ତୀଖ ଘାଟିରୁ ଟିପ୍ପର ଖସିବା ଘଟଣା: ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୯ରେ, ୬ଜଣଙ୍କ ଚିକିତ୍ସା ଜାରି

ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୨-୨ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ଲୁହାଝୋଲ ଘାଟିରେ ମଙ୍ଗଳବାର ପୂର୍ବାହ୍ନ ୯ଟା ୩୦ରେ ଭାରସାମ୍ୟ ହରାଇ ଟିପ୍ପର ଖସିବା ଘଟଣାରେ ସନ୍ଧ୍ୟା ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି। ଘଟଣାରେ ମୃତ୍ୟୁ ବରଣ କରିଥିବା ୭ ଜଣ ହେଲେ ଅନୁକୁମ୍ବା ଗ୍ରାମର ମିଲିକା ଗମାଙ୍ଗ, ସିତା ଗମାଙ୍ଗ, ଏସିନୋ ଗମାଙ୍ଗ, ଗେସିନ ଗମାଙ୍ଗ, ଜିନେସ ଭୁୟାଁ, ଟୁବୁରୁଡା ଗ୍ରାମର ମେନା ଗମାଙ୍ଗ, ଅରାଉର ଗ୍ରାମର ମହିଷ୍ଟାନ ଭୁୟାଁ, ସୁଜୋନ ଗମାଙ୍ଗ, ଅବିଯାନ ଭୁୟାଁ। ଏମାନଙ୍କ ମଧ୍ୟରେ ୪ଜଣ ହେଉଛନ୍ତି ମହିଳା।

ବର୍ତମାନ ଅବସ୍ଥାରେ ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ହସ୍ପିଟାଲରେ ୪ଜଣ ଓ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ହସ୍ପିଟାଲରେ ୨ଜଣଙ୍କର ଚିକିତ୍ସା ଜାରି ରହିଛି। ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମୃତକଙ୍କ ପରିବାରଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଓ ଆହତଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ପାର୍ତ୍ତଡ଼ା ଗ୍ରାମରୁ ଇଟା ବୋଝେଇ ଟିପ୍ପର ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିଲା। ଏଥିରେ ୧୫ ଜଣ ଶ୍ରମିକ ବସିଥିଲେ। ଟିପ୍ପରଟି ତୀଖ ଘାଟିରେ ପହଞ୍ଚିବା ପରେ  ଚାଳକ ଭାରସାମ୍ୟ ହରାଇ ଥିଲେ। ଫଳରେ ଘଟଣାସ୍ଥଳରେ ହିଁ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ପାରଳାଖେମୁଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଥିରୁ ୪ଜଣଙ୍କୁ ବ୍ରହ୍ମପୁରର ଏମ୍‌କେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ବ୍ରହ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ୨ଜଣଙ୍କ ମୃତ୍ୟୁ ଘଟିବା ପରେ ସଂଖ୍ୟା ୯ରେ ପହଞ୍ଚିଛି।

ଅତିରିକ୍ତ ଜିଲ୍ଲାପାଳ ଦୃବରାଜ ପାଣ୍ଡେ, ଉପଜିଲ୍ଲାପାଳ ରଞ୍ଜନ କୁମାର ବିଶ୍ୱାଳ ଏବଂ ଦୁଇଟି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧକାରୀ ପହଞ୍ଚି ସମସ୍ତ ଆହତଙ୍କ ସମ୍ପର୍କରେ ବୁଝିବା ସହ ଚିକିତ୍ସା ପାଇଁ ରେଫର କରାଯାଇଥିବା ଲୋକଙ୍କୁ ରେଡକ୍ରସ ତରଫରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା କହିଛନ୍ତି। ଥାନା ଅଧିକାରୀ କହିଛନ୍ତି, ବୁଧବାର ପୋଲିସ ପହଞ୍ଚି ସବିଶେଷ ତଥ୍ୟ ପାଇଁ ଅନୁସନ୍ଦାନ ଆରମ୍ଭ କରିବ। ଦୁର୍ଘଟଣାସ୍ଥଳରେ ଗାଡିଟି ସଂମ୍ପୁର୍ଣ୍ଣ ଭାବେ ଚୁରମାର ହୋଇଯାଇଥିବା ବେଳେ ସନ୍ଦେହ କରାଯାଉଛି କି ଗାଡିରେ ବସିଥିବା ବ୍ୟକ୍ତି ମାନଙ୍କ ଉପରେ ଇଟାଗୁଡିକ ପଡିବା ସହ ସେଠାରେ କେତେକ ବଡବଡ ପଥର ଉପରେ ପିଟି ହୋଇ ମୃତ୍ୟବରଣ ହୋଇଥିଲେ।

ସମ୍ବନ୍ଧିତ ଖବର