୧୮ କିଲୋମିଟର ବେଗରେ ମାଡ଼ି ଆସୁଛି ତିତଲି ! ଗୋପାଳପୁର ଠାରୁ ୧୬୦ କିଲୋମିଟର ଦୂରରେ ରହିଛି

ନୂଆଦିଲ୍ଲୀ : ପାଖେଇ ଆସୁଛି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଅତି ଭୀଷଣ ସାମୁଦ୍ରିକ ଝଡ଼ ତିତଲି। ଏହାଏବେ ଗୋପାଳପୁରଠାରୁ ୧୬୦ କିଲୋମିଟର ଦୂରରେ ରହିଛି ବୋଲି ଗୋପାଳପୁରଠାରେ ଥିବା ଡପଲର୍ ରାଡାରରୁ ପ୍ରାପ୍ତ ସୂଚନାରୁ ଜଣାଯାଇଛି । ଏହା ବର୍ତ୍ତମାନ ଘଣ୍ଟାକୁ ୧୮ରୁ ୨୦ କିଲୋମିଟର ବେଗରେ ସୁମୁଦ୍ର ଉପରେ ଗତି କରୁଛି। ତିତଲି ଆସନ୍ତାକାଲି ସକାଳ ୫.୩୦ ମିନିଟରେ ଗୋପାଳପୁର ଓ କଳିଙ୍ଗପଟ୍ଟନମ୍ ମଝିରେ ସ୍ଥଳଭାଗ ଛୁଇଁବ ବୋଲି ସୂଚନା ରହିଛି। ସ୍ଥଳ ଭାଗରେ ମାଡ଼ ହେବା ବେଳେ ଏହାର ସାଂଘାତିକ ପ୍ରଭାବ ପଡ଼ିବା ଆଶଙ୍କା ରହିଛି । ଘଣ୍ଟା ପ୍ରତି ୧୪୦ରୁ ୧୬୫ କିଲୋମିଟର ବେଗରେ ପବନ ବହିପାରେ । ତିତଲି ସ୍ଥଳଭାଗ ଛୁଇଁବା ପରେ ପୂର୍ବ ଉପକୁଳରେ ସମୁଦ୍ର ଅତ୍ୟଧିକ ଅଶାନ୍ତ ରହିବ । ସମୁଦ୍ରରେ ଦେଢ଼ ମିଟରରୁ ଅଧିକ ଉଚ୍ଚର ଜୁଆର ଉଠିବ।

ତିତଲି ପ୍ରଭାବରେ ଆଜି ସକାଳୁ ଆରମ୍ଭ ହୋଇଯାଇଛି ବର୍ଷା । କାଲି ରାତି ଯାଏଁ ବର୍ଷା ଲାଗି ରହିବା ଆଶଙ୍କା ରହିଛି । ଗୋପାଳପୁର, ପୁରୀ, ଅସ୍ତରଙ୍ଗ, କୋଣାର୍କ ଓ ପାରାଦୀପର ସମୁଦ୍ର କୁଳିଆ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ନିଆଯାଉଛି । ୮୩୬ ବାତ୍ୟା ଆଶ୍ରୟସ୍ଥଳୀରେ ବିଶେଷ ବ୍ୟବସ୍ଥା କରାଯାଇଛି । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ୧୧ ଓ ୧୨ ତାରିଖ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ରେଡ୍ ୱାର୍ଣିଂ ଜିଲ୍ଲାଗୁଡିକୁ ଏନଡିଆରଏଫ ଏବଂ ଓଡ୍ରାଫ୍ ଟିମକୁ ପଠାଇ ଦିଆଯାଇଛି । ତିତଲି ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ସହାୟତା ମାଗିଛନ୍ତି ରାଜ୍ୟ ସରକାର । ସେନାବାହିନୀ ଓ ଆକାଶବାହିନୀକୁ ସଜାଗ କରାଯାଇଛି । ଦରକାର ପଡିଲେ କୌଣସି ମୂହୁର୍ତରେ ସେମାନଙ୍କର ସହାୟତା ନିଆଯାଇପାରେ । ବାତ୍ୟା ପରିସ୍ଥିତି ଓ ଏହାର ମୁକାବିଲା ନେଇ ଆଜି ସଂଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ସହ କେନ୍ଦ୍ର କ୍ୟାବିନେଟ୍ ସଚିବ କଥା ହୋଇଛନ୍ତି ।

ସମ୍ବନ୍ଧିତ ଖବର