ଟିଟାନିୟମ୍ ସ୍ଲାଗ୍ ଉତ୍ପାଦନ ବନ୍ଦ ପ୍ରସଙ୍ଗ : ପ୍ଲାଣ୍ଟ୍‌ ଚାଲୁ କରିବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଶ୍ରମିକ

ଛତ୍ରପୁର : ଦେଶର ଏକମାତ୍ର ଟିଟାନିୟମ୍‌ ସ୍ଲାଗ୍‌ ଉତ୍ପାଦନ ପ୍ଲାଣ୍ଟରୁ ଉତ୍ପାଦନ ବନ୍ଦ ରହିବା ଘଟଣାରେ ଶ୍ରମିକ ଅଶାନ୍ତି ଜୋର୍‌ ଧରିଛି। ପ୍ଲାଣ୍ଟ ପୁନଃକାର୍ଯ୍ୟକ୍ଷମ କରିବା ଦାବିରେ ଶୁକ୍ରବାର ଟିଟାନିୟମ୍ ପ୍ଲାଣ୍ଟ୍‌ ଭୂ-ବିସ୍ଥାପିତ କଲ୍ୟାଣ ସଂଘର ସଭାପତି ଏସ୍‌.ଚକ୍ରପାଣି ରେଡ୍ଡୀଙ୍କ ନେତୃତ୍ବରେ ଶ୍ରମିକମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଖୁବ୍ ଶୀଘ୍ର କମ୍ପାନି କତ୍ତୃପକ୍ଷଙ୍କୁ ଡାକି ଆଲୋଚନା କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରତିଶ୍ରୁତି ଦେଇଛନ୍ତି। ଏହାର ସମାଧାନ ଲାଗି ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶ୍ରମିକମାନଙ୍କୁ ଜିଲ୍ଲାପାଳ କହିଛନ୍ତି।
ଗଞ୍ଜାମ ଜିଲ୍ଲା ଛତ୍ରପୁର ତହସିଲର ଶ୍ରୀରାମଚନ୍ଦ୍ରପୁର, ଟାକିରିଆ ବ୍ରହ୍ମପୁର ଓ କଣମଣା ମୌଜାର ୨୫୦ ଏକର ଜମିରେ ଅବସ୍ଥାପିତ ଏହି ଟିଟାନିୟମ୍ ସ୍ଲାଗ୍ ପ୍ଲାଣ୍ଟରେ ଗତ ମେ ମାସରୁ ଉତ୍ପାଦନ ବନ୍ଦ ହୋଇଯାଇଛି। ଏହି କାରାଖାନା ପାଇଁ ଜମି ହରାଇଥିବା ତିନୋଟି ମୌଜାର ୫ ଖଣ୍ତ ଗାଁର ପ୍ରାୟ ୪୫୦ ଶ୍ରମିକ ପରିବାର ଜୀବିକା ହରାଇବାକୁ ବସିଛନ୍ତି। ଗୋଟିଏ ପଟେ ଜମି ହରାଇଥିବା ବେଳେ ଅନ୍ୟପଟେ କାରାଖାନା ବନ୍ଦ ହେବାକୁ ଯାଉଥିବାରୁ ସେମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଏହାକୁ ନେଇ ଶ୍ରମିକମାନେ ଚିନ୍ତାରେ ରହିଛନ୍ତି।  ଶ୍ରମିକମାନେ କହିଛନ୍ତି, କମ୍ପାନିକୁ ସବୁ ସମୟରେ ସମସ୍ତ ପ୍ରକାର ସହଯୋଗ କରି ଆସିଛୁ। ପ୍ଲାଣ୍ଟ୍‌ରେ ସ୍ଲାଗ୍ ଉତ୍ପାଦନ ଠିକ୍‌ ଚାଲିଥିଲା। ଏଥିରେ କମ୍ପାନି ବି ଲାଭବାନ୍‌ ହୋଇଛି। ଏଠାରୁ ଲାଭ ପାଇଥିବା ଟଙ୍କା ଅନ୍ୟ କାର୍ଯ୍ୟରେ ବିନିଯୋଗ କରିଛି। କମ୍ପାନି ମାଲିକ ଏମ୍.ସରାଫ୍‌ଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଏଠାରେ ଚାଲିଥିବା କମ୍ପାନିକୁ ବନ୍ଦ କରିବାକୁ ଚାହୁଁଛନ୍ତି। ୨୨ ଶହ କୋଟି ଟଙ୍କା ବିନିଯୋଗ କରି ଏଠାରେ ପ୍ଲାଣ୍ଟ କରିବା ପାଇଁ ଚୁକ୍ତିନାମା କରି ୨୫୦ କୋଟି ଟଙ୍କା ଖର୍ଚ୍ଚ କରି ପ୍ଲାଣ୍ଟ୍‌ ପ୍ରତିଷ୍ଠା ହୋଇଥିଲା। ଟିଟାନିୟମ୍ ପ୍ଲାଣ୍ଟ୍‌ ତୁରନ୍ତ କାର୍ଯ୍ୟକ୍ଷମ ନ ହେଲେ ଶ୍ରମିକ ଏବଂ ସେମାନଙ୍କ ପରିବାର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଟିଟାନିୟମ୍ ଭୂ–ବିସ୍ଥାପିତ କଲ୍ୟାଣ ସଂଘ ସଭାପତି ଶ୍ରୀ ରେଡ୍ଡୀ କହିଛନ୍ତି। ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ ବେଳେ ସଂଘର ଉପସଭାପତି ଭି.ଭେଙ୍କଟ ରାବଣା, ସାଧାରଣ ସଂପାଦକ ଲକ୍ଷ୍ମୀ ନାରାୟଣ ମହାରଣା, ଏସ୍‌.ତ୍ରିନାଥ ରେଡ୍ଡୀ, ଏସ୍‌.କ୍ରିଷ୍ଣା ରେଡ୍ଡୀଙ୍କ ସମେତ ବହୁ ଶ୍ରମିକ ଉପସ୍ଥିତ ଥିଲେ।
ସମ୍ବନ୍ଧିତ ଖବର