କରୋନାର କରୁଣ ଚିତ୍ର: ସ୍ୱାମୀଙ୍କ ମଲାମୁହଁ ଦେଖିପାରିଲେନି ସ୍ତ୍ରୀ

ଟିଟିଲାଗଡ଼ : ସ୍ତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏବେ କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସାଧୀନ। ସେପଟେ ସ୍ବାମୀ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏଭଳି ସ୍ଥିତିରେ ସ୍ବାମୀଙ୍କ ମଲା ମୁହଁ ବି ଦେଖି ପାରିଲେନି ସ୍ତ୍ରୀ। କରୋନା ସଂକ୍ରମଣ ସମୟ‌ର ଏଭଳି ଏକ କରୁଣ ଚିତ୍ର ସାମନାକୁ ଆସିଛି ଟିଟିଲାଗଡ଼ ବ୍ଲକ୍‌ ପରାସରା ପଞ୍ଚାୟତ ଅଞ୍ଚଳରୁ।

ମୃତକ ପରାସରା ଗାଁର ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି। ପରିବାରରେ ତାଙ୍କ ସ୍ତ୍ରୀ ଓ ଦୁଇ ବିବାହିତ ପୁଅ ଅଛନ୍ତି। ତେବେ ସେମାନେ ସମସ୍ତେ ଦାଦନ ଶ୍ରମିକ ଭାବେ ଛତିଶଗଡ଼ର ରାୟପୁରକୁ ଯାଇଥିଲେ। କିଛି ଦିନ ତଳେ ଉକ୍ତ ବ୍ୟକ୍ତିଙ୍କ ଦେହ ଖରାପ ଖବର ପାଇ ତାଙ୍କ ସ୍ତ୍ରୀ ଗାଁକୁ ଆସିଥିଲେ। ହେଲେ ତାଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ପଡ଼ିଥିଲା। ସେଠାରେ ତାଙ୍କର ସ୍ୱାବ୍‌ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଚିକିତ୍ସା ପାଇଁ କୋଭିଡ ଡାକ୍ତରଖାନାକୁ ପଠାଇ ଦିଆଗଲା। ସେ ଡାକ୍ତରଖାନାକୁ ଯିବାର ପର ଦିନ ରାତିରେ ତାଙ୍କ ସ୍ୱାମୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଦୁଇପୁଅ ଏବେ ମଧ୍ୟ ରାୟପୁରରେ ଅଛନ୍ତି। ଗାଁ ଲୋକେ ଓ ବନ୍ଧୁପରିଜନ ଶବ ଛୁଇଁବାକୁ ପ୍ରଥମେ ଅମଙ୍ଗ ହେଉଥିଲେ। ପୁଲିସ ହସ୍ତକ୍ଷେପ ପରେ ସେମାନେ ରାଜି ହେବା ପରେ ଶେଷକୃତ୍ୟ ସଂପନ୍ନ ହୋଇଛି। ଅନ୍ୟପଟେ ସ୍ୱାମୀଙ୍କ ମୃତ୍ୟୁ ଖବର ବର୍ତ୍ତମାନ ପର୍ଯ୍ୟନ୍ତ ସ୍ତ୍ରୀ ପାଇଛନ୍ତି କି ନାହିଁ ତାହା ବି ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର