ପ୍ରାକ୍‌ ନିର୍ବାଚନୀ ଦୃଶ୍ୟପଟ୍ଟ: ତିର୍ତୋଲ ବିଜେଡିର ଫାଟ ବଢ଼ୁଛି

ପଞ୍ଚାୟତ ନିର୍ବାଚନରେ ମା’ ଛାଡ଼ିବେ କି ପୁଅର ହାତ!

ତିର୍ତୋଲ : ରାଜନୈତିକ ଦୃଷ୍ଟିକୋଣରୁ ଜଗତସିଂହପୁର ଜିଲ୍ଲାର ସର୍ବାଧିକ ସ୍ପର୍ଶକାତର ତିର୍ତୋଲ ବିଧାନସଭା କ୍ଷେତ୍ର‌ରେ ବିଜେଡିରେ ଥିବା ଅନ୍ତର୍ଦ୍ବନ୍ଦ୍ବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୁନର୍ବାର ପ୍ରତିଫଳତ ହେବ। ବିଜେଡି କର୍ମୀଙ୍କ ଗତିବିଧିରୁ ଏହି ଆଭାସ ମିଳିଲାଣି। ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଧାୟକ ଓ ସାଂସଦଙ୍କ ଦୁଇ ଗୋଷ୍ଠୀ ସମାନ୍ତରାଳ ଭାବେ ସଭା ସମିତି କରୁଛନ୍ତି। କୌଣସି ସ୍ଥାନରେ ସେମାନେ ଏକାଠି ହେଉ ନଥିବା ଘଟଣାରୁ ତଳସ୍ତରର କର୍ମୀଙ୍କ ମଧ୍ୟରେ ଏବେ ଏପରି ଏକ ବାର୍ତା ପ୍ରଚାରିତ ହୋଇଛି। ଏଭଳି ସ୍ଥିତିରେ କଂଗ୍ରେସ ଓ ବିଜେପି ଫାଇଦା ନେବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି।

୨୦୧୩ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥିତ ସମିତି ସଭ୍ୟ ରହିଥିଲେ ମଧ୍ୟ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦଟି କଂଗ୍ରେସ ହାତକୁ ଯାଇଥିଲା। ଏଥର ନିର୍ବାଚନରେ ତାର ପୁନରାବୃତ୍ତି ଘଟିବ ବୋଲି କଂଗ୍ରେସ ଦାବି କରୁଛି। ଅବଶ୍ୟ ଏହି ନିର୍ବାଚନମଣ୍ତଳୀରେ ବିଷ୍ଣୁ-ରାଜଶ୍ରୀଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ପୁରୁଣା। ବିଷ୍ଣୁଙ୍କ ଦେହାନ୍ତ ପରେ ଉପନିର୍ବାଚନ ବେଳେ ତାଙ୍କ ସୁପୁତ୍ର ବିଜୟଶଙ୍କର ବିଧାୟକ ପ୍ରାର୍ଥୀ ହୋଇଥିଲେ। ସେ ସମୟରେ ମଧ୍ୟ ରାଜଶ୍ରୀଙ୍କ ସମର୍ଥକମାନେ ଭିତରିଆ ବିରୋଧ କରିବାରୁ ଦଳୀୟ ହାଇକମାଣ୍ଡ୍‌ଙ୍କ ଚାପ ପଡ଼ିଥିଲା। ସାଂସଦ ଡା. ରାଜଶ୍ରୀ ମଲ୍ଲିକ ଓ ବିଧାୟକ ପ୍ରାର୍ଥୀ ହୋଇଥିବା ବିଷ୍ଣୁଙ୍କ ପୁଅ ବିଜୟ କୁମାର ଦାସଙ୍କ ମଧ୍ୟରେ ନିର୍ବାଚନ ପ୍ରଚାର ବେଳଠାରୁ ହିଁ ଦୂରତା ବଢ଼ିଥିଲା। ହାଇକମାଣ୍ଡ୍‌ ହସ୍ତକ୍ଷେପ ଓ ଆଦେଶ ପହଞ୍ଚିବା ପରେ ବିଳମ୍ବରେ ରାଜଶ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇବାରୁ ତଥାକଥିତ ବିଷ୍ଣୁ ଗୋଷ୍ଠୀ ଓ ରାଜଶ୍ରୀ ଗୋଷ୍ଠୀ ଭିତରେ ପ୍ୟାଚ୍‌ ପଡ଼ିଥିଲା। ସାଂସଦ ରାଜଶ୍ରୀ ମଲ୍ଲିକ ମା ହୋଇ ପୁଅ ବିଜୟ ଶଙ୍କରକୁ ହାତ ଧରାଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ବିଜୟ ଶଙ୍କର ଉପନିର୍ବାଚନରେ ବିଜୟୀ ହୋଇଥିଲେ।

Bhatkallys.com

କିଛିଦିନ ଦଳରେ କନ୍ଦଳ ଥମି ଯାଇଥିଲା। ତେବେ ପୁଣି ଉଭୟ ନେତାଙ୍କ ଭିତରେ ଦୂରତା ବଢ଼ିବାରେ ଲାଗିଲା। ଉଭୟଙ୍କୁ କୌଣସି ସଭା ସମିତିରେ ଏକାଠି ଦେଖିବାକୁ ମିଳିଲା ନାହିଁ। ଏବେ ଏହି ଅନ୍ତର୍ଦ୍ବନ୍ଦ୍ବ ଦାଣ୍ତରେ ପଡ଼ି ହାଟରେ ଗଡ଼ିଲାଣି। କୌଣସି ସ୍ଥାନରେ ରାଜଶ୍ରୀ ଓ ବିଜୟଶଙ୍କର ଏକାଠି ‌ହେଉନାହାନ୍ତି। ଗତ କିଛିଦିନ ତଳେ ତିର୍ତୋଲ କୁମାର ଉତ୍ସବ ପଡ଼ିଆ ଦଳର ପର୍ଯ୍ୟବେକ୍ଷକ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ ବିଧାୟକଙ୍କ ଉପସ୍ଥିତିରେ କର୍ମୀମାନଙ୍କୁ କଟୁଭାଷାରେ ତାଗିଦ୍‌ କରିଥିଲେ। ଇଚ୍ଛା ଅଛି ତ କାମ କର ନଚେତ ପଦବି ଛାଡ଼ ବୋଲି ସିଧାସିଧା କହିଥିଲେ। ସାଂସଦଙ୍କ ଅନୁପସ୍ଥିତିରେ ଏପରି ତାଗିଦ୍‌ ତାଙ୍କର କିଛି କର୍ମୀଙ୍କ ମଧ୍ୟରେ ଏହା ଅସନ୍ତୋଷର ମଂଜି ବୁଣିଥିଲା। ପରବର୍ତ୍ତୀ ସମୟରେ ବିଜୟ ଓ ରାଜଶ୍ରୀଙ୍କ ମଧ୍ୟରେ ଥିବା ବିଭେଦ କ୍ରମଶଃ ବଢ଼ିବାରେ ଲାଗିଛି। ଗତ ୭ ତାରିଖ ବନ୍ଧୁମିଳନ କାର୍ଯ୍ୟକ୍ରମରେ ରାଜଶ୍ରୀଙ୍କ ସମର୍ଥକମାନେ ଯୋଗ ଦେଇଥିଲେ ହେଁ ବିଧାୟକ ବିଜୟଶଙ୍କରଙ୍କ କିମ୍ବା ତାଙ୍କ ସମର୍ଥକ ଗୋଷ୍ଠୀ ଅନୁପସ୍ଥିତ ଥିଲେ। ଏକୁଟିଆ ସଭା କରୁଥିବାରୁ ରାଜଶ୍ରୀଙ୍କୁ କେତେକ ମହଲ ମା ପୁଅର ହାତ ଛାଡ଼ିଲେ କି ବୋଲି ଚର୍ଚ୍ଚା କରିବା ରୋଚକ ସ୍ଥିତି ସୃଷ୍ଟି କରିଥିଲା।

ବର୍ତମାନ ସ୍ଥିତିରେ ତିର୍ତୋଲ ବ୍ଲକର ୨୯ ଟି ପଞ୍ଚାୟତରେ ବିଜେଡିର ଫାଟ ବଢ଼ୁଛି ଓ ଅସନ୍ତୋଷ କୁହୁଳିବାରେ ଲାଗିଛି। ପଞ୍ଚାୟତଗୁଡ଼ିକରେ ବିଜେଡି ସମର୍ଥିତ ଆଶାୟୀ ପ୍ରାର୍ଥୀ ଭାବେ ୭ରୁ ୮ ଜଣ ଲେଖାଏ ବ୍ୟାନର୍‌ ମାରି ଚର୍ଚ୍ଚାକୁ ଆସିଛନ୍ତି। କିଏ କହୁଛି ରାଜଶ୍ରୀଙ୍କ ପ୍ରାର୍ଥୀ ତ ଆଉ କିଏ ବିଧାୟକଙ୍କ ପ୍ରାର୍ଥୀ ବୋଲି ଦାବି କରୁଛନ୍ତି। ଅବଶ୍ୟ ଟିକଟ୍ ମିଳିବା ପରେ କିଏ ନିର୍ବାଚନ ବୈତରଣୀ ପାର୍ ହେବ ତାହା ଭବିଷ୍ୟତ କହିବ। ତେବେ ବିଜେଡି କନ୍ଦଳ ତୀବ୍ର ହେଉଥିବା ବେଳେ କଂଗ୍ରେସ ନା ବିଜେପି କିଏ କେଉଁଠି ଫାଇଦା ପାଇବ ସେନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର