ବିନିକା: ବେଆଇନ ଚାଲାଣ ସମୟରେ ବିନିକା ବନ ବିଭାଗ ଚଢ଼ଉ କରି ମୂଲ୍ୟବାନ ସାଇଜ କାଠ ସହ ଗାଡ଼ିକୁ ଜବତ କରିଛି। ଏହି ମାମଲାରେ ଗାଡ଼ି ଚାଳକ ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଝରାପାଲିର ରାଜୀବ ମହାନନ୍ଦ (୨୧ବର୍ଷ) ଓ ବିନିକା ଥାନା ସିନ୍ଦୂରପୁର ଗ୍ରାମର କଳାକାହ୍ନୁ ବିଭାର (୩୫ବର୍ଷ) ଜେଲ୍ ଯାଇଛନ୍ତି।
ବନ ବିଭାଗର ସୂଚନା ଅନୁସାରେ, ଶନିବାର ରାତିରେ ଉଲୁଣ୍ଡା ପଟରୁ ମହାନଦୀ ପୋଲ ଦେଇ ପିକ୍ଅପ୍ ଗାଡ଼ି (ଓଡି ୧୭ଜି ୭୭୭୨)ରେ ୨୩ ଖଣ୍ଡ ଶାଳ ସିଲପଟ ବୋଝେଇ କରି ବରଗଡ଼ ଜିଲ୍ଲାକୁ ଚୋରାଚାଲାଣ ହେଉଥିଲା। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବିନିକା ରେଞ୍ଜର ଡମ୍ବରୁଧର ପଧାନଙ୍କ ନେତୃତ୍ବରେ ବନ କର୍ମଚାରୀମାନେ ବ୍ଲକ୍ ଛକଠାରେ ଗାଡ଼ିକୁ ଅଟକାଇ ତଦନ୍ତ କରିଥିଲେ। ଗାଡ଼ିରୁ ୪୩ ସିଏଫ୍ଟି କାଠ ଜବତ କରିଥିଲେ। ଏହାର ଆନୁମିନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି। ବିନିକା ରେଞ୍ଜରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେଠାରେ ଉଭୟଙ୍କ ଜାମିନ ନାମଞ୍ଜୁର ହୋଇଥିଲା। ବିନିକା ବନପାଳ ଜନାର୍ଦ୍ଦନ ସ୍ବାଇଁ ତଦନ୍ତ ଜାରି ରଖିଛନ୍ତି। ଏହି ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ରାମପୁର ବନପାଳ ପଦ୍ମଲୋଚନ ଭୋଇ, ବନବିଭାଗ ସ୍କ୍ବାଡର ସୁରେନ୍ଦ୍ର ସାହୁ, ସାନ ନାଏକ, ନୀଳାମ୍ବର କର୍ଣ୍ଣ, ପ୍ରେମାନନ୍ଦ ଖେତି, କବି ଝାଙ୍କର, ସମ୍ପଦ ଲବଣୀ, ଶ୍ରବଣ ହୋତା, କବି ଝାଙ୍କର, ସୁଜିତ ମେହେର, ବୃନ୍ଦାବନ ସା, ବେଲାଲ ବାଘ ପ୍ରମୁଖ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/37-13.jpg)