ଭୁବନେଶ୍ବର: ସହରକୁ ସ୍ବଚ୍ଛ ତଥା ସୁନ୍ଦର କରିବାକୁ ବି ଏମ୍‌ସି ଉଦ୍ୟମ କରୁଥିବା କହୁଛି। ଟିପିଡବ୍ଲ୍ୟୁ(ଟ୍ରି, ପୋଲ୍‌, ୱାଲ୍‌) ବା ଗଛ, ଖୁଣ୍ଟ ଓ କାନ୍ଥରେ ପୋଷ୍ଟର ରହିବନି, ଏହାକୁ ପରିଷ୍କାର ରଖାଯିବ। ଏଥିପାଇଁ ଏକ ଏସ୍‌ଓପି ଜାରି କରାଯାଇଛି। ଯେଉଁ ସଂସ୍ଥାର ପୋଷ୍ଟର କିମ୍ବା ବ୍ୟାନର ଲାଗୁଛି ସେଗୁଡ଼ିକ ବିଏମ୍‌ସିର ସ୍ବତନ୍ତ୍ର ସ୍କ୍ବାଡ୍‌ ଚିହ୍ନଟ କରି ସେମାନଙ୍କୁ ଜରିମାନା କରାଯାଉଛି ଓ ସେମାନଙ୍କ ନାମରେ ଥାନାରେ ଏତଲା ଦେଉଛି ବିଏମ୍‌ସି।

Advertisment

ଏହି କ୍ରମରେ ଆଜି ତିନିଟି ସଂସ୍ଥା ନାମରେ ଏତଲା ଦେଇଛି ଓ ମୋଟ ୨ ଲକ୍ଷ ୫ହଜାର ଟଙ୍କା ଜରିମାନା କରିଛି। ସ୍ମାର୍ଟ ଏକାଡେମି ଓ ଜଗନ୍ନାଥ ନଗର ମଦର୍ସ ପବ୍ଲିକ୍‌ ସ୍କୁଲ୍‌ ନାମରେ ଏତଲା ଦିଆଯିବା ସହ ୫୦ ହଜାର ଲେଖାଏଁ ଜାରିମାନା କରାଯାଇଛି। ସେହିଭଳି କନ୍‌ଭେନାଣ୍ଟସ୍‌ ଡେଭଲପ୍‌ମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌କୁ ୧ ଲକ୍ଷ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଅଦ୍ୟାବଧି କୋଟିଏରୁ ଊର୍ଦ୍ଧ୍ବ ଜରିମାନା ହୋଇଥିବା ବେଳେ ଏତଲା ଶହେ ଛୁଇଁବାକୁ ବସିଲାଣି। ବଡ଼ କଥା ହେଉଛି ‘ଟୁ ଲେଟ୍‌’ ଲେଖା ଯାଇ ଏକ ଛୋଟ କାଗଜ ପରିତ୍ୟକ୍ତ କାନ୍ଥରେ ଲାଗିଥିବା ବେଳେ ୫ ହଜାର ଟଙ୍କା ଜରିମାନା ହୋଇଛି। ଏଭଳି ହୋଇଛି, ବିଏମ୍‌ସି ‘ଟିପିଡବ୍ଲ୍ୟୁ’ ଏସ୍‌ଓପି ଆଣିବା ପୂର୍ବରୁ ଦୀର୍ଘ ଦିନ ଧରି ଲାଗିଥିବା ପୋଷ୍ଟର ପାଇଁ ମଧ୍ୟ ଜରିମାନା କରିଛି। ଯାହାକୁ ନେଇ ପ୍ରବଳ ଅସନ୍ତୋଷ ଦେଖା ଯାଇଥିବା ବେଳେ ଅଧିକାଂଶ ଏହି ଜରିମାନା ଅର୍ଥ ଦେଉ ନାହାନ୍ତି। ଏଣୁ ବିଏମ୍‌ସି ସେମାନଙ୍କ ନାମରେ ଓପିଡିଆର୍‌ ଆଇନ ବଳରେ ମାମଲା ରୁଜୁ କରି ଏହି ଅର୍ଥ ଆଦାୟ କରିବାକୁ ବସିଛି।

ଏଣେ କିନ୍ତୁ ଖୋଦ୍‌ ବିଏମ୍‌ସି ଇଲେକ୍ଟ୍ରିଖୁଣ୍ଟ ଓ ଛକ ଉପରେ ହୋର୍ଡିଂ ଲଗାଉଛି। ବିଭିନ୍ନ ସ୍ଥାନରେ ଜାଗା ମିସନ୍‌ ହୋର୍ଡିଂ ଲାଗିଛି। ଏବେ ସାରା ଭୁବନେଶ୍ବରରେ ଇଲେକ୍ଟ୍ରିଖୁଣ୍ଟରେ ପ୍ରାୟ ୧୦ ହଜ‌ାର ଏଭଳି ହୋର୍ଡିଂ ଲାଗିବ ବୋଲି ଜଣାପଡ଼ିଛି। ଏହି ହୋର୍ଡିଂରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ଜାଗା ମିସନ୍‌ର ପ୍ରଚାର ପ୍ରସାର କରାଯାଉଛି। ଗୋଟିଏ ପଟେ ସାଧାରଣ ଲୋକଙ୍କ ଉପରେ ମୋଟା ଅଙ୍କର ଜରିମାନା କଷୁଥିବା ବେଳେ ସରକାରଙ୍କ ବିଜ୍ଞାପନ ପାଇଁ ଏଭଳି ଖୁଣ୍ଟରେ ହୋର୍ଡିଂ ଲଗାଇବାକୁ ସାଧାରଣ ଲୋକେ ଗ୍ରହଣ କରିପାରି ନାହାନ୍ତି। ଆଇନଜୀବୀ ଲଲାଟେନ୍ଦୁ ଦାସ କହିଛନ୍ତି, ସମସ୍ତଙ୍କ ପାଇଁ ଆଇନ ବା ଏସ୍‌ଓପି ସମାନ ହେବା ଆବଶ୍ୟକ। ବିଏମ୍‌ସି ଭୁବନେଶ୍ବରବାସୀଙ୍କୁ ବୋକା ବୋଲି ଭାବିଛି। ଏହି ଟିପିଡବ୍ଲ୍ୟୁ ପାଇଁ କୋର୍ଟରେ ବିଏମ୍‌ସି ସହ ଲଢ଼େଇ ହେବ।