ରାତି ପାହିଲେ ନେତା ବାଛିବେ ତିର୍ତ୍ତୋଲ ଜନତା, ୩୭୩ ବୁଥ୍‌ରେ ୨ ଲକ୍ଷ ୩୯ ହଜାର ୧୫୩ ଭୋଟର

ବାଜିରେ ଲାଗିଛି ବିଜେଡି-ବିଜେପି-କଂଗ୍ରେସ ଦଳର ସମ୍ମାନ, ଅନ୍ଧାରି ବିଜେରେ ନେତା-ଗଳିକନ୍ଦିରେ ଆସର

ଜଗତସିଂହପୁର ଟାଉନ୍‌: ଆଉ ମାତ୍ର କିଛି ଘଣ୍ଟା ବହୁ ଚର୍ଚ୍ଚିତ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ହେବ। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ବୁଥ୍‌ ସଂଖ୍ୟା ୨୬୫ରୁ ୩୭୩କୁ ବୃଦ୍ଧି କରାଯାଇଛି । ୧୯୪୦ ଜଣ ପ୍ରିଜାଇଡିଙ୍ଗ୍‌ ପୋଲିଂ ଅଧିକାରୀ ମତଦାନ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି। ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଏବଂ ଏସ୍‌ପି ପ୍ରକାଶ ରଙ୍ଗରାଜ କିପରି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହେବ ସେଥିପାଇଁ ଉପ-ନିର୍ବାଚନ ନିମନ୍ତେ ୬୨ ଜଣ ସି.ଏ.ପି.ଏଫ୍‌, ୩୭ ଜଣ ୱେବ୍‌ କାଷ୍ଟିଙ୍ଗ୍‌, ୪୦ ଜଣ ମାଇକ୍ରୋ ଅବଜରଭର୍‌, ୫ଟି ଭିଡ଼ିଓ ଗ୍ରାଫି ନିୟୋଜିତ ହୋଇଛନ୍ତି । ଉପ-ନିର୍ବାଚନ ନିମନ୍ତେ ୩୩ ଜଣ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି ।

୨ ଲକ୍ଷ ୩୯ ହଜାର ୧୫୩ ଜଣ  ଭୋଟର ମତଦାନ କରିବେ। ପ୍ରକୃତ ଫଳାଫଳ ୧୦ ତାରିଖରେ ସ୍ପଷ୍ଟ ହେବ କନ୍ତୁ ଆଜି ରାତିରେ ନେତାଏ ଲୁଚି ଛପି ଅନ୍ଧାରି ବିଜେରେ ବ୍ୟସ୍ତ ଗଳି କନ୍ଦିରେ ଭୋଜି ଭାତ ଆସର ବି ଜମୁଛି। ଉପ ନିର୍ବାଚନ ପାଇଁ ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟୟରେ ପହଞ୍ଚିଛି। କେବଳ ଅପେକ୍ଷା ମତଦାତାଙ୍କୁ। ତେବେ କେଉଁ ପ୍ରାର୍ଥୀଙ୍କୁ ବାଛିବେ ତିର୍ତ୍ତୋଲ ଜନତା, କିଏ ହେବ ତିର୍ତ୍ତୋଲର ତାଜ୍‌ ତାକୁ ନେଇ ଗଳି କନ୍ଦିରେ ଚର୍ଚ୍ଚା ଜୋର ଧରିଛି।

ଦିବଂଗତ ବର୍ଷିଆନ ବିଜେଡି ନେତା ତଥା ତିର୍ତ୍ତୋଲର ବିଧାୟକ ବିଷ୍ଣୁ ଦାସଙ୍କ ବିୟୋଗ ପରେ ଉପ ନିର୍ବାଚନ ପାଇଁ ବାଟ ଫିଟିଥିଲା। କରୋନା କଟକଣା ଭିତରେ ନିର୍ବାଚନ ହେବ କି ନାହିଁ ତାହା ମଧ୍ୟ ଅସ୍ପଷ୍ଟ ହୋଇଥିଲା। ସମୟକ୍ରମେ ନିର୍ବାଚନ କମିସନଙ୍କ ଘୋଷଣା ଅନୁସାରେ ଗତ ମାସ ଅକ୍ଟୋବର ୯ ତାରିଖରୁ ୧୬ ତାରିଖ ଭିତରେ ପ୍ରାର୍ଥୀ ନାମାଙ୍କନ, ନଭେମ୍ବର ୩ରେ ମତଦାନ ଏବଂ ୧୦ ତାରିଖରେ ଫଳାଫଳ ପ୍ରକାଶ ପାଇବ। ବିଜ୍ଞପ୍ତି ଘୋଷଣା ପରେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଆରମ୍ଭ ହେଲା ଟଣା ଓଟଣା ବିଜେଡିର ଦୁଇ ଗୋଷ୍ଠୀ ବିବାଦ ଚରମରେ ପହଞ୍ଚିଥିଲା। ହେଲେ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ, ମନ୍ତ୍ରୀ ଅରୁଣ ସାହୁ, ବିଜେଡି ଜିଲ୍ଲା ସଭାପତି ସଭାପତି ପ୍ରଶାନ୍ତ ମୁଦୁଲି, ବରିଷ୍ଠ ବିଜେଡି ନେତା ସଂଜୟ ଦାସବର୍ମା, ବିଧାୟକ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଦାୟିତ୍ୱରେ ରହି ସ୍ଥିତି ସୁଧାରିବାରେ ପ୍ରାୟତଃ ସଫଳ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଦୁଇ ଗୋଷ୍ଠୀ ନିଜ ବାଟରେ ବୁଝି ବାକୁ ବାଧ୍ୟ ହେଲେ  ଏବଂ ଏହାରି ପରେ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲେ ସୁପ୍ରିମୋ। ଅନ୍ୟପଟେ ବିଜେପିରୁ ଦୁଇ ଦୁଇ ଥର ପ୍ରାର୍ଥୀ ହୋଇଥିବା ରମାକାନ୍ତ ଭୋଇଙ୍କ ବିଦ୍ରୋହ ଏବଂ ଦଳ ଛାଡ଼ି ବିଜେଡିରେ ମିଶିବା ଘଟଣା ଚର୍ଚ୍ଚାର ଶୀର୍ଷରେ ରହିଥିଲା। ତେବେ କଂଗ୍ରେସରୁ ଆସି ବିଜେପିରେ ମିଶିଥିବା ରାଜ କିଶୋର ବେହେରାଙ୍କୁ ବିଜେପି ଟିକେଟ୍‌ ଦେଇଥିଲା ତେବେ କଂଗ୍ରେସ ଏଥର କନ୍ତୁ ହାତେମାପି ଚାଖଣ୍ଡେ ଚାଲି ଗୋଟି ଚଳାଇଛି। ଆରମ୍ଭରୁ ହିଁ କଂଗ୍ରେସ ପ୍ରାର୍ଥୀଙ୍କୁ ଚୟନ କରି ସାରିଥିଲା ରାଜନୀତିରେ ଜଣେ ଯୁବ ଓ ସମ୍ପୂର୍ଣ୍ଣ ନୂଆ ଚେହେରା ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଅନ୍ୟମାନଙ୍କ ମଧ୍ୟରେ ସିପିଆଇର ବିଜୟ କୁମାର ଭୋଇ, ସ୍ୱାଧୀନ ପ୍ରାଥୀ ଅର୍ଜୁନ ଚରଣ ବେହେରା, ରମେଶ ଚନ୍ଦ୍ର ମଲ୍ଲିକ, ରବୀନ୍ଦ୍ର ନାଥ ସେଠୀ, ସଚିତ୍ର ମଲ୍ଲିକ, ଗୋପାଳ ମଂଜରୀ ଭୋଇ ପ୍ରମୁଖ ଲଢ଼େଇ କରୁଛନ୍ତି।

ତେବେ ଉପ ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆରମ୍ଭରୁ ପ୍ରଚାରକୁ ଜୋରଦାର କରିଥିଲେ। ବିଜେଡି ନିର୍ବାଚନ ମଣ୍ଡଳୀରେ ୫ରୁ ଅଧିକ ମନ୍ତ୍ରୀ ପ୍ରାୟ ୨୦ ଜଣରୁ ଅଧିକ ବିଧାୟକଙ୍କ ସମେତ ପ୍ରତି ପଂଚାୟତ ସ୍ତରରେ ୨ ଶହରୁ ଅଧିକ ଦକ୍ଷ ନେତାଙ୍କୁ ଆଣି ପ୍ରଚାର କରିଥିଲା। ବିଜେଡି ଷ୍ଟାର ପ୍ରଚାରକ ଅରିନ୍ଦମ ରାୟ, କୁନା ତ୍ରିପାଠୀ ବି ପ୍ରଚାରକୁ ସରଗରମ କରିଥିଲେ। ଘନ ଘନ କର୍ମୀ ସମ୍ମିଳନୀ, ବୈଠକ, ଶୋଭାଯାତ୍ରାରେ ବିଜେଡି ଆଗରେ ରହିଥିଲା ।

telegraphindia.com

ମୁଖ୍ୟମନ୍ତ୍ରୀ ଭର୍ଚୁର୍ଆଲ ରାଲି ମାଧ୍ୟମରେ ତିର୍ତ୍ତୋଲରେ ପ୍ରଚାର କରି ସବୁ ବେଳେ ତିର୍ତ୍ତୋଲବାସୀଙ୍କ ସହ ରହିବାକୁ ଭରଷା ଦେଇଥିଲେ। ବିଜେପି ମଧ୍ୟ ରାଜ୍ୟସ୍ତରୀୟ ୩୦ରୁ ଅଧିକ ନେତା, ପ୍ରତି ଜୋନ୍‌ ଓ ପଂଚାୟତରେ ପ୍ରଭାରୀଙ୍କୁ ଆଣି ଭୋଟ୍‌ ବ୍ୟାଙ୍କ ବଢ଼ାଇବାକୁ ଲାଗି ପଡ଼ିଥିଲା। ମୁଖ୍ୟ ଭାବେ ପ୍ରଭାରୀ ସାରଦା ପ୍ରଧାନ, ଭୃଗୁ ବକ୍ସିପାତ୍ର, ପୃଥିରାଜ ହରିଚନ୍ଦନ, କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ଏବଂ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ମଙ୍ଗ ଧରିଥିଲେ ଷ୍ଟାର ପ୍ରଚାରକ ହରିହର ମହାପାତ୍ର, ଶ୍ରୀତମ ଦାସ, ଅଭିନେତ୍ରୀ ବିଦୁସ୍ମିତାଙ୍କୁ ଆଣି ପ୍ରଚାର କରିଥିଲା।

ଏଥିସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, କେଭି ସିଂ ଦେଓ ପ୍ରମୁଖ ହାଇଭୋଲଟେଜ୍‌ ପ୍ରଚାର କରି ପାଣିପାଗକୁ ଅଧିକ ସରଗରମ କରିଥିଲେ  ଦୁଇ ପ୍ରମୁଖ ଦଳକୁ ଟକ୍କର ଦେଇ କଂଗ୍ରେସ ମଧ୍ୟ ପ୍ରଚାରକୁ ଜୋର ଦାର କରିଥିଲା। ପିସିସି ସଭାପତି ନିରଂଜନ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଡ. ଏ ଚେଲ୍ଲା କୁମାର, ପିସିସି କାର୍ଯ୍ୟକାରୀ ସଭାପତି ଚିରଂଜୀବୀ ବିଶ୍ୱାଳ, ପ୍ରଦୀପ ମାଝୀ, ପୂର୍ବତନ ସାଂସଦ ରଂଜୀବ ବିଶ୍ୱାଳ, ବିଧାୟକ ସୁରେଶ ରାଉତରାୟ, ଅରିନ୍ଦମ ସର୍ଖେଲ ପ୍ରମୁଖ ପ୍ରଚାର କରିଥିଲେ। କଂଗ୍ରେସ ମଧ୍ୟ ଯୁବ ବର୍ଗଙ୍କୁ ନେଇ ପ୍ରତି ପଂଚାୟତରେ ବିରୋଧୀଙ୍କ ଗତିବିଧିକୁ ଲକ୍ଷ୍ୟ କରି ନିଜର ଗୋଟି ଚଳାଇଥିଲା।

ଉପ ନିର୍ବାଚନ ସବୁ ଦଳ ପାଇଁ ଆହ୍ଵାନ ଆଣି ଦେଇଛି। ବିଜେଡି ବିଜୟୀ ହେବ ବୋଲି ଦାବି କରୁଥିଲେ ହେଁ ଭୋଟ୍‌ ବ୍ୟବଧାନକୁ ନେଇ ଏବେ ଚିହିଁ ରହିଛନ୍ତିି ଦଳୀୟ ନେତା। ବିଜେପିର ମଧ୍ୟ ସମାନ ଅବସ୍ଥା ବିଜେଡି-ବିଜେପି କଳି ଭିତରେ କଂଗ୍ରେସ ଫାଇଦା ନେବାକୁ ବସିଛି।

ସମ୍ବନ୍ଧିତ ଖବର