କଣାସ/ପିପିଲି/ଗଡ଼ିଶାଗୋଦା: କଣାସ ବ୍ଲକ୍ ଅନ୍ତର୍ଗତ ଦୋକୋନ୍ଦା ମେଳଣ ପଡ଼ିଆରେ ବିଜେପି ପକ୍ଷରୁ ଆଜି ବିଜୟ ସଙ୍କଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ବିଜେପି ନେତା ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ବଲିଉଡ୍‌ ଅଭିନେତ୍ରୀ ତଥା ସାଂସଦ ହେମାମାଳିନୀ ଯୋଗ ଦେଇଥିଲେ। ଶ୍ରୀ ବିଶ୍ବଶର୍ମା କହିଲେ ଯେ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଓ ଚାରିଦ୍ବାର ଖୋଲାଯିବ। ତେବେ ପାଣ୍ଡିଆନ୍‌ଙ୍କୁ ରାଜ୍ୟବାସୀ ବିମାନ ଭଡ଼ା ଦେଇ ତାମିଲନାଡ଼ୁକୁ ପଠାଇ ଦେବେ ବୋଲି ସେ ସମାବେଶରେ ଆହ୍ବାନ ଦେଇଥିଲେ।

Advertisment

ବିଜେଡି ସରକାର ସମୟରେ ଓଡ଼ିଶାର ବିକାଶ ପଛକୁ ଯାଇଛି। ତେଣୁ ଏବେ ଡବଲ୍‌ ଇଞ୍ଜିନ୍‌ ସରକାର ଗଠନ କରିବାର ସମୟ ଆସିଛି। ଏଥିପାଇଁ ବିଜେପି ସମର୍ଥିତ ବିଧାୟକ ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀକୁ ଜିତାଇବା ଆବଶ୍ୟକ ବୋଲି ସାଂସଦ ହେମାମାଳିନୀ କହିଥିଲେ। କଣାସରେ ଅନୁଷ୍ଠିତ ଏହି ସଭାରେ ବିଧାୟକ ପ୍ରାର୍ଥୀ ଓମ୍‌ପ୍ରକାଶ ମିଶ୍ର ଓ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସମେତ ସ୍ଥାନୀୟ ବିଜେପି ନେତା ଏକାଦଶୀ ବଳିୟାରସିଂହ, ବିଶ୍ୱଭୂଷଣ ମଙ୍ଗରାଜ, କଣ୍ଡୁରି ବଳିୟାରସିଂହ, ଲତାମଣି ଜଗଦ୍ଦେବ, ଅଭିମନ୍ୟୁ ଜୟସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ଆଜି ଅପରାହ୍ଣରେ ପିପିଲିରେ ବିଜେପି ପକ୍ଷରୁ ଏକ ରୋଡ୍‌ ସୋ’ରେ ଯୋଗ ଦେବା ଅବସରରେ ସାଂସଦ ହେମାମାଳିନୀ କହିଲେ ଯେ ମୋଦୀଙ୍କ ୪୦୦ ପାର୍ ନାରା ସଫଳ ହେବ ଓ ଓଡ଼ିଶାରେ ଡବଲ୍‌ ଇଞ୍ଜିନ୍‌ ସରକାର ନିଶ୍ଚିତ ହେବ। ଏହି ରୋଡ୍‌ ସୋ’ ମାଧ୍ୟମରେ ସ୍ଥାନୀୟ ବିଜେପି ପ୍ରାର୍ଥୀଙ୍କ ପାଇଁ ସେ ଭୋଟ ଭିକ୍ଷା କରିଥିଲେ। ହେମାମାଳିନୀଙ୍କ ସହ ରୋଡ୍‌ ସୋ’ରେ ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ଡେଲାଙ୍ଗ ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ସାମିଲ ହୋଇଥିଲେ। ଏହି ବିଶାଳ ରୋଡ୍‌ ସୋ’ ପିପିଲି ଟୋଲ୍‌ପ୍ଲାଜା ନିକଟ କୋଷ୍ଟଗାର୍ଡଛକଠାରୁ ଆରମ୍ଭ ହୋଇ ପିପିଲି ଚାନ୍ଦୁଆ ବଜାର ଦେଇ ହାଟଛକ ପର୍ଯ୍ୟନ୍ତ ଯାଇଥିଲା। ଆଜି ହେମାମାଳିନୀ ଭୁବନେଶ୍ବରରେ ପହଞ୍ଚିବା ପରେ ପ୍ରଥମେ ସାଲିଆସାହିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଏହା ପରେ କଟକସଦର ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀଙ୍କ ପାଇଁ ରୋଡ଼୍‌ ସୋ କରିଥିଲେ।