ରଘୁନାଥପୁର ଓ ବିରିଡ଼ିରେ ବଢ଼ିଲା, ତିର୍ତ୍ତୋଲରେ କମିଲା ଭୋଟ୍

ଜଗତସିଂହପୁର : ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ବିପୁଳ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଅଧୀନସ୍ଥ ତିନିଟି ବ୍ଲକ୍‌ରେ ବିଜେଡି ପାଇଥିବା ଭୋଟ୍‌କୁ ନେଇ ରାଜନୈତିକ ମହଲରେ ତର୍ଜମା ଆରମ୍ଭ ହୋଇଛି। ବିଜୟ ଶଙ୍କରଙ୍କ ସପକ୍ଷରେ ଅନୁକମ୍ପା ଥିଲେ ମଧ୍ୟ ବିଜେଡି ପକ୍ଷରୁ ରଣନୀତିରେ କୌଣସି ପ୍ରକାର ହେଳା କରାଯାଇ ନ ଥିଲା। ବ୍ଲକ୍‌ ୱାରି ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦିଆଯାଇ ରଣନୀତି ପ୍ରସ୍ତୁତ କରାଯାଇଥିଲା। ତିର୍ତ୍ତୋଲ ବ୍ଲକ୍‌ ଦାୟିତ୍ବରେ ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକ ଥିଲା ବେଳେ ରଘୁନାଥପୁର ଦାୟିତ୍ବରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଏବଂ ବିରିଡ଼ି ବ୍ଲକ୍ ଦାୟିତ୍ବରେ ମନ୍ତ୍ରୀ ଅରୁଣ ସାହୁ ରହିଥିଲେ। ଏହି ତିନି ନେତାଙ୍କୁ ସହଯୋଗ କରିବା ପାଇଁ ବହୁ ସଂଖ୍ୟାରେ ଦଳୀୟ ବିଧାୟକ ଓ କର୍ମକର୍ତ୍ତା ସେଠାରେ କ୍ୟାମ୍ପ୍ କରି ରହିଥିଲେ। ତିନିଟି ଯାକ ବ୍ଲକ୍‌ରେ ଫଳାଫଳ ଗତ ନିର୍ବାଚନ ତୁଳନାରେ ପାଖାପାଖି ରହିଛି।

ତିର୍ତ୍ତୋଲ ବ୍ଲକ୍‌ରେ ଭୋଟ୍‌ ବ୍ୟବଧାନ ସାମାନ୍ୟ କମ୍ ହୋଇଥିଲା ବେଳେ ବିରିଡ଼ି ଓ ରଘୁନାଥପୁରରେ ବିଜେଡିର ଭୋଟ୍‌ ବ୍ୟବଧାନ କିଛିଟା ବୃଦ୍ଧି ପାଇଛି। ୨୦୧୯ ନିର୍ବାଚନରେ ରଘୁନାଥପୁର ବ୍ଲକ୍‌ରେ ବିଜେଡି ୭୧୮୧ ଭୋଟ୍‌ ଅଧିକ ପାଇଥିଲା ବେଳେ ଉପନିର୍ବାଚନରେ ତାହା ସାମାନ୍ୟ ବୃଦ୍ଧି ପାଇ ୭୪୦୦ ହୋଇଛି। ବିରିଡ଼ି ବ୍ଲକ୍‌ରେ ୨୦୧୯ ନିର୍ବାଚନରେ ବିଜେଡି ୧୩୧୯୭ ଭୋଟ୍‌ରେ ଆଗୁଆ ଥିଲା ବେଳେ ଏଥର ତାହା ବୃଦ୍ଧି ପାଇ ୧୩୪୧୧ ‌ହୋଇଛି। ତେବେ‌ ତିର୍ତ୍ତୋଲ ବ୍ଲକ୍‌ରେ ଗତ ନିର୍ବାଚନରେ ବିଜେଡି ୨୦୦୯୯ ଭୋଟ୍‌ରେ ଆଗୁଆ ଥିଲା ବେଳେ ଏଥର ତାହା କମି ୧୯୩୭୯ ହୋଇଛି। ଗତ ଥର ବିଜେଡିକୁ ୧୯୩ ପୋଷ୍ଟାଲ୍‌ ଭୋଟ୍‌ ମିଳିଥିଲା ବେଳେ ଚଳିତ ଥର ଏହା ବୃଦ୍ଧି ପାଇ ୧୫୧୩ ହୋଇଛି।

ସମ୍ବନ୍ଧିତ ଖବର