ପାରଳାଖେମୁଣ୍ଡି : ରାଜନୀତି ପେସା ନୁହେଁ, ସମାଜସବାର ମାଧ୍ୟମ। ବିଜେଡି ପାଇଁ କାମ କରିବେ, କିନ୍ତୁ ବିଧାୟକ ପ୍ରାର୍ଥୀ ହେବେ ନାହିଁ କି ଟିକେଟ୍ ଆଶାୟୀ ନୁହଁନ୍ତି ବୋଲି ହାଇଟେକ୍ ଗୁପ୍ ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀଙ୍କ ବୟାନ ଗଜପତି ଜିଲ୍ଲା ବିଜେଡି ରାଜନୀତି ବାତାବରଣରେ ହଠାତ୍ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ଏହା ପରେ ଦଳୀୟ ଶିବିରରେ ନୂତନ ଚିନ୍ତନ ଆରମ୍ଭ ହୋଇଥିବା ଜଣାପଡ଼ିଛି। ତିରୁପତିଙ୍କ ରାଜନୈତିକ ବିରୋଧୀ ଏବଂ ସମର୍ଥକମାନେ ଭିନ୍ନ ଭିନ୍ନ ମତପ୍ରକାଶ କରିଛନ୍ତି।
୨୦୧୯ ସାଧାରଣ ନିର୍ବାଚନ ଫଳାଫଳରୁ ବିଜୁ ଜନତା ଦଳର ସାଂଗଠନିକ ଦୁର୍ବଳତା ଦେଖାଯିବା ସହ ଲୋକପ୍ରିୟତା ହ୍ରାସ ପ୍ରତିଫଳିତ ହୋଇଥିଲା। ତେବେ, ୨୦୨୧ରେ ବିଜେଡିର କିଛି ବରିଷ୍ଠ ନେତାଙ୍କ ନିବେଦନ ଓ ପରାମର୍ଶ ଗ୍ରହଣ କରି ତିରୁପତି ନିଜର ସମର୍ଥକଙ୍କ ସହ ବିଜେଡିର ସାଂଗଠନକ ଶକ୍ତିକୁ ସୁଦୃଢ଼ କରିବା ପ୍ରୟାସ ଆରମ୍ଭ କରିଥିଲେ ଏବଂ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥିଲା। ପଞ୍ଚାୟତ ଓ ପୌର ନିର୍ବାଚନରେ ପାରଳାଖେମୁଣ୍ଡି ବିଧାନସଭା ଆସନରେ ବିଜୁ ଜନତା ଦଳର ଭୋଟ ପରିସଂଖ୍ୟନ ୧୮ ପ୍ରତିଶତରୁ ୫୩.୫୩ ପ୍ରତିଶତକୁ ବୃଦ୍ଧି ପାଇଥିଲା।
୨୦୧୯ ନିର୍ବାଚନରେ ବିଜେଡି ଟିକେଟ୍ ନମିଳିବାରୁ ବିଜେପି ପ୍ରାର୍ଥୀ ଭାବେ ଜିତିଥିବା କେ. ନାରାୟଣ ରାଓ ୩୫ ପ୍ରତିଶତ ଭୋଟ ପାଇଥିବା ବେଳେ ୨୦୨୨ ପଞ୍ଚାୟତ ନିର୍ବାଚନରେ ଏହା ୨୯.୭୯ ପ୍ରତିଶତକୁ ହ୍ରାସ ପାଇଛି। ୨୦୧୯ ନିର୍ବାଚନରେ ତିରୁପତି ପାଣିଗ୍ରାହୀ ସ୍ବାଧୀନ ପ୍ରାର୍ଥୀ ଭାବେ ୨୪.୪୮ ପ୍ରତିଶତ ଭୋଟ ପାଇଥିଲେ। ୨୦୨୨ ପଞ୍ଚାୟତ ନିର୍ବାଚନରେ ସେ ଏବଂ ତାଙ୍କ ସମର୍ଥକମାନେ ବିଜେଡି ପାଇଁ କାମ କରିବା ଆରମ୍ଭ କରିବା ଫଳରେ ବିଜେପି ବିଧାୟକ କେ.ନାରାୟଣ ରାଓଙ୍କ ପ୍ରଭାବକୁ ଗୋଷାଣୀ ଏବଂ କାଶୀନଗର ବ୍ଲକ୍ରେ ସାଂଗଠନିକ ରଣନୀତି ଜରିଆରେ ବ୍ରେକ୍ ଦେବାରେ ସକ୍ଷମ ହେଲେ। ଭୋଟହାର ଦୃଷ୍ଟିରୁ କାଶୀନଗର ବ୍ଲକ୍ରେ ନାରାୟଣ ଅପ୍ରତିଦ୍ବନ୍ଦ୍ବୀ ନେତା ଭାବେ ରହି ଅସୁଥିଲେ। ୨୦୦୯ ସାଧାରଣ ନିର୍ବାଚନ ବେଳେ ବିଜେଡି ପ୍ରାର୍ଥୀ ଭାବେ ଏହି ବ୍ଲକ୍ରେ ନିଜ ଲୋକପ୍ରିୟତାର ପ୍ରମାଣ ଦେଇଥିଲେ। ବିଜେପିରେ ଯୋଗ ଦେଇ ଗୋଷାଣୀ ଏବଂ କାଶୀନଗର ବ୍ଲକ୍ର ଅଧିକାଂଶ ବିଜେଡି ନିର୍ବାଚିତ ପ୍ରତିନିଧିଙ୍କୁ ନିଜ ଶିବିରକୁ ନେଇଯିବାରେ ସମର୍ଥ ହୋଇଥିଲେ। ତେବେ, ତିରୁପତି ବିଜେଡିକୁ ପଞ୍ଚାୟତ ନିର୍ବାଚନରେ ଜିତାଇବା ପାଇଁ ଯେଉଁ ରଣନୀତି ଏବଂ କୌଶଳ ପ୍ରସ୍ତୁତ କରିଥିଲେ, ତ’ଦ୍ବାରା ବହୁ ପୁରୁଣା ବିଜେଡି ନେତା ପୁନର୍ବାର ଦଳକୁ ଫେରି ଆସିଥିଲେ। ପାରଳାଖେମୁଣ୍ଡି ବିଧାନସଭା ଆସନର ଗୁମ୍ମା ବ୍ଲକ୍ଟି କଂଗ୍ରେସର ଦୁର୍ଗ ଭାବେ ପରିଚିତ ଥିଲା। ଏଠାରେ ମଧ୍ୟ ତିରୁପତିଙ୍କ ପ୍ରଭାବରେ ବିଜେଡିର ଜିଲ୍ଲା ପରିଷଦ ସଦସ୍ୟା ପ୍ରଥମ ଥର ପାଇଁ ବିଜୟୀ ହେଲେ। ବିଗତ ୧୪ ମାସ ମଧ୍ୟରେ ତିରୁପତିଙ୍କ ନେତୃତ୍ବରେ ବିଜେଡି ସାଂଗଠନିକ ଦୃଷ୍ଟିରୁ ବହୁ ଆଗକୁ ବଢ଼ିପାରିଛି।
ତିରୁପତି ହୁଏତ ବିଧାୟକ ପ୍ରାର୍ଥୀ ହେବା ପାଇଁ ଦଳୀୟ ଟିକେଟ୍ ଦାବିଦାର ନ ହେବା ନିଷ୍ପତ୍ତି ପଛରେ ଦଳ ମଧ୍ୟରେ ଦେଖା ଦେଇଥିବା ଅନ୍ତର୍ଦ୍ବନ୍ଦ୍ବ ପ୍ରଶମନ କରିବା ଉଦ୍ଦେଶ୍ୟ ଥାଇପାରେ ବୋଲି ମନେ କରାଯାଉଛି। ଗତ ପୌର ନିର୍ବାଚନ ପରେ ଏହି ଅନ୍ତର୍ଦ୍ବନ୍ଦ୍ବ ପଦାରେ ପଡ଼ିଥିଲା। ସମବାୟ ନିର୍ବାଚନ ବେଳେ କିଛି ଜଣାଶୁଣା ବିଜୁ ଜନତା ଦଳର ନେତୃବୃନ୍ଦ ଭାଜପା ସହ ହାତ ମିଳାଇଥିବା ମଧ୍ୟ ଜଣାପଡ଼ିଥିଲା। ଏହି ଅନ୍ତର୍ଦ୍ବନ୍ଦ୍ବ ବିଭିନ୍ନ ସମୟରେ ମୁଣ୍ଡ ଟେକିଥିଲା। ବିଶେଷ କରି ବିଜେଡିର ଏକ ମାସ ବ୍ୟାପି ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରା ବେଳେ ଏବଂ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ପାରଳା ଗସ୍ତ ବେଳେ ବିବାଦ ଖୋଲାଖୋଲି ପଦାରେ ପଡ଼ିଥିଲା।
ଜିଲ୍ଲାରେ ବିଜେଡିର ସାଂଗଠନିକ ଶକ୍ତି ଯେତେ ବୃଦ୍ଧି ପାଇଛି, ନେତାଙ୍କ ମଧ୍ୟରେ ମତଭେଦ ଓ ମନୋମାଳିନ୍ୟ ତୃଣମୂଳ କର୍ମୀଙ୍କ ଉପରେ ସେତିକି ନକାରାତ୍ମକ ପ୍ରଭାବ ପକାଇଛି। ପାରଳା ସହରରେ ଜିଲ୍ଲା ସଂଗଠନ ଦୁଇଟି ସ୍ଥାନରେ ପରିଚାଳିତ ହେଉଥିବା ଯୋଗୁଁ କର୍ମୀମାନେ ମଧ୍ୟ କେଉଁ ନେତାଙ୍କ ପଛରେ ରହିବେ, ତାହା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ସଂଗଠନ ପଦପଦବିରେ ଥିବା ପ୍ରମୁଖ ନେତାମାନେ ବାରମ୍ବାର କଟାକ୍ଷ କରିବା ବୋଧହୁଏ ତିରୁପତିଙ୍କୁ ବାଧ୍ୟ କରିଛି ଏଭଳି ବୟାନ ପାଇଁ। ତେବେ, ତିରୁପତି ନିଜକୁ ଟିକେଟ୍ ଦୌଡ଼ରୁ ଦୂଦେଇ ନେବା ସ୍ପଷ୍ଟ କରିବା ପରେ ବର୍ତ୍ତମାନର ବିଜେପି ବିଧାୟକ କେ.ନାରାୟଣ ରାଓଙ୍କୁ ଆସନ୍ତା ଦିନରେ ବିଜେଡିରୁ କିଏ ଟକ୍କର ଦେବା, ସେ ମୁହଁଟି କିଏ ହେବ, ବିଜେଡି ସଂଗଠନକୁ ଆଗକୁ ନେବା ପାଇଁ କିଏ ସକ୍ଷମ ହେବ, ତାହା ଦେଖିବାକୁ ବାକି ରହିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/tirupati-panigrahi.jpg)