ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନମଣ୍ଡଳୀର ଫଳାଫଳ ଏଥର ଅନ୍ୟତମ ଚର୍ଚ୍ଚାର ବିଷୟ ପାଲଟିଛି। କ୍ରମାଗତ ଦୁଇଥର ଏଠାରୁ ବିଜୟୀ ହୋଇ ଟୁକୁନୀ ସାହୁ ରାଜ୍ୟ ରାଜନୀତିରେ କେବଳ ପ୍ରତିଷ୍ଠା ଅର୍ଜନ କରିନଥିଲେ, ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଦାୟିତ୍ବ ମଧ୍ୟ ତୁଲାଇଥିଲେ। ମାତ୍ର, ଚଳିତ ନିର୍ବାଚନରେ ସବୁକିଛି ଓଲଟପାଲଟ ହୋଇଯାଇଛି। ବ୍ୟବସାୟରୁ ରାଜନୀତିରେ ପାଦ ଦେଇଥିବା ନବୀନ ଜୈନଙ୍କଠାରୁ ସେ ୧୭,୩୯୯ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଛନ୍ତି। ଏହି ପରାଜୟ ସହିତ ଟୁକୁନୀଙ୍କ ରାଜନୈତିକ ଯାତ୍ରାରେ ଏକପ୍ରକାର ଅଙ୍କୁଶ ଲାଗିଯାଇଛି। ତେବେ, ତାଙ୍କ ପରାଜୟ ପଛରେ ବହୁ କାରଣ ଥିଲେ ମଧ୍ୟ ‘ଜିଲ୍ଲା ଗଠନ’ ପ୍ରସଙ୍ଗ ପ୍ରମୁଖ ବୋଲି ଚର୍ଚ୍ଚା ହେଉଛି।
ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ପଦ୍ମପୁର ଉପନିର୍ବାଚନ ବେଳେ ରାଜ୍ୟବ୍ୟାପୀ ନୂଆ ଜିଲ୍ଲାଗଠନ ଲାଗି ଜୋର୍ଦାର୍ ଦାବି ଉଠିଥିଲା। ଏଥିରେ ଟିଟିଲାଗଡ଼ ବି ସାମିଲ ଥିଲା। ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମାମଲାରେ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ମାମଲା ଥଣ୍ଡା ପଡ଼ିଥିଲା। ତେବେ, ଏହି ପ୍ରସଙ୍ଗରେ ଟୁକୁନୀଙ୍କ ବକ୍ତବ୍ୟ ଚର୍ଚ୍ଚାରେ ରହିଥିଲା। ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିଥିଲେ ଏବଂ ଟିଟିଲାଗଡ଼କୁ ଅଣଦେଖା କରାଯାଇଥିଲେ, ତାଙ୍କ ମନରେ ମନ୍ତ୍ରୀପଦରୁ ଇସ୍ତଫା ଦେବା ବିଚାର ଆସିଥିଲା ବୋଲି ସେ ବକ୍ତବ୍ୟରେ କହିଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ତର୍କବିତର୍କ ଲାଗି ରହିଥିଲା। ସମ୍ଭବତଃ, ଏହି ବିବାଦୀୟ ପ୍ରସଂଗରେ ହାତ ମାରିବା ଟୁକୁନୀଙ୍କ ପାଇଁ ବୁମେରାଂ ସଦୃଶ ହେଲା ବୋଲି ଗୋଟିଏ ମତ ଉଠୁଛି। ଦ୍ବିତୀୟ କଥା ହେଲା, ଟୁକୁନୀ ତାଙ୍କ ବିରୋଧରେ ଥିବା ଅନ୍ତଃସ୍ରୋତକୁ ଠଉରାଇ ପାରିନଥିଲେ। ୨୦୧୮ ପୌର ନିର୍ବାଚନ ସମୟରେ ଟୁକୁନୀଙ୍କ ପ୍ରଭାବ ଶୀର୍ଷ ସ୍ତରରେ ଥିଲା। କିନ୍ତୁ, ଟିଟିଲାଗଡ଼ରେ ମୋଟ୍ ୧୫ରୁ ୫ଜଣ କାଉନ୍ସିଲର୍ ବିଜେପିର ନିର୍ବାଚିତ ହେଲେ। ଏହାସହିତ ନବୀନ ଜୈନଙ୍କ ପତ୍ନୀ ମମତା ପୌରାଧ୍ୟକ୍ଷା ପଦରେ ରହିଥିଲେ। ସହରରେ ଥିବା ଏହି ଅନ୍ତଃସ୍ରୋତକୁ ଅଣଦେଖା କରିବା ଟୁକୁନୀଙ୍କ ପାଇଁ ଅନ୍ୟତମ ବିପର୍ଯ୍ୟୟର କାରଣ ବୋଲି କୁହାଯାଉଛି।
ଟିଟିଲାଗଡ଼ରେ ବିଜେଡିର ପତନର ଆଉ ଗୋଟିଏ କାରଣ ହିସାବରେ ସୁରେନ୍ଦ୍ର ସିଂ ଭୋଇଙ୍କ ଭୂମିକା ଗତ ଦୁଇଟି ନିର୍ବାଚନରେ ଟୁକୁନୀ ଏବଂ ସୁରେନ୍ଦ୍ର ପରସ୍ପରର ବିରୋଧୀ ଭୂମିକାରେ ଥିଲେ। କିନ୍ତୁ ଏଥର ସୁରେନ୍ଦ୍ରଙ୍କୁ ବିଜେଡିକୁ ଆଣି ସାଂସଦ ଟିକେଟ୍ ଦେବାରେ ଟୁକୁନୀଙ୍କ ବଡ଼ ଭୂମିକା ରହିଥିବା କୁହାଯାଉଛି। ଏକଦା ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଥିବା ଉଭୟ ନେତା ଏଥର ଏକାଠି ମିଶି ଲଢ଼ିବାର ଭୋଟ୍ ସମୀକରଣ ବିଗାଡ଼ି ଦେଇଥିବା ସମୀକ୍ଷକଙ୍କ ମତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/District-Formation-Issue-Was-Well-For-Tukuni-Sahu-_Thumbnail.jpg)