ସିନ୍ଧେକେଲା: ବଲାଙ୍ଗୀରଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ସିନ୍ଧେକେଲା ଅଞ୍ଚଳରେ ସାପଧରାଳି ସନ୍ତୋଷ ଚନ୍ଦା (୨୩) ଘରେ ଘରେ ପରିଚିତ। ତେବେ ସାପ ସହ ଖେଳିବା ଆଜି ତାଙ୍କୁ ମହଙ୍ଗା ପଡ଼ିଛି। ନାଗ ଦଂଶନରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ସିନ୍ଧେକେଲା ଅଞ୍ଚଳର ଏକ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ନାଗସାପ ପଶିଥିବାରୁ ସନ୍ତୋଷ ଚନ୍ଦାଙ୍କୁ ସେ ଫୋନ କରିଥିଲେ। ସନ୍ତୋଷ ସଙ୍ଗେ ସଙ୍ଗେ ଗାଁରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କ ଘରୁ ନାଗସାପକୁ କାବୁ କରିଥିଲେ। ଗାଁ ଦାଣ୍ଡରେ ଲୋକେ ରୁଣ୍ଡ ହୋଇଥିବାରୁ ସନ୍ତୋଷ ଧରିଥିବା ବିଷଧର ସାପ ସହ ସେମାନଙ୍କୁ ଖେଳ ଦେଖାଉଥିଲେ।
ସାପର ଫଣାକୁ ତାଙ୍କ ମୁହଁ ସାମନାରେ ରଖି ନିଜ ଜିଭ ବାହାର କରି ତାକୁ ଦେଖାଉଥିଲେ। ଏହି ସମୟରେ ସାପଟି ସନ୍ତୋଷଙ୍କ ଜିଭରେ ଚୋଟ ମାରିଥିଲା। ଫଳରେ ଓଠ ଫୁଲି ଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ସିନ୍ଧେକେଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ଭବାନୀପାଟଣା ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି। ଶବ ଗାଁକୁ ଅଣାଯାଇ ସିନ୍ଧେକେଲା ଉନ୍ଦେର ନଦୀକୂଳ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଛି।