ତିନିମୁହାଣି ଗୁଳିକାଣ୍ଡ : ୨୪ ଘଣ୍ଟା ପରେ ବି ପୁଲିସ ହାତ ଖାଲି, ବଜାର ବନ୍ଦ, ରାସ୍ତାରୋକ

ଟଣାସ୍ଥଳରେ ଅତିରିକ୍ତ ଡିଜି, ଆଇଜି, ବିଜେପି-ବିଜେଡି କର୍ମୀ ହାତାହାତି ମୃଦୁ ଲାଠିଚାଳନା

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ତିନିମୁହାଣି ଛକ ନିକଟ ଗୁଲନଗର ହାଇସ୍କୁଲ ସାମ୍ନା ରାସ୍ତାରେ ଗତକାଲି ଧର୍ମରକ୍ଷା ସେନାର ଜିଲ୍ଲା ମୁଖ୍ୟ ବିବେକନନ୍ଦ ମହାରଣା(ବାବୁଲି)ଙ୍କ ଉପରକୁ ଗୁଳି କରାଯାଇଥିଲା। ଏହି ଘଟଣାକୁ ୨୪ ଘଣ୍ଟା ବିତିବା ପରେ ବି ପୁଲିସ୍‌ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚି ପାରି ନାହିଁ। ଗୁଳିକାଣ୍ତ ଘଟଣାର ପ୍ରତିବାଦ ସହ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଆଜି ତିନିମୁହାଣି ବଜାର କମିଟି ସଦସ୍ୟ ଓ ସ୍ଥାନୀୟ ଅଞ୍ଚଳବାସୀ ତିନିମୁହାଣି ବଜାର ବନ୍ଦ କରି ରଖିବା ସହ ରାମମନ୍ଦିର ସମ୍ମୁଖରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ସେହିପରି ଦୁହୁରିଆ, ଗୁଲନଗର ଛକ ଓ କଜଳା ଛକରେ ମଧ୍ୟ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା। ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

ରାମନଗର ପାଟଣାଠାରେ ଥିବା ସୋ’ ରୁମ ବନ୍ଦ କରି ବିବେକାନନ୍ଦ ଗତକାଲି ରାତି ପ୍ରାୟ ୯ଟାରେ ବୁଲେଟ୍‌ରେ ତିନିମୁହାଣିକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଗୋଟିଏ ଗୁଳି ତାଙ୍କ ପେଟରେ ବାଜିଥିଲା। ବିବେକାନନ୍ଦ ତଳେ ପଡ଼ି ଚିତ୍କାର କରୁଥିବା ବେଳେ ଦୁର୍ବୃତ୍ତମାନେ ଖସି ପଳାଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗତକାଲିଠାରୁ ଉତ୍ତେଜନା ଜାରି ରହିଛି। ଆଜି ସକାଳେ ତିନିମୁହାଣିର ବ୍ୟବସାୟୀମାନେ ଓ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଥିଲେ। ସେହିପରି ଦୁହୁରିଆ, ଗୁଲନଗର ଛକ, କଜଳା ଛକରେ ମଧ୍ୟ ଟାୟାର ଜାଳି ଲୋକେ ରାସ୍ତା ଅବରୋଧ କରିଥିଲେ। ଦିନତମାମ ରାସ୍ତା ବନ୍ଦ ଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅପରାହ୍ଣ ସାଢେ଼ ୪ଟାରେ ରାସ୍ତାରୋକ ପ୍ରତ୍ୟାହୃତ ହେବା ପରେ ଜୀବନଯାତ୍ରା ସ୍ବାଭାବିକ ହୋଇଥିଲା।

ଅତିରିକ୍ତ ପୁଲିସ ଡିଜି ସଂଜୀବ ପଣ୍ତା, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଏସ୍‌ପି ନୀତି ଶେଖରଙ୍କ ସମେତ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଏଥିସହ ଅତିରିକ୍ତ ଏସ୍‌ପି ଅରୁଣ କୁମାର ଜେନା, ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ତା, ରଂଜନ କୁମାର ଦେ, ଡିଏସ୍‌ପି କାର୍ତ୍ତିକ ଚନ୍ଦ୍ର ମଲ୍ଲିକଙ୍କ ସମେତ ଜିଲ୍ଲାର ୯ଟି ଥାନାର ଆଇଆଇସି ତିନିମୁହାଣି ଛକରେ ଜଗି ରହି ଆଇନଶୃଙ୍ଖଳା ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଖୁବ୍ ଶୀଘ୍ର ଦୁର୍ବୃତ୍ତଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ। ପୁଲିସ ବିଭିନ୍ନ ଦିଗକୁ ଆଧାର କରି ଆଜି ସାଇଣ୍ଟିଫିକ୍‌ ଟିମ୍‌ ସହ ତଦନ୍ତ ଚଳାଇଛି। ସେପଟେ, ଏସ୍‌ସିବି ମେଡିକାଲ ଆଇସିୟୁରେ ଚିକିତ୍ସିତ ହେଉଥିବା ବିବେକାନନ୍ଦଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପେଟରେ ବାଜିଥିବା ଗୁଳି ବାହାରି ଯାଇଥିବାରୁ ସେ ବିପଦମୁକ୍ତ ଅଛନ୍ତି ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

ବିଜେପି-ବିଜେଡି କର୍ମୀ ହାତାହାତି ମୃଦୁ ଲାଠିଚାଳନା

ଗରଦପୁର : ପାଟକୁରା ନିର୍ବାଚନକୁ ନେଇ ଆଜି ବନ୍ତଳା ଗ୍ରାମରେ ବିଜେପି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ହୋଇଛି। ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିବାରୁ ପୁଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ, ଆଜି ପୂର୍ବାହ୍ନ ୧୧ଟାରେ ବିଜେପିର କେତେଜଣ କର୍ମକର୍ତ୍ତା ବନ୍ତଳା ଗ୍ରାମରେ ଥିବା ବିଜେଡି ଅଫିସ୍‌ ଆଗରେ ଗାଳିଗୁଲଜ କରିଥିଲେ। ସେଠାରେ ଉପସ୍ଥିତ ଥିବା ବିଜେଡି କର୍ମୀମାନେ ମଧ୍ୟ ବିଜେପି କର୍ମୀଙ୍କୁ ଗାଳିଗୁଲଜ କରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ଓ ପରେ ବନ୍ତଳା ପ୍ରାଇମେରୀ ସ୍କୁଲ ନିକଟ ରାସ୍ତା ଉପରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। କିଛି ସମୟ ଯୁକ୍ତିତର୍କ ପରେ ଉତ୍ତେଜନା ବଢ଼ିଥିଲା ଓ ସେମାନଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଖବରପାଇ ପାଟକୁରା ଥାନା ଏଏସଆଇ ରବୀନ୍ଦ୍ର କୁମାର ବେଉରିଆଙ୍କ ନେତୃତ୍ବରେ ପୁଲିସ ପେଟ୍ରୋଲିଂ ଗାଡ଼ି ସେଠାରେ ପହ‌ଞ୍ଚିଥିଲା। ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିବାରୁ ପୁଲିସ ସେଠାରେ ମୃଦୁ ଲାଠିଚାଳନା କରିଥିଲା। ପରିସ୍ଥିତି ଶାନ୍ତ ପଡ଼ିବାରୁ ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରିବା ପରେ ସେମାନେ ସେଠାରୁ ପଳାଇ ଯାଇଥିଲେ।

ସମ୍ବନ୍ଧିତ ଖବର