ରାଇରଙ୍ଗପୁରଢ: ମୟୂରଭଞ୍ଜ ଭଳି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ୨୦୦୫ ମସିହାରେ ତିରିଂ ବ୍ଲକରେ ପ୍ରତିଷ୍ଠିତ ହୋଇଥିଲା ସରକାରୀ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟ। ପୂର୍ବରୁ ଉଚ୍ଚଶିକ୍ଷା ଅଧୀନରେ ଥିବା ଏହି ଅନୁଷ୍ଠାନ ପରିବର୍ତ୍ତିତ ଶିକ୍ଷାନୀତିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରିଚାଳନା ଅଧୀନକୁ ଆସି ସରକାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରୂପାନ୍ତରିତ ହୋଇଛି। ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀ ନାମ ନ ଲେଖାଇବା ଶିକ୍ଷା ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ବର୍ଷ ବର୍ଷ ଧରି ଅଧ୍ୟାପକ ପଦବି ଖାଲି, ପରିଚାଳନାଗତ ତ୍ରୁଟି, ବିଜ୍ଞାନ ଭଳି ଜଟିଳ ବିଷୟରେ ଅଧ୍ୟୟନ ଲାଗି ଛାତ୍ରଛାତ୍ରୀଙ୍କ ଅନାଗ୍ରହ ଆଦି ବିଭିନ୍ନ କାରଣ ସଂପର୍କରେ ଚର୍ଚ୍ଚା ହେଉଥିବା ବେଳେ ଏହାର ନିର୍ଦ୍ଦିଷ୍ଟ କାରଣ ଅନୁଧ୍ୟାନ କରିବା ଲାଗି ଉଚ୍ଚଶିକ୍ଷା ବିଭାଗ ବର୍ତ୍ତମାନ ପ୍ରୟାସ ଆରମ୍ଭ କରିଛି। ଏ ପରିପ୍ରେକ୍ଷୀରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ସନାତନ ପଣ୍ଡା ଆଜି ଏହି ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବା ସହ ପାଠପଢ଼ା ଭିତ୍ତିଭୂମି, ପରିମଳ ଓ ପରିଚ୍ଛନ୍ନତା ଆଦି ସଂପର୍କରେ ବିଦ୍ୟାଳୟର ଅଧ୍ୟକ୍ଷ ମୁରଲୀଧର ପାତ୍ରଙ୍କ ସହ ଆଲୋଚନା କରିଥିଲେ।
ଚଳିତବର୍ଷ ବିଦ୍ୟାଳୟରେ ଯେପରିି ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ନାମ ଲେଖାଇବେ ସେ ନେଇ ତିରିଂସ୍ଥିତ ଯଦୁନାଥପୁର ସୀମାନ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଧାକାନ୍ତ ମହାରଣାଙ୍କ ତତ୍ତ୍ବାବଧାନରେ ବିଦ୍ୟାଳୟ ପରିସରରେ ବ୍ଲକର ବିଭିନ୍ନ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀ, ସିଆର୍ସିସି, ଅଭିଭାବକ ଓ ଆଲୁମିନି ସଦସ୍ୟଙ୍କୁ ନେଇ ଏକ ଆଲୋଚନା ବୈଠକ କରାଯାଇଥିଲା। ଏଥିରେ ଯୁଗ୍ମ ନିର୍ଦ୍ଦେଶକ ସନାତନ ପଣ୍ଡା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପ୍ତି ନାୟକ, ରାଇରଙ୍ଗପୁର ବିଇଓ ପ୍ରକାଶଚନ୍ଦ୍ର ମହାଳିକ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ଅଧ୍ୟକ୍ଷ ମୁରଲୀଧର ପାତ୍ର, ପ୍ରଧାନଶିକ୍ଷକ ହରିହର ଗିରି, ବିଜ୍ଞାନ ଶିକ୍ଷକ ରଞ୍ଜନ କୁମାର ନନ୍ଦ, ଶରତ କୁମାର ଘଣା, ସୁବଳଚନ୍ଦ୍ର ଦାସ ମହାପାତ୍ର, ସର୍ବେଶ୍ୱର ମହାନ୍ତ, ପମା ବେଶ୍ରା, ପ୍ରଦ୍ୟୁମ୍ନ କୁମ୍ଭକାର, ଅଧ୍ୟାପକ ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର ପ୍ରମୁଖ ବିଭିନ୍ନ ସମସ୍ୟା ଉପରେ ଯୁଗ୍ମ ନିର୍ଦେଶକ ଶ୍ରୀ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ ବେହେରା, ଗୌତମ ଲେଙ୍କା, ଗିରିଧାରୀ ମହାନ୍ତ, ମାୟାରାନୀ ମହାନ୍ତ, ଜଗଦୀଶ ମୁଣ୍ଡା, ଅବନୀ ଭଞ୍ଜ, ହେମନ୍ତ ଗିରି, ଚନ୍ଦ୍ରମୋହନ ମୁର୍ମୁ, ସିଆର୍ସିସି ଅଜିତ କୁମାର ପାହାଡି, ଗୋବର୍ଦ୍ଧନ ଭୋଇ, ତପନ କୁମାର ପାତ୍ର, କାହ୍ନୁଚରଣ ଗିରି ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରକାଶଥାଉକି, ଏହି ବିଦ୍ୟାଳୟରେ ଓଡ଼ିଆ, ପଦାର୍ଥ ବିଜ୍ଞାନ, ରସାୟନବିଜ୍ଞାନ, ଗଣିତ, ଧନ୍ଦାମୂଳକ ଅଧ୍ୟାପକ ପଦ ଥିବାବେଳେ ଇଂରାଜୀ, ବାୟୋଲୋଜି ବିଭାଗର ଅଧ୍ୟାପକ ପଦ ସମେତ ବିଭିନ୍ନ ବିଭାଗର ଡେମନ୍ଷ୍ଟ୍ରେଟର୍, ଲାବ୍ ଆଟେଣ୍ଡାଣ୍ଟ ପଦବି ଖୁବ ଶୀଘ୍ର ପୂରଣ କରାଯିବ ବୋଲି ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପଣ୍ଡା ପ୍ରତିଶ୍ରୁତି ଦେଇଥିଲେ। ଆଗାମୀ ଦିନରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ନେଇ ସଚେତନତା ବୈଠକ ଆୟୋଜନ ସହ ନାମଲେଖା ପାଇଁ ଉତ୍ସାହିତ କରିବାକୁ ଯୁଗ୍ମ ନିର୍ଦେଶକ ଶ୍ରୀ ପଣ୍ଡା ତିରିଂ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମହାଳିକଙ୍କୁ ନିର୍ଦ୍ଦେଶ ଦେଇଥିଲେ।