ଭୁବନେଶ୍ବର : ସାର୍ବଜନୀନ ସ୍ୱାସ୍ଥ୍ୟ ସେବାରେ ଗୁଣାତ୍ମକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଆମ ହସ୍ପିଟାଲ’ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ପ୍ରକଳ୍ପ ପୂର୍ଣାଙ୍ଗ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମୟ ସାରଣୀ ଧାର୍ଯ୍ୟ କରାଯାଇଛି। ଏହାସହ ପ୍ରତି ଜିଲ୍ଲାକୁ ସେମାନଙ୍କ ପ୍ରକଳ୍ପ ଆକଳନ ଅନୁସାରେ ଆବଶ୍ୟକ ପାଣ୍ଠି ଯୋଗାଇ ଦିଆଯାଇଛି। ଏଥିପାଇଁ ପୂର୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଓ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ଯୁଗ୍ମ ସ୍ୱାକ୍ଷରିତ ନିର୍ଦେଶନାମା ଜିଲ୍ଲାପାଳମାନଙ୍କୁ ପଠାଯାଇଛି।

Advertisment

ଆସନ୍ତା ମେ’ ୧୫ ତାରିଖ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ କରି କ୍ଷେତ୍ରସ୍ତରୀୟ କାର୍ଯ୍ୟ ଆରମ୍ଭ ନିମନ୍ତେ ନିର୍ଦେଶ ଦିଆଯାଇଛି। ଅକ୍ଟୋବର ଶେଷ ସୁଦ୍ଧା ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବାକୁ କୁହାଯାଇଛି। ନିର୍ଧାରିତ ମାନକ ଅନୁସାରେ ଗୁଣାତ୍ମକମାନ ବଜାୟ ରଖି ନିର୍ମାଣ କାର୍ଯ୍ୟ କରିବା ପାଇଁ ନିର୍ଦେଶ ଦିଆଯାଇଛି। ସୂଚନା ଯେ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାର ୧୪୭ ଟି ହସ୍ପିଟାଲ ୫-ଟି ଢାଞ୍ଚାରେ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ପ୍ରକଳ୍ପର ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇଛି। ପ୍ରକଳ୍ପର ଅନୁମୋଦନ, କାର୍ଯ୍ୟାନ୍ୱୟନ ଓ ତଦାରଖ ନିମନ୍ତେ ଜିଲ୍ଲାସ୍ତରୀୟ କମିଟିକୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି।