ଭୁବନେଶ୍ୱର: ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ଓଡ଼ିଶାର କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ସ୍ପୋର୍ଟ୍ସ ଡେଭେଲପମେଣ୍ଟ୍ ଏଣ୍ଡ ଇମ୍ପାକ୍ଟ’ ଶ୍ରେଣୀରେ ଟାଇମ୍ସ ବିଜନେସ ଆୱାର୍ଡ ଓଡ଼ିଶା-୨୦୨୩ ପୁରସ୍କାରରେ ସମ୍ମାନିତ କରାଯାଇଛି। ନଭେମ୍ବର ୮ତାରିଖରେ ଭୁବନେଶ୍ୱରରେ ଆୟୋଜିତ ଏକ ସମାରୋହରେ ପ୍ରଖ୍ୟାତ ଅଭିନେତା ବୋମନ୍ ଇରାନୀଙ୍କ ଦ୍ୱାରା ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିଲା। କମ୍ପାନୀ ପକ୍ଷରୁ ଭର୍ଜିଲ ଲାକ୍ରା (ଡିଜିଏମ - ସିଏସଆର) ଏବଂ ସୁବ୍ରତ ତ୍ରିପାଠୀ (ମ୍ୟାନେଜର - ସିଏସଆର) ଏହି ସମ୍ମାନ ଗ୍ରହଣ କରିଥିଲେ।
ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଏହାର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଓଡ଼ିଶାର ଗ୍ରାମାଞ୍ଚଳ ତଥା ଆଦିବାସୀ ଅଞ୍ଚଳରେ କ୍ରୀଡ଼ାର ବିକାଶ କ୍ଷେତ୍ରରେ ବିଶେଷ କାର୍ଯ୍ୟ କରିଆସୁଛି। କମ୍ପାନୀର ସାମାଜିକ ସଂସ୍ଥା, ଜେଏସପି ଫାଉଣ୍ଡେସନ୍, ସ୍ଥାନୀୟ ଯୁବକମାନଙ୍କ ଫିଟନେସ୍ ଏବଂ କ୍ରୀଡ଼ା କୌଶଳ ବିକାଶ ନିମନ୍ତେ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ, ପ୍ରଶିକ୍ଷଣ ଏବଂ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ ବ୍ୟବସ୍ଥା କରି କ୍ରୀଡ଼ାବିତ ଏବଂ ପାରମ୍ପରିକ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।
ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ନେତୃତ୍ଵାଧୀନ ଜେଏସପି ଫାଉଣ୍ଡେସନ ଗ୍ରାମାଞ୍ଚଳରେ ତୃଣମୂଳ ହକିକୁ ପ୍ରୋତ୍ସାହିତ କରିବା ନିମନ୍ତେ ଦିଲୀପ ତିର୍କି ଫାଉଣ୍ଡେସନ ସହଭାଗିତାରେ ୨୧୫ ଗ୍ରାମରେ ୫,୦୦୦ରୁ ଅଧିକ ଉଦୀୟମାନ ହକି ପ୍ରତିଭାକୁ ସହାୟତା ଯୋଗାଇ ଦେଉଛି। ଏହା ବ୍ୟତୀତ ବର୍ଷରେ ବିଭିନ୍ନ ସମୟରେ ଗ୍ରାମାଞ୍ଚଳରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ସ୍ଥାନୀୟ କ୍ରୀଡ଼ାବିତମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରୁଛି।
କେନ୍ଦୁଝର ଜିଲ୍ଲା ବଡ଼ବିଲଠାରେ ସ୍ଵୀକୃତିପ୍ରାପ୍ତ ପ୍ରଶିକ୍ଷକଙ୍କ ଦ୍ୱାରା ତାଲିମ ପ୍ରଦାନ ସହିତ ଉଚ୍ଚମାନର ଭିତ୍ତିଭୂମି ତଥା ପୁଷ୍ଟିକର ଖାଦ୍ୟ ସହାୟତା ପ୍ରଦାନ କରି, ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ଉସୁ ଖେଳାଳୀ ସୃଷ୍ଟି କରିବାରେ ଜେଏସପି ଫାଉଣ୍ଡେସନ ପ୍ରମୁଖ ଭୂମିକା ଗ୍ରହଣ କରିଛି। ପ୍ରତିଭାଶାଳୀ ଯୁବ କ୍ରୀଡ଼ାବିତଙ୍କୁ କ୍ରୀଡ଼ା ଏବଂ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଆବାସିକ ସୁବିଧା ପ୍ରଦାନ କରିବା ନିମନ୍ତେ ଜେଏସପି ଦ୍ବାରା ଏଠାରେ ଜିନ୍ଦଲ କ୍ରୀଡ଼ା ଛାତ୍ରବସ୍କ ପ୍ରତିଷ୍ଠା କରାଯାଇଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ୫୦ ଜଣରୁ ଅଧିକ ବାଳିକାମାନଙ୍କୁ ନେଇ ହକି ଟିମ ଗଠନକରି ସେମାନଙ୍କୁ ପୁଷ୍ଟିକର ଖାଦ୍ୟ, ପ୍ରଶିକ୍ଷଣ, କ୍ରୀଡ଼ା ଉପକରଣ ଏବଂ ଅନ୍ୟାନ୍ୟ ସୁବିଧା କମ୍ପାନୀ ପ୍ରଦାନ କରୁଛି।
ଏହି ସମ୍ମାନଜନକ ପୁରସ୍କାର ପାଇଁ ଜୁରୀମାନଙ୍କୁ ଧନ୍ୟବାଦ ଜଣାଇ ଗ୍ରୁପ୍ ସିଏସ୍ଆର୍ ମୁଖ୍ୟ ପ୍ରଶାନ୍ତ ହୋତା କହିଛନ୍ତି ଯେ “ଗ୍ରାମାଞ୍ଚଳ ତଥା ଆଦିବାସୀ ଯୁବକମାନଙ୍କ କ୍ରୀଡ଼ା ପ୍ରତିଭାର ବିକାଶ କରିବା ତଥା ଦେଶ ପାଇଁ ପୁରସ୍କାର ଆଣିବା ନିମନ୍ତେ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଜେଏସପି ପ୍ରତିଶ୍ରୁତିବଦ୍ଧ। ଆମର ଅଧ୍ୟକ୍ଷ ନବୀନ ଜିନ୍ଦଲ ନିଜେ ଦେଶର ଏକ ପ୍ରତିଷ୍ଠିତ କ୍ରୀଡ଼ା ପ୍ରତିଭା ଅଟନ୍ତି ଏବଂ ଗ୍ରାମାଞ୍ଚଳ ତଥା ଆଦିବାସୀ କ୍ରୀଡ଼ା ପ୍ରତିଭାର ବିକାଶ କରିବା ଏବଂ ଭାରତର ଗ୍ରାମାଞ୍ଚଳରେ କ୍ରୀଡ଼ାର ଉନ୍ନତି ନିମନ୍ତେ ଆବଶ୍ୟକୀୟ ସୁବିଧା ଓ ଭିତ୍ତିଭୂମି ଉପଲବ୍ଧ କରିବା ପାଇଁ ସେ ଆମ ପାଇଁ ଦୂରଦୃଷ୍ଟିଲକ୍ଷ୍ୟ ନିର୍ଦ୍ଧାରିତ କରିଛନ୍ତି। ଦେଶ ପାଇଁ ଗୌରବ ଆଣିବାର ସ୍ୱପ୍ନ ଦେଖୁଥିବା ୩୦,୦୦୦ରୁ ଅଧିକ କ୍ରୀଡ଼ା ପ୍ରତିଭାଙ୍କୁ ଶାଲୁ ଜିନ୍ଦଲଙ୍କ ନେତୃତ୍ବରେ ଜେଏସପି ଫାଉଣ୍ଡେସନ୍ ସହାୟତା ପ୍ରଦାନ କରୁଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp