ଦୁଇ ପୁଲିସ୍‌ ଅଧିକାରୀଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ

ତିର୍ତ୍ତୋଲ ଏସିଡ୍‌ ମାଡ଼ ଘଟଣା

ଭୁବନେଶ୍ୱର : ରାଜ୍ୟରେ ମହିଳାଙ୍କ ଉପରେ ବିଭିନ୍ନ ପ୍ରକାର ନିର୍ଯାତନା ସୀମା ଲଂଘୁଛି। ଦୋଷୀଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପୁଲିସ୍‌ ସଫଳତା ପାଉ ନାହିଁ। ଏନେଇ ସରକାର ଅଡ଼ୁଆରେ ପଡ଼ିଯାଇଛନ୍ତି। ଆଜି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳର ପ୍ରମୋଦିନୀ ରାଉଳଙ୍କ ଉପରେ ଏସିଡ୍‌ ମାଡ଼ ଘଟଣାରେ ଦୁଇ ପୁଲିସ୍‌ ଅଧିକାରୀଙ୍କୁ ନିଲମ୍ବନ କରି ସରକାର ଭାବମୂର୍ତ୍ତି ରକ୍ଷା କରିବାକୁ ଉଦ୍ୟମ କରିଛନ୍ତି। କାର୍ଯ୍ୟରେ ଗୁରୁତର ଅବହେଳା ପାଇଁ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ନିଲମ୍ବନ କରି ‘ଜିରୋ ଟୋଲେରାନ୍ସ’ ଦେଖାଇବାକୁ ଉଦ୍ୟମ କରିଛନ୍ତି। ପୁଲିସ୍‌କୁ ସତର୍କ ବି କରାଇଛନ୍ତି, ମହିଳା ଓ ଶିଶୁଙ୍କ ଅଭିଯୋଗ ସମ୍ପର୍କିତ ମାମଲାର ତଦନ୍ତରେ ଅବହେଳା କଲେ ସଂପୃକ୍ତ ଅଧିକାରୀ କଠୋରତମ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବେ।

ନିଲମ୍ବିତ ହୋଇଥିବା ଦୁଇ ଅଧିକାରୀ ହେଲେ ଆର୍‌ କେ ଜେନା ଓ ଶଙ୍କର୍ଷଣ ଦଳାଇ। ସମ୍ପ୍ରତି ନବରଙ୍ଗପୁର ଏସ୍‌ଡିପିଓ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ଜେନା ସେହି ସମୟରେ ଜଗତସିଂହପୁର ଡିଏସ୍‌ପି ଭାବେ କାର୍ଯ୍ୟ କରୁଥିଲେ। ସେହିପରି ଏବେ ବାଲେଶ୍ୱରରେ କାର୍ଯ୍ୟରତ ଶ୍ରୀ ଦଳାଇ ସେହି ସମୟରେ ତିର୍ତ୍ତୋଲ ଥାନାରେ ଇନ୍‌ସପେକ୍ଟର୍‌ ଭାବେ କାର୍ଯ୍ୟ କରୁଥିଲେ। ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ତୁରନ୍ତ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁଲିସ୍‌ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୦୯ ମସିହାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରେ ପ୍ରମୋଦିନୀ ରାଉଳଙ୍କ ଉପରେ ଏସିଡ୍‌ ମାଡ଼ ହୋଇଥିଲା। ସେଥିରେ ସେ ଗୁରୁତର ହୋଇଯିବା ସହ ଦୁଇଟି ଯାକ ଆଖି ହରାଇଥିଲେ। ଏ ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇ କେସ୍‌ ରୁଜୁ ହୋଇଥିଲା। କିନ୍ତୁ ପୁଲିସ୍‌ ଅଭିଯୁକ୍ତଙ୍କୁ ପାଇ ନ ଥିଲା। ତତ୍‌କାଳୀନ ତଦନ୍ତକାରୀ ଅଧିକାରୀମାନେ ତଦନ୍ତରେ ଚରମ ଅବହେଳା ପ୍ରଦର୍ଶନ କରି ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ। ବରଂ କେସ୍‌କୁ ସବୁଦିନ ପାଇଁ ବନ୍ଦ କରିଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କିଛି ଦିନ ତଳେ ପ୍ରମୋଦିନୀ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅବସରରେ ଏ ସମ୍ପର୍କରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତୁରନ୍ତ ଅପରାଧୀଙ୍କୁ ଧରିବା ପାଇଁ ମୁଖ୍ୟମନ୍ତ୍ରୀ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ କେସ୍‌ ଫାଇଲ୍‌ ପୁଣି ଥରେ ଖୋଲାଗଲା। ନିକଟରେ ପୁଲିସ୍‌ ମୁଖ୍ୟ ଅପରାଧୀ ଓ ତା’ର ସହଯୋଗୀଙ୍କୁ ଗିରଫ କରିଛି।

ଏପରି ଏକ ସମ୍ବେଦନଶୀଳ ଘଟଣାରେ ପୁଲିସ୍‌ର ତଦନ୍ତରେ ଅବହେଳା ପାଇଁ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଭିନ୍ନ ଥାନାରେ ମହିଳା ଓ ଶିଶୁମାନଙ୍କ ଅଭିଯୋଗର ତଦନ୍ତର ଅଗ୍ରଗତି ସମ୍ପର୍କରେ ୧୫ ଦିନ ଭିତରେ ସମୀକ୍ଷା କରି ତାଙ୍କୁ ରିପୋର୍ଟ ଦେବାକୁ ପୁଲିସ୍‌ ଡିଜିଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ଥାନାରେ ଏ ସମ୍ପର୍କିତ ଅଭିଯୋଗଗୁଡ଼ିକର ଉପଯୁକ୍ତ ତଦନ୍ତ ସମ୍ପର୍କରେ ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ନିୟମିତ ତଦାରଖକୁ ସୁନିଶ୍ଚିତ କରିବା ପାଇଁ ପୁଲିସ୍‌ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର