ବ୍ରହ୍ମପୁର : ଦୃଷ୍ଟିହୀନଙ୍କୁ ଜୀବନ ସାଥୀ କଲେ ତିରୁପତି ଯୁବକ

ବ୍ରହ୍ମପୁର : ସାଧାରଣତଃ ଦୃଷ୍ଟିହୀନ ଝିଅଙ୍କ ବିବାହରେ ଅନେକ ପ୍ରତିବନ୍ଧକ ଦେଖାଦେଇଥାଏ। ହେଲେ ଗଞ୍ଜାମରେ ଏହାର ବ୍ୟତିକ୍ରମ ସ୍ବରୂପ ଦୃଷ୍ଟିହୀନ ସୌମ୍ୟାଙ୍କ ହାତ ଧରିଛନ୍ତି ଆନ୍ଧ୍ରପ୍ରଦେଶର ମଦନ ମୋହନ। ରବିବାର ବ୍ରହ୍ମପୁରର ଏକ କଲ୍ୟାଣ ମଣ୍ଡପରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଛି। ଏହି ଆଦର୍ଶ ବିବାହକୁ ବିଭିନ୍ନ ମହଲରେ ବେଶ୍‌ ପ୍ରଶଂସା କରାଯାଇଛି। ଆଉ ମଦନ ସଭିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

ବ୍ରହ୍ମପୁର ଗେଟ୍‌ବଜାର ରାଧାକୃଷ୍ଣ ସାହିର ଜି.ଏଲ୍.ଏନ୍ ସ୍ବାମୀ ଶେଖରଙ୍କ ଦୁଇ ଝିଅ ଏବଂ ଗୋଟିଏ ପୁଅ। ସାନ ଝିଅ ସୌମ୍ୟା ଜନ୍ମରୁ ଆଂଶିକ ଦୃଷ୍ଟିହୀନ। ୧୪ ବର୍ଷ ବୟସରେ ସେ ମସ୍ତିଷ୍କ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ। ରୋଗ ଭଲ ହୋଇଗଲା ସିନା, କିନ୍ତୁ ସେ କ୍ରମଶଃ ଦୃଷ୍ଟିଶକ୍ତି ହରାଇବାରେ ଲାଗିଲେ। ଏକ ଘରୋଇ କମ୍ପାନିରେ କାମ କରୁଥିବା ପିତା ଶେଖର ତାଙ୍କର ଆର୍ଥିକ ସ୍ଥିତି ଅନୁସାରେ ଝିଅର ଚିକିତ୍ସା କରାଇଥିଲେ। ହେଲେ ସେମିତି କୌଣସି ସୁଫଳ ମିଳି ନଥିଲା। ଶେଷରେ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ହୋଇଯାଇଥିଲେ ସୌମ୍ୟା। ଝିଅ ବଡ଼ ହେବା ସହିତ ଏହି ସମସ୍ୟା ନେଇ ଶେଖରଙ୍କ ଚିନ୍ତା ବଢ଼ିଥିଲା। ପରିଣତ ବୟସରେ କିଏ ସାହା ହେବ, ଏହା ଭାବି ସେ ବେଶ୍ ଚିନ୍ତିତ ଥିଲେ।

ଗତ କିଛି ମାସ ପୂର୍ବରୁ ଆନ୍ଧ୍ରପ୍ରଦେଶର ବିଜୟାନଗରମ୍‌ର ଜଣେ ସଂପର୍କୀୟ ଶେଖରଙ୍କୁ ମଦନଙ୍କ ସଂପର୍କରେ କହିଥିଲେ। ମଦନ ଆନ୍ଧ୍ରପ୍ରଦେଶର ତିରୁପତିର ଜି.ଭେଙ୍କଟ ସୀମାଦ୍ରିଙ୍କ ପୁଅ। ସେ ତିରୁମାଲା ମନ୍ଦିରର କ୍ୟାଣ୍ଟିନ୍‌ରେ କାମ କରନ୍ତି। ସଂପର୍କୀୟଙ୍କ ଜରିଆରେ ଶେଖର ଏବଂ ମଦନଙ୍କ ବାପା ସୀମାଦ୍ରି ବିବାହ ବିଷୟରେ କଥା ହୋଇଥିଲେ। ଏପରିକି ମଦନଙ୍କୁ ସୌମ୍ୟାଙ୍କ ଦୃଷ୍ଟିହୀନତା ସଂପର୍କରେ ଜଣାଇଥିଲେ। କିନ୍ତୁ ଏହାକୁ ଅତି ସକାରାତ୍ମକ ଭାବେ ଗ୍ରହଣ କରି ମଦନ ବିବାହ ପାଇଁ ରାଜି ହୋଇଥିଲେ। ଶେଷରେ ଆଜି ବ୍ରହ୍ମପୁରରେ ମଦନ ଓ ସୌମ୍ୟାଙ୍କ ବିବାହ ଅନୁଷ୍ଠିତ ହୋଇଛି। ଉଭୟ ପରିବାରର ବନ୍ଧୁବାନ୍ଧବ ଏହି ବିବାହରେ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ବିନା ଯୌତୁକରେ ଅନୁଷ୍ଠିତ ଏହି ବିବାହକୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଇଛି। ମଦନଙ୍କ ଏଭଳି ଉଦାରମୟ କାର୍ଯ୍ୟରେ ବାପା ଭେଙ୍କଟଙ୍କ ସମେତ ପରିବାର ସମସ୍ତ ବ୍ୟକ୍ତି ଖୁସି ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର