ମିଲ୍‌ ମାଲିକଙ୍କ ପାଇଁ ଚାଉଳ ଫେରସ୍ତ ସମୟସୀମା : ଜୁଲାଇ ୩୧ ସୁଦ୍ଧା ଖରିଫ, ଅଗଷ୍ଟ ୩୧ ସୁଦ୍ଧା ଖରିଫ-ରବି

ଭୁବନେଶ୍ୱର : ରାଜ୍ୟର ଅନେକ ମିଲ୍‌ ମାଲିକ ଚାଷୀମାନଙ୍କଠାରୁ ଧାନ ନେଇ ମିଲିଂ କରି ଚାଉଳ(ସିଏମ୍‌ଆର) ସଠିକ୍‌ ସମୟରେ ଫେରାଉ ନ ଥିବାରୁ ସମସ୍ୟା ଉପୁଜୁଛି। ଏହାକୁ ଦୃଷ୍ଟିରେ ରଖି ଖାଦ୍ୟ ଯୋଗାଣ ବିଭାଗ ମିଲ୍‌ ମାଲିକମାନଙ୍କ ପାଇଁ ନୂଆ ସମୟସୀମା ଧାର୍ଯ୍ୟ କରିଛି। ଏହି ସମୟସୀମା ଅନୁସାରେ ଆସନ୍ତା ଜୁଲାଇ ୩୧ ତାରିଖ ସୁଦ୍ଧା କେବଳ ଖରିଫ ଧାନ ଏବଂ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଉଭୟ ଖରିଫ ଓ ରବି ଧାନ ନେଇଥିବା ମିଲ୍‌ ମାଲିକମାନେ ଚାଉଳ ଫେରାଇବାକୁ ହେବ। ଆଜି ଏ ନେଇ ବିଭାଗୀୟ ଯୁଗ୍ମ ସଚିବ ବିଜୟ କୁମାର ପୃଷ୍ଟି ଓଡ଼ିଶା ଖାଦ୍ୟ ଯୋଗାଣ ନିଗମ, ଟିଡିସିସି ଓ ମାର୍କଫେଡ୍‌ ପରିଚାଳନା ନିର୍ଦେଶକଙ୍କୁ ବିଭାଗୀୟ ନିର୍ଦେଶନାମା ଜାରି କରିଛନ୍ତି। ଖାଦ୍ୟ ଯୋଗାଣ ବିଭାଗ ୨୦୧୭-୧୮ ଖରିଫ ଋତୁ ପାଇଁ ଉଭୟ ଖରିଫ ଓ ରବି ଧାନ ନେଇଥିବା ମିଲ୍‌ ମାଲିକମାନଙ୍କ ପାଇଁ ଏହା କଡ଼ାକଡ଼ି ଲାଗୁ କରାଯିବ। ଏହି ନିର୍ଦେଶନାମା ଅନୁଯାୟୀ ଯେଉଁ ଜିଲ୍ଲାଗୁଡ଼ିକରେ କେବଳ ଖରିଫ ଧାନ ସଂଗ୍ରହ କରାଯାଇଛି ସେହି ଜିଲ୍ଲାରୁ ଜୁଲାଇ ୩୧ ତାରିଖ ସୁଦ୍ଧା ମିଲ୍‌ ମାଲିକମାନେ ଚାଉଳ ଫେରାଇବେ। ଉଭୟ ଖରିଫ ଓ ରବି ଧାନ ନେଇଥିବା ଜିଲ୍ଲାଗୁଡ଼ିକର ମିଲ୍‌ ମାଲିକମାନେ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଚାଉଳ ଫେରାଇବେ। ଏହି ସମୟସୀମା ମଧ୍ୟରେ ଚାଉଳ ନ ଫେରାଇଲେ, ପରବର୍ତୀ ଖରିଫ ଋତୁରେ ଧାନ ନେବା କ୍ଷେତ୍ରରେ ସେମାନଙ୍କୁ ହତୋତ୍ସାହିତ କରାଯିବ ବୋଲି ସତର୍କ କରି ଦିଆଯାଇଛି। ଏଣୁ, ସମସ୍ତ ସିଏମ୍‌ଆର ମିଲ୍‌ ମାଲିକଙ୍କୁ ଏହି ନିର୍ଦେଶନାମା ସଂପର୍କରେ ତୁରନ୍ତ ଅବଗତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର