ଭୁବନେଶ୍ୱର : ୨୦୧୯ ମସିହା ପାଇଁ ଟାଇମ୍ସ ହାୟର ଏଜୁକେସନ(ଟିଏଚ୍‌ଇ) ପକ୍ଷରୁ ବିଶ୍ବର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକା ପ୍ରକାଶ ପାଇଛି। ଏଥିରେ ୧୨୫୮ଟି ବିଶ୍ବବିଦ୍ୟାଳୟକୁ ରୢାଙ୍କ ମିଳିଥିବା ବେଳେ ସେଥିରେ ଭାରତରୁ ୪୯ଟି ଶିକ୍ଷାନୁଷ୍ଠାନ ରହିଛି। ଗତବର୍ଷ ଏହି ତାଲିକାରେ ୪୨ଟି ଶିକ୍ଷାନୁଷ୍ଠାନ ଥିିବା ବେଳେ ଏଥର ଅଧିକ ୭ଟି ଶିକ୍ଷାନୁଷ୍ଠାନ ସାମିଲ ହୋଇଛନ୍ତି। ବାଙ୍ଗାଲୋରସ୍ଥିତ ଇଣ୍ତିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ(ଆଇଆଇଏସ୍‌ସି) ବିଶ୍ବ ରୢାଙ୍କିଙ୍ଗ୍‌ରେ ୨୫୧-୩୦୦ତମ ତାଲିକା ମଧୢରେ ରହି ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମାନ୍ୟତା ହାସଲ କରିଛି। ଆଇଆଇଟି ଇନ୍ଦୋର ଦ୍ବିତୀୟ ଓ ଆଇଆଇଟି ବମ୍ବେ ତୃତୀୟ ସ୍ଥାନରେ ରହିଛି। ଶିକ୍ଷା, ଉଚ୍ଚତର ଗବେଷଣା, ଭିତ୍ତିଭୂମି, ବିଦ୍ୟାର୍ଥୀ ସଂଖ୍ୟା, ଇଣ୍ଡଷ୍ଟ୍ରି ଇନ୍‌କମ୍‌, ବିଦ୍ୟାର୍ଥୀ-ଶିକ୍ଷା କର୍ମଚାରୀଙ୍କ ଅନୁପାତ, ବିଦେଶୀ ଛାତ୍ରଛାତ୍ରୀଙ୍କ ପ୍ରତିଶତ ଓ ଛାତ୍ରୀ-ଛାତ୍ର ଅନୁପାତ ଆଦି ବିଷୟକୁ ରୢାଙ୍କିଙ୍ଗ୍‌ର ମାପକାଠି ଗ୍ରହଣ କରାଯାଇଥିଲା। ଦେଶର ୪୯ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ଓଡ଼ିଶାରୁ ୩ଟି ରହିଛନ୍ତି। ଏଥିରେ ଦୁଇଟି କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଥିବା ବେଳେ ଗୋଟିଏ ଘରୋଇ ବିଶ୍ବବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଛି। ପ୍ରଥମଥର ପାଇଁ ଭୁବନେଶ୍ବର ଆଇଆଇଟି ଏହି ତାଲିକାରେ ସ୍ଥାନ ପାଇଛି। ୬୦୧-୮୦୦ ରୢାଙ୍କ ମଧ୍ୟରେ ରହିବା ସହ ଭୁବନେଶ୍ବର ଆଇଆଇଟି ଦେଶର ଶ୍ରେଷ୍ଠ ୧୦ ଶିକ୍ଷାନୁଷ୍ଠାନରେ ସ୍ଥାନ ହାସଲ କରିଛି। ଆଇଆଇଟି ନିର୍ଦେଶକ ଆର ଭି ରାଜାକୁମାର ଏହାକୁ ନେଇ ଖୁସିବ୍ୟକ୍ତ କରିବା ସହ ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନ ଯୋଗ୍ୟତା ଅର୍ଜନ କ୍ଷେତ୍ରରେ ଆଇଆଇଟି ପ୍ରଥମ ପାହାଚ ଚଢ଼ିଛି ବୋଲି କହିଛନ୍ତି। ଆଗାମୀ ଦିନରେ ଆହୁରି ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।

Advertisment

ଅନ୍ୟତମ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ରାଉରକେଲା ଏନ୍‌ଆଇଟି ରୢାଙ୍କିଙ୍ଗ୍‌ର ୭୦୦-୭୨୫ ମଧ୍ୟରେ ରହିଛି। ଏବେ ଏନ୍‌ଆଇଟିରେ ୬୦୧୦ ଛାତ୍ରଛାତ୍ରୀ ଥିବା ବେଳେ ୨୦ ଜଣ ପିଲାଙ୍କ ପାଇଁ ଜଣେ ଲେଖାଏଁ ଅଧୢାପକ/ଶିକ୍ଷା କର୍ମଚାରୀ ନିୟୋଜିତ ଅଛନ୍ତି। ଏହି ଅନୁଷ୍ଠାନରେ ଅାନ୍ତର୍ଜାତୀୟ ବିଦ୍ୟାର୍ଥୀଙ୍କ ହାର ୪ ପ୍ରତିଶତ ରହିଛି। ଛାତ୍ରୀ-ଛାତ୍ରଙ୍କ ଅନୁପାତ ୧୯:୮୧ ରହିଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ବାରା ଗତବର୍ଷ ପ୍ରକାଶିତ ତାଲିକାରେ ଏନ୍‌ଆଇଟି ରାଉରକେଲା ୧୫ତମ ସ୍ଥାନରେ ଥିଲା।

କିଟ୍‌ ବିଶ୍ୱବିଦ୍ୟାଳୟ ରୢାଙ୍କିଙ୍ଗ୍‌ ତାଲିକାରେ ‘୧୦୦୧+’ରେ ସ୍ଥାନ ହାସଲ କରିଛି। ୨୦ ବର୍ଷର ଏହି ଶିକ୍ଷାନୁଷ୍ଠାନ ରାଜ୍ୟର ପୁରାତନ ସରକାରୀ ଶିକ୍ଷାନୁଷ୍ଠାନକୁ ପଛରେ ପକାଇ ସଫଳତା ହାସଲ କରିଛି। ଶିକ୍ଷାନୁଷ୍ଠାନର ଏଭଳି ସଫଳତା ନେଇ କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସିବ୍ୟକ୍ତ କରିବା ସହ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ନିରବଚ୍ଛିନ୍ନ ପରିଶ୍ରମ ଓ ଭଗବାନଙ୍କ ଆଶୀର୍ବାଦ ଯୋଗୁଁ ସମ୍ଭବପର ହୋଇଛି ବୋଲି କହିଛନ୍ତି। ଆଗାମୀ ଦିନରେ ଏହି ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରରେ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।