ତିର୍ତ୍ତୋଲରେ ହେଭିୱେଟ୍ ନେତାଙ୍କ ରୋଚକ ପତିଆରା ଲଢ଼େଇ! ଅରୁଣ-ସଂଜୟ-ଅତନୁଙ୍କ ମଧ୍ୟରେ ଆଗରେ ରହିବ କିଏ?

ଜଗତସିଂହପୁର ଟାଉନ୍ : ଉପ-ନିର୍ବାଚନ ପାଇଁ ହେବ ମତଦାନ । ୩ ତାରିଖ ଦିନ ତିର୍ତ୍ତୋଲ ମତଦାତା ସେମାନଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ନେଇ ନିଜର ସମର୍ଥନ ଜଣାଇବେ । ତେବେ ପୂର୍ବଥର ବିଜୁ ଜନତା ଦଳ ବିପୁଳ ବ୍ୟବଧାନରେ ବିଜୟୀ ହୋଇଥିଲା । ହେଲେ ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ଉପ ନିର୍ବାଚନ କରାଯାଉଛି । ବିଜୁ ଜନତା ଦଳ ପୁଣି ଥରେ ଏହି ଆସନ ବଜାୟ ରଖିବାକୁ ବ୍ୟାପକ ରଣନୀତି ଆପଣାଇଛି । ସେହିପରି ଭାରତୀୟ ଜନତା ପାର୍ଟି, ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟ ନିଜ ନିଜ ତରିକାରେ ନିର୍ବାଚନୀ ଲଢ଼ୁଛନ୍ତି । ହେଲେ ଏଥର ନିର୍ବାଚନ ମଣ୍ଡଳୀରେ ରୋଚକ ଘଟଣା ସବୁ ସାମ୍ମନାକୁ ଆସିଛି । ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ହେଭିୱେଟଙ୍କ ପତିଆରା ଲଢ଼େଇ ।

ଉପ ନିର୍ବାଚନ ଆରମ୍ଭରୁ ବିଜେଡି ଓ ବିଜେପି ମଧ୍ୟରେ ଗୋଷ୍ଟୀ କନ୍ଦଳ ସାମ୍ନା‌କୁ ଆସିଥିଲା । ବିଜେପିରେ ବିଦ୍ରାହର ସ୍ୱର ଉଠାଉଥିବା ରମାକାନ୍ତ ଭୋଇ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିରେ ଥିବା ବିଷ୍ଣୁ ଗୋଷ୍ଠୀ ଓ ରାଜଶ୍ରୀ ଗୋଷ୍ଠି ବିବାଦକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ବିଜେଡି ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ମଣ୍ଡଳୀରେ ଥିବା ତିନି ବ୍ଳକର ତିନି ଜଣ ନେତାଙ୍କୁ ପୃଥକ ପୃଥକ ଭାବେ ଦାୟିତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିିରିଡ଼ି ବ୍ଳକ୍ ଦାୟିତ୍ୱରେ ମନ୍ତ୍ରୀ ଅରୁଣ ସାହୁ, ରଘୁନାଥପୁର ବ୍ଳକ୍ ଦାୟିତ୍ୱରେ ବରିଷ୍ଠ ବିଜେଡି ନେତା ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମା ଏବଂ ତିର୍ତ୍ତୋଲ ପାଇଁ ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ । ଏହାବାଦ୍ ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମୁଦୁଲି ଏବଂ ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ ନିର୍ବାଚନ ମଣ୍ଡଳୀରେ ମନିଟରିଂ କରୁଛନ୍ତି । ତେବେ କେଉଁ ନେତା ନିଜ ଦାୟିତ୍ୱରେ ଥିବା ବ୍ଳକ୍‌ରେ ପୂର୍ବ ଅପେକ୍ଷା କେତେ ଅଧିକ ଭୋଟ୍ କରି ପାରିବେ ତାକୁ ନେଇ ଏକ ଶୀତଳ ଯୁଦ୍ଧ ଚାଲିଛି । କେଉଁ ନେତା କେତେ ପାରିବା ପଣିଆର ସେ କଥା ମଧ୍ୟ ଏ ନିର୍ବାଚନରୁ ଜଣା ପଡ଼ିଯିବ ବୋଲି ଚର୍ଚ୍ଚା ଉଠୁଛି ।

ତିନି ବ୍ଲକ୍ ଦାୟିତ୍ୱରେ ଥିବା ବରିଷ୍ଠ ନେତାଙ୍କ ଚିନ୍ତା ଖାସ୍ ଏଇଥି ପାଇଁ ବଢ଼ିବାରେ ଲାଗିଛି । ଯେତେ ନିର୍ବାଚନ ପାଖେଇ ଆସୁଛି ସେତିକି ଜୋରରେ ଛାତି ଧଡ଼ ଧଡ଼ ହେଉଛି । ଏଥର ନିର୍ବାଚନରେ ପୂର୍ବପେକ୍ଷା ଅଧିକ ବ୍ୟବଧାନରେ ବିଜୟୀ ହେବ ବୋଲି କହୁଥିବା ନେତା ଖାସ୍ ଏହି କାରଣରୁ ବିଶେଷ ଖୁସି ହୋଇ ପାରୁ ନଥିବା ଦେଖିବାକୁ ମିଳୁଛି । କେମିତି ପୂର୍ବ ଭୋଟ୍‌କୁ ସୁରକ୍ଷିତ ରଖିବା ସହ ଅଧିକରୁ ଅଧିକ ଲିଡ୍ ଦେବେ ତାକୁ ନେଇ ଦିନ ରାତି ଅବିଶ୍ରାନ୍ତ କସରତ କରୁଛନ୍ତି । ନିଜ ନିଜର ଟିମ୍‌କୁ ନେଇ ଜୋରଦାର ଲାଗିଛନ୍ତି ନେତା ।

ମନ୍ତ୍ରୀ ଅରୁଣ ସାହୁୁଙ୍କ ଟିମ୍‌ରେ ରହିଛନ୍ତି ମନ୍ତ୍ରୀ ରଘୁନନ୍ଦନ ଦାସ, ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ମନ୍ତ୍ରୀ ତୁଷାର କାନ୍ତି ବେହେରା, କାକଟପୁର ଅଧ୍ୟକ୍ଷ ସ୍ୱାଧୀନ ନାୟକ, କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ, ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ, ରାଜ୍ୟ ଛାତ୍ର ସଭାପତି ଦେବୀ ରଂଜନ ତ୍ରୀପାଠୀ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ରାଜେଶ ରାଜ ସ୍ୱାଇଁ, ସାଧାରଣ ସମ୍ପାଦକ ସାରଦା ପ୍ରସନ୍ନ ଜେନା ରହିଛନ୍ତି । ସଂଜୟ ଦାସ ବର୍ମାଙ୍କ ଟିମ୍‌ରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ରାଜ୍ୟ ଯୁବ ଉପ ସଭାପତି ରାଜା ଚକ୍ର, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଷ୍ଟାର୍ଲିନ୍ ପରିଜା ରହିଥିବା ବେଳେ ଅତନୁ ସବ୍ୟସାଚୀ ନାୟକଙ୍କ ଟିମ୍‌ରେ ବିଧାୟକ ସମ୍ବିତ ରାଉତରାୟ, ପାଟକୁରା ବିଧାୟକଙ୍କ ପୁଅ ସଂଜୟ ଅଗ୍ରୱାଲ୍, ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ ଜେନାଙ୍କ ସମେତ ଅନେକ ଆଗଧାଡ଼ିର ନେତା ରହିଛନ୍ତି । ତେବେ ନିର୍ବାଚନ ରଣଭୂମୀରେ କେଉଁ ନେତା କେତେ ସ୍କୋର୍ କରୁଛନ୍ତି ଏବଂ କେଉଁ ନେତା ସୁପ୍ରିମୋଙ୍କୁ କେତେ ଖୁସି କରିବେ ତାକୁ ନେଇ ପ୍ରତିଯୋଗିତା ଚାଲିଛି ।

en.speculum.club

ପୂର୍ବ ନିର୍ବାଚନର ଫଳା ଫଲ ଅନୁସାରେ ବିରିଡ଼ି ବ୍ଲକ୍‌ରେ ମୋଟ୍ ୫୦୪୩୯ ଜଣ ମତଦାନ କରିଥିଲେ । ସେଥିରୁ ବିଜେଡି ୨୭୯୨୪, ବିଜେପି ୧୪୭୨୭, କଂଗ୍ରେସ ୭୨୩୦, ବିଏସ୍ପି ୨୪୭ ଖଣ୍ଡ ଭୋଟ୍ ପାଇଥିଲେ । ଏଠି ବିଜେଡି ଓ ବିଜେପି ମଧ୍ୟରେ ଲଢ଼େଇରେ ୧୩୧୯୭ ଖଣ୍ଡ ଭୋଟ୍ ଅଧିକ ପାଇଥିଲା ବିଜେଡି । ରଘୁନାଥପୁର ବ୍ଳକ୍‌ରେ ମୋଟ୍ ୫୦୧୮୧ ମତଦାନ ହୋଇଥିଲା । ବିଜେଡି ଦଳ ୨୬୨୪୦ ଖଣ୍ଡ, ବିଜେପି ୧୯୦୫୯ ଖଣ୍ଡ, କଂଗ୍ରେସ ୪୨୭୨ ଖଣ୍ଡ ଏବଂ ବିଏସ୍ପ୍ପି ୨୬୧ ଏବଂ ନୋଟା ୩୪୫ ଖଣ୍ଡ ଭୋଟ୍ ଯାଇଥିଲା । ଏଠି ମଧ୍ୟ ବିଜେଡି ଓ ବିଜେପି ମଧ୍ୟରେ ଟକ୍କର ହୋଇ ୭୧୮୧ ଖଣ୍ଡ ଅଧିକ ପାଇଥିଲା ବିଜେଡି । ତିର୍ତ୍ତୋଲ ବ୍ଳକ୍‌ରେ ୭୨ ହଜାର ୨୫୭ ଜଣ ମତଦାନ କରିଥିଲେ। ସେଥିରେ ବିଜେଡି ୩୯୬୧୦ ଖଣ୍ଡ, ବିଜେପି ୧୯୫୧୧ ଖଣ୍ଡ, କଂଗ୍ରେସ ୧୨୨୩୮ ଖଣ୍ଡ, ବିଏସ୍ପି ୪୧୩ ଏବଂ ନୋଟାରେ ସର୍ବାଧିକ ୧୧୪୧ ଜଣ ଭୋଟ୍ ଦେଇଥିଲେ । ତିର୍ତ୍ତୋଲରେ ମଧ୍ୟ କଂଗ୍ରେସ ତୃତୀୟ ସ୍ଥାନରେ ରହିଥିଲା ଏବଂ ବିଜେଡି ବିଜେପି ଠାରୁ ୨୦୦୯୯ ଖଣ୍ଡ ଭୋଟ୍‌ରେ ଆଗୁଆ ରହିଥିଲା ।

ସବୁଠାରୁ ଅଧିକ ଲିଡ୍ ଦେଇଥିଲା ତିର୍ତ୍ତୋଲ, ଦ୍ୱିତୀୟରେ ବିରିଡ଼ି ଏବଂ ତୃତୀୟରେ ରହିଥିଲା ରଘୁନାଥପୁର । ଅବଶ୍ୟ ତିର୍ତ୍ତୋଲରେ ମତଦାତାଙ୍କ ସଂଖ୍ୟା ଅଧିକ । କିନ୍ତୁ ବିରିଡ଼ି ଓ ରଘୁନାଥପୁର ବ୍ଳକ୍‌ରେ ମତଦାତାଙ୍କ ସଂଖ୍ୟା ପ୍ରାୟତଃ ସମାନ । ତେଣୁ ଗତ ଥର କମ୍ ଭୋଟ୍ ଲିଡ୍ ଦେଇଥିବା ରଘୁନାଥପୁର ବ୍ଲକ୍ ଦାୟିତ୍ୱରେ ଥିବା ସଂଜୟଙ୍କ ପାଇଁ ଏଥର ଏକ ବିରାଟ ଆହ୍ୱାନର ପ୍ରଶ୍ନ ଉଠୁଛି । ଗୋଷ୍ଠୀ କନ୍ଦଳ, ମନାନ୍ତର ମତାନ୍ତରକୁ କେଉଁ ନେତା କେମିତି ପ୍ରଶମିତ କରି ଭୋଟ୍ ହାର ବଢ଼ାଇବେ ତାହା ଏବେ ବଡ଼ ଚିନ୍ତାର କାରଣ । ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି ଅତନୁ ସବ୍ୟସାଚୀଙ୍କ ସହ ମିଶି ତିର୍ତ୍ତୋଲକୁ ପୂର୍ବ ଭଳି ସର୍ବାଧିକ ଲିଡ୍ ଦେବାକୁ ଲାଗିଛନ୍ତି । ବିରିଡ଼ିରେ ଅରୁଣଙ୍କ ଟିମ୍ ବି ତୟାର । ଷ୍ଟାର ପ୍ରଚାରକ ଅରିନ୍ଦମ ରାୟଙ୍କୁ ଆଣି ମାରଥାନ ପ୍ରଚାର କରାଯାଉଛି। ପ୍ରାର୍ଥୀଙ୍କୁ ନେଇ କିଏ କେତେ ଶୋଭାଯାତ୍ରା କରିବେ, କେତେ ସମ୍ମିଳନୀ କରିବେ ତାକୁ ନେଇ ବି ପ୍ରତିଯୋଗିତା ହେଉଛି । ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ, ସାଂସଦ ଡ. ରାଜଶ୍ରୀ ମଲ୍ଲିକ ମଧ୍ୟ ନିଜ ନିଜ ଏଜେଣ୍ଡାରେ ବ୍ୟସ୍ତ ରହିଛନ୍ତି ।

ତେବେ ଏହାରି ଭିତରେ ରାଜ୍ୟ ବିଜେପିର ସବୁଠାରୁ ବଡ଼ ଚେହେରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତି, ପ୍ରଭାରୀ ସାରଦା ପ୍ରଧାନ, ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ଯୁବ ସଭାପତି ସମ୍ପଦ ସ୍ୱାଇଁଙ୍କ ସମେତ ବରିଷ୍ଠ ବିଜେପି ନେତା ପ୍ରଚାର କରୁଛନ୍ତି । ବିଭିନ୍ନ ପ୍ରସଙ୍ଗ ଉଠାଇ ଏଥର ବିଜେପି ନିଶ୍ଚୟ ବିଜୟ ହେବ ବୋଲି ଦାବି କରୁଛନ୍ତି । ଅନ୍ୟପଟେ କଂଗ୍ରେସର ରାଜ୍ୟ ପ୍ରଭାରୀ ଡ.ଏ ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ, ପ୍ରଦୀପ ମାଝୀ, ବିଧାୟକ ସୁରେଶ ରାଉତରାୟ, ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା, ବାପି ସର୍ଖେଲ, ଯୁବ ସଭାପତି ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ପ୍ରଚାର କରୁଛନ୍ତି । ଏଥର ବ୍ୟକ୍ତିତ୍ୱ ଆଧାରରେ କଂଗ୍ରେସକୁ ଲୋକ ଭୋଟ୍ ଦେବେ ବୋଲି ଦାବି କରୁଛି କଂଗ୍ରେସ । ଏହାରି ଭିତରେ ବିଜେଡି କେମିତି ବାଜି ମାରିବ ଏବଂ ବିଜେଡି ହେଭିୱେଟ୍‌ ଏ ପରୀକ୍ଷାରେ କେତେ ପ୍ରତିଶତ ସଫଳ ହେବେ ତାକୁ ନେଇ ରୋଚକ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର