ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡୁଙ୍ଗୁରିପାଲି ପଞ୍ଚାୟତର ତେଣ୍ଡିପାଲି ଗ‌ାଁରେ ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ସେହିପରି ତାଙ୍କ ସହଯୋଗୀ ଡୋଳାମଣି ବସ୍ତିଆ ଓ ଲବେନ୍ଦ୍ରଙ୍କୁ ଆକ୍ରମଣ କରି ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ସବିଶେଷ ଖବର ଅନୁସାରେ ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ସମର୍ଥକମାନେ ଟିଟିଲାଗଡ଼ ଥାନା ଘେରାଉ କରିଛନ୍ତି। ଫଳରେ ଜାତୀୟ ରାଜପଥ ଅବରୋଧ ହେବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି।

Advertisment

ଅଭିଯୋଗ ଅନୁଯାୟୀ, ଶ୍ରୀ ଜୈନ ନିର୍ବାଚନ ପ୍ରଚାରରେ ଡୁଙ୍ଗୁରିପାଲି ଯାଇଥିବା ବେଳେ ତେଣ୍ଡିପାଲିଠାରେ ଆୟୋଜିତ ଚନ୍ଦନଯାତ୍ରାରେ ଯୋଗଦେଇ ନିଜ ସମର୍ଥକଙ୍କ ସହ ଫେରୁଥିଲେ। ତେବେ ଗ୍ରାମ ନିକଟ ସୋଲାର ପ୍ଲାଣ୍ଟ୍‌ଠାରେ ପାଞ୍ଚ ଛଅଟି ଗାଡ଼ିରେ କିଛି ଯୁବକ ଆସି ତାଙ୍କ ଗାଡ଼ିକୁ ଅଟକାଇ ଡୋଳାମଣି ଓ ଲବେନ୍ଦ୍ରଙ୍କୁ ମାଡ଼ ମାରିବା ସହ ସେମାନଙ୍କ ଗାଡ଼ିରେ ନେଇଯାଇଥିଲେ। ଉପସ୍ଥିତ ବୁଦ୍ଧି ଖଟାଇ ନବୀନଙ୍କ ଡ୍ରାଇଭର ତାଙ୍କୁ ଗାଁ ଭିତରକୁ ନେଇ ଜଣେ ବ୍ୟକ୍ତିଙ୍କ ଘରେ ସୁରକ୍ଷିତ ଅବସ୍ଥାରେ ରଖି ଗାଁ ଲୋକଙ୍କୁ ଜଣାଇଥିଲେ। ନବୀନଙ୍କଠାରୁ ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଘଟଣାସ୍ଥଳଠାରୁ ଦୂର ରାସ୍ତା କଡ଼ରୁ ପୁଲିସ ଗୁରୁତର ଅବସ୍ଥାରେ ଶ୍ରୀ ବସ୍ତିଆଙ୍କୁ ଉଦ୍ଧାର କରି ପ୍ରଥମେ ସଇନ୍ତଳା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିଥିବା ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ସୂଚନା ଦେଇଛନ୍ତି। ଅପରପକ୍ଷରେ ନବୀନଙ୍କୁ ସୁରକ୍ଷିତ ଭାବରେ ଆଣିବା ପାଇଁ ଟିଟିଲାଗଡ଼ ଏସ୍‌ଡିପିଓ ଅଙ୍କିତା କୁମ୍ଭାର ଘଟଣାସ୍ଥଳକୁ ଯାଇଥିବା ସୂଚନା ମିଳିଛି। ଘଟଣାକୁ ନେଇ ନବୀନ ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେବା ସହ ଏହା ବିଜେଡିର କାମ ବୋଲି ଅଭିଯୋଗ କରିଛନ୍ତି।