳନକୁ ଭୁଲ ପ୍ରମାଣିତ କରିଛନ୍ତି ଟିକାଇ।

ପଟାଙ୍ଗି ଜୋନ୍‌-୧ର ଭୋଟ ଗଣତି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଟିକାଇ ଆଗୁଆ ରହି ବିଜୟ ବ୍ୟବଧାନକୁ ବଢ଼ାଇ ଚାଲିଥିଲେ। କୋଟିଆ ପଞ୍ଚାୟତରୁ ଟିକାଇଙ୍କୁ ୨୦୭୦ଖଣ୍ଡ ଭୋଟ ମିଳିଥିବା ବେଳେ ମମତାଙ୍କ ସପକ୍ଷରେ ୧୬୧୬ ଭୋଟ ପଡ଼ିଥିଲା। ସେହିପରି ଗାଙ୍ଗରାଜପୁରରେ ଟିକାଇଙ୍କୁ ୧୦୧୦ ଏବଂ ମମତାଙ୍କୁ ୭୦୯‌ ଭୋଟ ମିଳିଛି। ଦେଓପଟାଙ୍ଗିରେ ଟିକାଇଙ୍କୁ ୧୦୧୦, ମମତାଙ୍କୁ ୭୨୮ ଭୋଟ ମିଳିଛି। ନୂଆଗାଁରେ ୧୪୪୭ଖଣ୍ଡ ଭୋଟ ମଧ୍ୟରୁ ଟିକାଇଙ୍କୁ ୬୩୦ ଏବଂ ମମତାଙ୍କୁ ୭୬୭ଖଣ୍ଡ ଭୋଟ ମିଳିଛି। ପଟାଙ୍ଗିରେ ଟିକାଇଙ୍କୁ ୨୦୫୯ ଏବଂ ମମତାଙ୍କୁ ୯୫୭ଖଣ୍ଡ ମିଳିଛି। ପୁକାଲି ପଞ୍ଚାୟତରେ ଟିକାଇ ୧୮୫୪ ଏବଂ ମମତା ୧୩୨୭ଖଣ୍ଡ ଭୋଟ ପାଇଛନ୍ତି। ମାଳିପୁଟ ପଞ୍ଚାୟତରେ ଟିକାଇ ୧୭୩୦ ଏବଂ ମମତା ୫୪୦ଖଣ୍ଡ ଭୋଟ ପାଇଛନ୍ତି। ମୋଟ ୨୨୩୧୮ଜଣ ଭୋଟରଙ୍କ ମଧ୍ୟରୁ ୧୮୦୬୦ଜଣ ମତଦାନ କରିଥିଲେ। ସେଥିରୁ ଟିକାଇ ୧୦୩୫୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ୬୬୪୪ଖଣ୍ଡ ଭୋଟ ସହ ମମତା ୩୭୧୦ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି।

ବିଜୟ ଖବର ପାଇ ଟିକାଇ ନିଜ ଶାଶୂଘର ଗାଁ ସିପେଟପୁଟ ପହଞ୍ଚିଛନ୍ତି। ସମସ୍ତଙ୍କ ଆଶୀର୍ବାଦ ନେଇ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହି ବିଜୟ ତାଙ୍କର ନୁହଁ। ଅଞ୍ଚଳବାସୀଙ୍କ ବିଜୟ ହୋଇଥିବାରୁ ଅଞ୍ଚଳର ବିକାଶ ପାଇଁ ପୂରା ଜୋର ଲଗାଇଦେବେ।

ସର୍ବଦଳୀୟ ନେତାଙ୍କ ରଣନୀତି ଫେଲ୍‌ ହେବାପରେ ଜୟପୁର ବଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ଯେମିତି ପ୍ରଚାର କରିବା କଥା ଆମେ କରିପାରିଲୁ ନାହିଁ ବୋଲି କହିଛନ୍ତି। ଆମେ ଜନମତକୁ ସ୍ବାଗତ କରୁଛୁ ବୋଲି ପ୍ରକାଶ କରିଛନ୍ତି। ବିଜେଡି ଜିଲ୍ଲା ସଭାପତି ଈଶ୍ବର ପାଣିଗ୍ରାହୀ କହିଛନ୍ତି, ସମନ୍ବୟ ଅଭାବ ପାଇଁ ସର୍ବଦଳୀୟ ପ୍ରାର୍ଥୀ ପରାଜିତ ହେଲେ। ଟିକାଇଙ୍କ ବିଜୟ, ଓଡ଼ିଶାର ବିଜୟ। ଆମର ଲଢ଼େଇ ଆନ୍ଧ୍ର ସହ ଥିଲା ବୋଲି ପ୍ରକାଶ କରିଛନ୍ତି। ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗୀ କହିଛନ୍ତି, ଜନମତକୁ ଆମ‌େ ସ୍ବାଗତ କରୁଛୁ। ଢୋଲ ଭିତରେ ମୂଷା ଭଳି କିଛି ଜଣ ଅନ୍ତର୍ଘାତୀ କାମ କରିଛନ୍ତି। ନାଁ କୁ କେବଳ ସର୍ବଦଳୀୟ। ମମତାଙ୍କ ପାଇଁ କୌଣସି ଦଳ ପ୍ରଚାର କଲେ ନାହିଁ। ତେଣୁ ସର୍ବଦଳୀୟ ପ୍ରାର୍ଥୀ ପରାଜିତ ହେଲେ।

ସମ୍ବନ୍ଧିତ ଖବର