ତିର୍ତ୍ତୋଲ ବିଜେପି ପକ୍ଷରୁ ପ୍ରାର୍ଥୀ ରମାକାନ୍ତଙ୍କ କୁଶ ପୁତ୍ତଳିକା ଦାହ

ତିର୍ତ୍ତୋଲ : ତିର୍ତ୍ତୋଲ ବିଜେପିରେ ଗୋଷ୍ଠୀ କନ୍ଦଳ ତୀବ୍ର ରୂପ ‌‌ନେବାରେ ଲାଗିଛି। ଏହି ବିଧାନସଭା ଆସନ ପାଇଁ ଦଳ ପକ୍ଷରୁ ପାର୍ଥୀ ଭାବେ ରମାକାନ୍ତ ଭୋଇଙ୍କୁ ଟିକଟ ଦିଆଯିବା ପରେ ବିଦ୍ରୋହ ତୀବ୍ର ହେବାରେ ଲାଗିଲାଣି। ରମାକାନ୍ତ ଦଳୀୟ ସଂଗଠନକୁ ଭାଙ୍ଗି ଦୁର୍ବଳ କରିବାକୁ ପ୍ରୟାସ କରୁଛନ୍ତି ବୋଲି ଯୁବମୋର୍ଚା ନେତାମାନେ ଅଭିଯୋଗ କରିବା ସହ ଆଜି ସଂଧ୍ୟାରେ ନେହେରୁ ପଡ଼ିଆଠାରେ ତାଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ତୁରନ୍ତ ଏହି ଆସନ ପାଇଁ ପ୍ରାର୍ଥୀ ପରିବର୍ତ୍ତନ କରା ନଗଲେ ସେମାନେ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ. ତିର୍ତ୍ତୋଲରୁ ବିଜେପି ଟିକଟ ପାଇବା ପାଇଁ ରମାକାନ୍ତ ଭୋଇଙ୍କ ସମେତ ଇଂ ହରିହର ବେହେରା ଓ ସଞ୍ଜୟ ଦାସ ଆଶାୟୀ ଥିଲେ। ଦଳ ପକ୍ଷରୁ ପ୍ରଫେସର ରମାକାନ୍ତ ଭୋଇଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ତାଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ ହୋଇଯାଇଛି। ଆଜି ସନ୍ଧ୍ୟା ୭ଟା ସମୟରେ ସ୍ଥାନୀୟ ନେହେରୁ ପଡ଼ିଆଠାରେ ବିଜେପିର ସାରଳା ମଣ୍ତଳ ଉପ-ସଭାପତି ଅଜୟ ରାଉତ, ଜିଲ୍ଲା ଏସ୍‌ସି ମୋର୍ଚ୍ଚା ସାଧାରଣ ସମ୍ପାଦକ ସାଗର ଦାସ, ଦୀପକ ପୃଷ୍ଟି, ତୋଫାନ ମହାପାତ୍ର, ସୁଦର୍ଶନ ନାଥ, ଆନନ୍ଦ ମହାନ୍ତି, ସାରଳା ମଣ୍ତଳ ଏସ୍‌ସି ସଭାପତି ରଞ୍ଜନ ସାହୁ, ପ୍ରଶାନ୍ତ ନାୟକ, ଅଜୟ ଖଣ୍ତୁଆଳ, ପ୍ରମୋଦ ଦାସ, ସାରଳା ମଣ୍ତଳ ଶକ୍ତି ପ୍ରମୁଖ ହିମାଂଶୁ ରାଉତ, ବିଜୟକେତନ ଦାସ, ମାନସ ରଞ୍ଜନ ବିଶ୍ବାଳ, ପ୍ରଭାତ ବାରିକ, ରଞ୍ଜନ ସେଠୀ, ଅମୀୟ ମଲ୍ଲିକ, ବାବାଜୀ ମଲ୍ଲିକ, ସୁକାନ୍ତ ଖୁଣ୍ଟିଆ, ବୀରେନ୍ଦ୍ର ବାରିକ୍, ସୁନନ୍ଦ ବିଶ୍ବାଳ, ଜାନି ପ୍ରକାଶ ବେହେରାଙ୍କ ସମେତ ଯୁବମୋର୍ଚ୍ଚାର ବହୁସଂଖ୍ୟକ କର୍ମୀ ଏକାଠି ହୋଇ ରମାକାନ୍ତ ଭୋଇଙ୍କ କୁଶ ପୁତ୍ତଳିକା ଦାହ କରିବା ସହିତ ‘ରମାକାନ୍ତ ହଟାଅ ତିର୍ତ୍ତୋଲ ବିଜେପି ବଞ୍ଚାଅ’ ସ୍ଲୋଗାନ୍‌ ଦେଇଥିଲେ। ଶ୍ରୀ ଭୋଇ ଦଳୀୟ ଅର୍ଥକୁ ସଠିକ୍ କାର୍ଯ୍ୟରେ ନ ଲଗାଇବା, ଦଳୀୟ କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ମଣ୍ତଳ କର୍ମକର୍ତ୍ତା ଓ ବରିଷ୍ଠ ବିଜେପି ନେତାମାନଙ୍କୁ ଅଣଦେଖା କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର