ଭୁବନେଶ୍ବର : ରାଜ୍ୟର ମେଡିକାଲ କଲେଜ ଓ ଡେଣ୍ଟା‌ଲ କଲେଜରେ ଥିବା ଡାକ୍ତରୀ ଶିକ୍ଷକଙ୍କୁ ଏଣିକି ଧାର୍ଯ୍ୟ ସମୟରେ ବୃତ୍ତିଗତ ପଦୋନ୍ନତି ମିଳିବ। ଜାତୀୟ ମେଡିକାଲ କମିସନର ଟିଚର୍ସ ଏଲିଜିବିଲିଟି କ୍ବାଲି‌ଫିକେସନ୍ ରେଗୁଲେସନ୍ ଓ ଡେଣ୍ଟାଲ କାଉନସିଲ ଅଫ ଇଣ୍ଡିଆ ଅନୁଯାୟୀ ଯେଉଁମାନେ ପଦୋନ୍ନତି ପାଇବାକୁ ଯୋଗ୍ୟ, ମାତ୍ର ପଦବି ଖାଲି ନ ଥିବାରୁ ପଦୋନ୍ନତି ମିଳିପାରୁନାହିଁ। ସେମାନଙ୍କୁ ଏବେ ଧାର୍ଯ୍ୟ ସମୟରେ ପଦୋନ୍ନତି ଦିଆଯିବ। ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧୀନରେ ଥିବା କମିଟି ଏହି ପ୍ରସ୍ତାବ ଦେଇଛି। ଯାହାଫଳରେ ରାଜ୍ୟରେ ବରିଷ୍ଠ ଡାକ୍ତରୀ ଶିକ୍ଷକଙ୍କୁ ନେଇ ଯେଉଁ ଅଭାବ ରହିଛି ତାହା ପୂରଣ ହୋଇପାରିବ ବୋଲି ଆଶା କରାଯାଉଛି।

Advertisment

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଧାର୍ଯ୍ୟ ସମୟରେ ପଦୋନ୍ନତି ଫଳରେ ତଳ ପଦବିରେ ଥିବା ଡାକ୍ତରୀ ଶିକ୍ଷକ ଉପରିସ୍ଥ ପଦବି ଖାଲି ନ ହେଲେ ମଧ୍ୟ ସମାନ ମାନ୍ୟତା ପାଇବେ। ପରବର୍ତୀ ସମୟରେ ଉପରିସ୍ଥ ପଦବି ଖାଲି ହେଲେ ତାଙ୍କୁ ସମାନ ଆର୍ଥିକ ସୁବିଧା ସୁଯୋଗ ସହ ପଦୋନ୍ନତି ମିଳିବ। ଯେଉଁ ଡାକ୍ତରୀ ଶିକ୍ଷକ ଧାର୍ଯ୍ୟ ସମୟରେ ପଦୋନ୍ନତିରେ ସାମିଲ ହେବେ ସେମାନେ ପଦୋନ୍ନତି ପାଇବା ପର୍ଯ୍ୟନ୍ତ ପୂର୍ବଭଳି ଜରୁରୀକାଳୀନ ଡ୍ୟୁଟି କରିବେ। ତେବେ ଯେଉଁମାନେ ଏହି ଧାର୍ଯ୍ୟ ସମୟରେ ପଦୋନ୍ନତି ପ୍ରକ୍ରିୟାରେ ସାମିଲ ହେବେ ନାହିଁ ସେମାନେ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ସୂଚନା ଦେବେ। ମାତ୍ର ସେମାନନଙ୍କ ଅନ୍ତଃ ବରିଷ୍ଠତା ବଜାୟ ରହିବ।

ଜାତୀୟ ମେଡିକାଲ କମିସନ(ଏନ୍‌ଏମ୍‌ସି)ର ମାନଦଣ୍ଡ ଅନୁଯାୟୀ ରାଜ୍ୟ‌ରେ ଏବେ କାର୍ଯ୍ୟକ୍ଷମ ଥିବା ମେଡିକାଲ କଲେଜ ଓ ଆଗାମୀ ଦିନରେ ପ୍ରତିଷ୍ଠା ହେବାକୁ ଥିବା କଲେଜ ପାଇଁ ବରିଷ୍ଠ ଡାକ୍ତରୀ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ମାତ୍ର ରାଜ୍ୟରେ ‌ଆସୋସିଏଟ୍‌ ପ୍ରଫେସର ଓ ପ୍ରଫେସରଙ୍କ ଅଭାବ ରହିଛି। ବର୍ତ୍ତମାନର ଓଇଏମ୍‌ଏସ୍‌ କ୍ୟାଡର ଅନୁସାରେ ପଦୋନ୍ନତି ପାଇବାକୁ ହେଲେ ଦୀର୍ଘ ବର୍ଷ ଅପେକ୍ଷା କରିବାକୁ ପଡ଼ୁଛି। ଯାହାଫଳରେ ବରିଷ୍ଠ ଡାକ୍ତରୀ ଶିକ୍ଷକଙ୍କୁ ନେଇ ସମସ୍ୟା ସୃଷ୍ଟି ହେଉଛି। ଏସ୍‌ସିବିରେ କାର୍ଯ୍ୟରତ ଜଣେ ଡାକ୍ତରୀ ଶିକ୍ଷକ କହିଛନ୍ତି, ପୂର୍ବରୁ ପ୍ରଫେସର ପଦବି ପାଇଁ ଜଣଙ୍କୁ ବହୁବର୍ଷ ଅପେକ୍ଷା କରିବାକୁ ପଡ଼ୁଥିଲା। ମାତ୍ର ରାଜ୍ୟ ସରକାରଙ୍କ ଏହି ନୂଆ ବ୍ୟବସ୍ଥା ଫଳରେ ଜଣେ ୭ବର୍ଷରେ ପ୍ରଫେସର ହୋଇପାରିବେ। ଏଥିରେ ୪ବର୍ଷ ସହକାରୀ ପ୍ରଫେସର ଓ ୩ବର୍ଷ ଆସୋସିଏଟ୍‌ ପ୍ରଫେସର ଭାବେ କାର୍ଯ୍ୟ କରିବାକୁ ହେବ।