ଛତ୍ରପୁର: ଗୋଟିଏପଟେ ସମୁଦ୍ରର ଭୟ। ଅନ୍ୟପଟେ କମ୍ପାନି କାରଣରୁ ପରିବେଶ ପ୍ରଦୂଷଣ ଫଳରେ ଅଞ୍ଚଳବାସୀଙ୍କ ଜୀବନ ଏବେ ବିପଦରେ। ଯେତେ ଗୁହାରି କଲେ ମଧ୍ୟ ପ୍ରଶାସନ ଶୁଣୁ ନାହିଁ। ଏଭଳି ସମସ୍ୟାରେ ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ବ୍ଲକ୍‌ର ଆର୍ଯ୍ୟପଲ୍ଲୀ, କାଳୀପଲ୍ଲୀ ଓ କଣମଣା ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକେ ବର୍ଷ ବର୍ଷ ଧରି ସନ୍ତୁଳି ହେଉଛନ୍ତି। ବିଶେଷକରି ଆଇଆର୍‌ଇଏଲ୍‌ର ମୋନାଜାଇଟ୍‌ ପ୍ଲାଣ୍ଟ୍‌ ଓ ମାଇନିଂ ଯୋଗୁଁ ପରିବେଶ ଅଧିକ ଦୂଷିତ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଆଇଆର୍‌ଇଏଲ୍ ପକ୍ଷରୁ ମୋନାଜାଇଟ୍ ପ୍ଲାଣ୍ଟ୍‌ ଆରମ୍ଭ ହେବା ଦିନରୁ ହିଁ, ଏଠାକାର ଜଳବାୟୁ ଦୂଷିତ ହେବା ସହିତ ପାନୀୟଜଳର ମାନ ଖରାପ ହେବାରେ ଲାଗିଛି। ଯାହାଫଳରେ ବହୁ ଲୋକ ହୃଦ୍‌ରୋଗ ଓ କିଡ୍‌ନିଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ କିଛି ରୋଗୀ ମୃତ୍ୟୁବରଣ କରିସାରିଛନ୍ତି। ଫଳରେ ମୋନାଜାଇଟ୍ ପ୍ଲାଣ୍ଟ୍‌କୁ ହଟାଇବା ପାଇଁ ଲୋକେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ବେଳେ କିଛି କୁଜି ନେତା ଏହି ପ୍ରସଙ୍ଗକୁ ଚପାଇ ଦେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

Advertisment

ବଢ଼ୁଛି ହୃଦ୍‌ରୋଗ, କିଡ୍‌ନିଜନିତ ସମସ୍ୟା
ମଧୁରଜଳ ହ୍ରଦ ତାମ୍ପରାକୁ ବଡ଼ ବିପଦ
ଛତ୍ରପୁରକୁ ଜଳଯୋଗାଣ ପ୍ରଭାବିତ ଆଶଙ୍କା

ଏହି ପ୍ଲାଣ୍ଟ୍‌ ଯୋଗୁଁ ପିଇବା ପାଣି ଦୂଷିତ ହେଉଛି। ବହୁବାର ଅଭିଯୋଗ ପରେ ୨୦୧୯ ଏପ୍ରିଲ୍ ୨୬ ରେ ବଡ଼ପୁଟି ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପହଞ୍ଚି ଟିକିନିଖି ଅନୁଧ୍ୟାନ କରିବା ସହିତ ପାଣିର ନମୁନା ସଂଗ୍ରହ କରିଥିଲେ। କିନ୍ତୁ କେଉଁ କାରଣରୁ ଏଭଳି ରୋଗ ହେଉଛି ତାହା ବର୍ତ୍ତମାନ ସୁଦ୍ଧା କେହି ସ୍ପଷ୍ଟ କରି ପାରୁନାହାନ୍ତି। ଅନ୍ୟପଟେ ୨୦୧୮ ମସିହାରେ ଆର୍‌ପିଡିଏସି ବୈଠକରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତବାସୀଙ୍କୁ ବିସ୍ଥାପନ ନୀତି ଅନୁସାରେ ଥଇଥାନ କରିବା ପାଇଁ ଆଇଆର୍‌ଇଏଲ୍‌ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ କମ୍ପାନି ତରଫରୁ ଅଞ୍ଚଳବାସୀଙ୍କ ପାଇଁ ସେଭଳି ଖାସ୍‌ ସୁବିଧା କରାଯାଇ ନଥିବା ଲୋକେ ଅଭିଯୋଗ କରିଛନ୍ତି। ଆଇଆର୍‌ଇଏଲ୍‌ର ମାଇନିଂ ପ୍ରକ୍ରିୟାରେ ନିକଟରେ ଥିବା ଗ୍ରାମାଞ୍ଚଳର ଲୋକ ଅଧିକ ପ୍ରଭାବିତ ହେଉଥିବା ବେଳେ ସହରାଞ୍ଚଳ ମଧ୍ୟ ପ୍ରଭାବିତ ହେବାକୁ ଯାଉଛି।

ଆଇଆର୍‌ଇଏଲ୍ ପକ୍ଷରୁ ଖଣିଜ ଉତ୍ତୋଳନ ପାଇଁ ଆର୍ଯ୍ୟପଲ୍ଲୀ ଠାରୁ ଅଗସ୍ତିନୂଆଗାଁ ପଞ୍ଚାୟତ ପର୍ଯ୍ୟନ୍ତ ପ୍ରକ୍ରିୟା ଚାଲୁ ରହିଛି। ଫଳରେ ମାଇନିଂ ପରେ ଯେଉଁ ସବୁ ବାଲି ଗଦା ହେଉଛି, ତାହା ତାମ୍ପରା ହ୍ରଦରେ ଲୀନ ହେଉଥିବା ଦେଖିବାକୁ ମିଳିଛି। ବାଲି କାରଣରୁ ହ୍ରଦ ପୋତି ହେବା ସହ ଜଳସ୍ତର ହ୍ରାସ ପାଇ ଧୀରେ ଧୀରେ ସଙ୍କୁଚିତ ହେବାରେ ଲାଗିଛି। ପୂର୍ବରୁ ହ୍ରଦର ପାଣି ନିର୍ମଳ ରହିଥିବା ବେଳେ ବର୍ତ୍ତମାନ ଗୋଳିଆ ହୋଇସାରିଲାଣି। ଏଭଳି ସ୍ଥିତି ଲାଗି ରହିଲେ ଛତ୍ରପୁର ସହରକୁ ବିଶୁଦ୍ଧ ଜଳଯୋଗାଣ‌ରେ ବ୍ୟାଘାତ ସ‌ୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଏଣୁ ତୁରନ୍ତ ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଏହି ସମସ୍ୟା ନେଇ ପୂର୍ବରୁ ଜିଲ୍ଲା ପରିଷଦ ବୈଠକରେ ମଧ୍ୟ ଜନପ୍ରତିନିଧିମାନେ ପ୍ରଶ୍ନ ଉଠାଇଥିଲେ। ସେହିପରି ଛତ୍ରପୁର ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାଗୀରଥି ବେହେରା ମଧ୍ୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଆର୍ଯ୍ୟପଲ୍ଲୀ ଗ୍ରାମର ଲକ୍ଷ୍ମୀନୃସିଂହ ଟ୍ରଷ୍ଟ୍‌ର ସଭାପତି ଏନ୍‌.ଦୀନବନ୍ଧୁ କହନ୍ତି, ବର୍ତ୍ତମାନ ଗାଁରେ ବିଭିନ୍ନ ପ୍ରକାର ରୋଗ ହେଉଛି। ପୂର୍ବରୁ ଏଭଳି ରୋଗ କେବେ ହେଉ ନଥିଲା। ଜଳବାୟୁ ଦୂଷିତ ହେବାରୁ ଏଭଳି ସମସ୍ୟା ହେଉଥିବା ଆମେ ଅନୁଭବ କରୁଛୁ। ବଡ଼ପୁଟି ଗ୍ରାମର ଗଜେନ୍ଦ୍ର ସାହୁ କହନ୍ତି, ଦୂଷିତ ପାଣି ଯୋଗୁଁ ଗାଁର ଅଧିକାଂଶ ଲୋକ କିଡ୍‌ନିଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ବହୁ ଲୋକ ମୃତ୍ୟୁବରଣ କରିସାରିଲେଣି। ଏ ଦିଗରେ ସରକାର ତୁରନ୍ତ 
ଦୃଷ୍ଟି ଦେବା ଆବଶ୍ୟକ।