ଟିଟିଲାଗଡ଼ ଜିଲ୍ଲା ଦାବିରେ ମହାବନ୍ଦ ଶାନ୍ତିପୂର୍ଣ୍ଣ

ଟିଟିଲାଗଡ଼: ଟିଟିଲାଗଡ଼ ଜିଲ୍ଲା ଦାବିରେ ଗୁରୁବାର ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ଶାନ୍ତିପୂର୍ଣ୍ଣ ରହିଥିଲା। ବନ୍ଦ ପାଳନକୁ ସହରର ସମସ୍ତ ସାମାଜିକ ଅନୁଷ୍ଠାନ, ରାଜନୈତିକ ଦଳ ସହ ବଣିକ ସଂଘ, ଟିଟିଲାଗଡ଼ ବିକାଶ ସେନା, ଜନସ୍ୱାର୍ଥ ସୁରକ୍ଷା ସମିତି, ଗରିବ ସେନା, ଗୁରୁକୃପା ସେବା ଟ୍ରଷ୍ଟ, ସମାଜ କଲ୍ୟାଣ ପରିଷଦ ଆଦି ବହୁ ଅନୁଷ୍ଠାନ ସମର୍ଥନ କରି ସାମିଲ ହୋଇଥିଲେ। ସହରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତୁରନ୍ତ ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବାକୁ ଦାବି କରିଥିଲେ। ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ ସଞ୍ଜୟ ବେହେରାଙ୍କ ନେତୃତ୍ୱରେ ହୋଇଥିବା ବନ୍ଦ ପାଳନରେ ସାରା ସହର ଶୂନଶାନ ଥିଲା। ସମସ୍ତ ଦୋକାନ ବଜାରରେ ତାଲା ଝୁଲୁଥିଲା। ଉପଜିଲ୍ଲାପାଳ, ତହସିଲ, ପୌର ପାଳିକା, ପୋଷ୍ଟ ଅଫିସ ସହ ସରକାରୀ ଏବଂ ବେସରକାରୀ ବ୍ୟାଙ୍କଗୁଡ଼ିକ ମଧ୍ୟ ବନ୍ଦ ରହିଥିଲା। ପେଟ୍ରୋଲ ପମ୍ପ ଛକରେ ଟିଟିଲାଗଡ଼ ବିକାଶ ସେନାର ଶତାଧିକ ଯୁବକ ଟାୟାର ଜାଳି ଜାତୀୟ ରାଜପଥ ୫୯କୁ ଅବରୋଧ କରିଥିଲେ। ଟିଟିଲାଗଡ଼ ଓକିଲ ସଂଘ ସଦସ୍ୟମାନେ କୋର୍ଟ ବାହାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅମ୍ଲାନ ଷଡ଼ଙ୍ଗୀ, ସୁନୀଲ ଆଚାର୍ଯ୍ୟ, ଗରିବ ସେନା ଆବାହକ ବୀରେନ୍ଦ୍ର ବାଗ, ପ୍ରମୋଦ ପ୍ରଧାନ, ବୀରବର ସାହୁ, ହରିନାରାୟଣ ମିଶ୍ର, ପୌରାଧ୍ୟକ୍ଷା ମମତା ଦେବୀ ଜୈନ ଜିଲ୍ଲା ଦାବୀକୁ ସମର୍ଥନ ଦେବା ସହ ଲୋକଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ବିଜେପି ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ସନ୍ତୋଷ ମହାନ୍ତି, ବିଜୟ ମେହେର, ନାରୀ ନେତ୍ରୀ ଅଞ୍ଜଳି ବେହେରା, ଯାଦବ ସଂଘର ଘିନୁ ଆଡ଼ଜୁଆଡ଼, ତୁଳସୀ ସାହୁ, ମହେଶ ମହାନ୍ତି, ଦେବାନନ୍ଦ ସାହୁ, ଦେବ ଷଡ଼ଙ୍ଗୀ, ହରି ବହିଦାର, ଡମ୍ବରୁ ଛତ୍ରିଆ, ପୁରୁଷୋତ୍ତମ ସ୍ୱାଇଁ, କୈଳାସ ସାହୁ, ସାରଙ୍ଗଧର ବାଗ ପ୍ରମୁଖ ଜିଲ୍ଲା ଦାବି ଆନ୍ଦୋଳନକୁ ଆଗାମୀ ଦିନରେ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହି ବନ୍ଦର ପ୍ରଭାବ ସଇନ୍ତଲା, ମୁରିବାହାଲ ଓ ସିନ୍ଧେକେଲାରେ ମଧ୍ୟ ଦେଖିବାକୁ ମିଳିଥିଲା।

ସିନ୍ଧେକେଲା: ଟିଟିଲାଗଡ଼କୁ ଜିଲ୍ଲା ଓ ସିନ୍ଧେକେଲାକୁ ବ୍ଲକ୍‌ ମାନ୍ୟତା ଦେବାକୁ ଦାବି କରି ଗୁରୁବାର ୧୨ ଘଣ୍ଟିଆ ସିନ୍ଧେକେଲା ବନ୍ଦ ପାଳନ କରାଯାଇଥିଲା। ସିନ୍ଧେକେଲା ବଣିକ ସଂଘ ଡାକରାରେ ହୋଇଥିବା ବନ୍ଦ ପାଳନରେ ଅଞ୍ଚଳର ବହୁ ସଂଗଠନ ସାମିଲ ହୋଇଥିଲେ। ଏଥିରେ ବଣିକ ସଂଘ ସଭାପତି ସୁବାସ ଜୈନ, ସମ୍ପାଦକ ସନ୍ତୋଷ ଜୈନ, ମନୋଜ ଜୈନ, ଉପସଭାପତି ଗୋବିନ୍ଦ ସାହୁ, କୋଷାଧ୍ୟକ୍ଷ କିରୋଡିମଲ ଜୈନ, ମିଡିଆ ସଂଯୋଜକ ଅନିଲ ତ୍ରିପାଠୀ, ଦୀନେଶ ଜୈନ, ଜିଲ୍ଲା ପରିଷଦ ସଭ୍ୟ ଦାମୋଦର ସୁନା, ସିନ୍ଧେକେଲା ସରପଞ୍ଚ ନରେଶ ଅଗ୍ରୱାଲ, ସମିତି ସଭ୍ୟ ଭୋଳାନାଥ ବେହେରା, ଭୁଷଲାଡ଼ ସରପଞ୍ଚ ଦୀପକ ଛୁରା, ଅର୍ଶାତୁଲା ସରପଞ୍ଚ ମମିତା ପୁଟେଲ, ଝଲପ ସରପଞ୍ଚ ଗୀତାଫୁଲ ପୁଟେଲ, ଅଲଣ୍ଡା ସରପଞ୍ଚ ନିବେଦିତା ବାଗ, ଯୁବରାଜ ବାଗ, ବିକାଶ ମଞ୍ଚ ସଭାପତି ଅନିଲ ନାୟକ, ସମ୍ପାଦକ ଉମାଶଙ୍କର ତ୍ରିପାଠୀ, ବିଜେପି ମଣ୍ଡଳ ସଭାପତି ମୁନିରାମ ନାଗ, ଓଡ଼ିଶା ମଟର ଚାଳକ ସଂଘ ସିନ୍ଧେକେଲା ସଭାପତି ବିଦୁଭୂଷଣ ନାୟକ, ଜିଲ୍ଲା କଲ୍ୟାଣ ପାଣ୍ଠି ସଦସ୍ୟ ରଞ୍ଜନ ଷଡ଼ଙ୍ଗୀ, ହେମାଲ ସଂଘ, ପଶ୍ଚିମ ଓଡ଼ିଶା ଯୁବମଞ୍ଚର ଆଲୋକ ସାହୁ, ରାଜ୍ୟ ସରପଞ୍ଚ ସଂଘ କର୍ଯ୍ୟକାରୀ ସଭାପତି ହରିନାରାୟଣ ମିଶ୍ର, ଜିଲ୍ଲା ସରପଞ୍ଚ ସଂଘ ସଭାପତି ବୀରବର ସାହୁ, ପ୍ରମୋଦ ପ୍ରଧାନ, ସଦସ୍ୟ ସଞ୍ଜୀବ ସାହୁ, ଗରିବ ସେନା ସଭାପତି ଦୀନେଶ ତାଣ୍ଡି ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ।

ସଇନ୍ତଳା: ଟିଟିଲାଗଡ଼କୁ ଜିଲ୍ଲା ଓ ସଇନ୍ତଳାକୁ ଉପଖଣ୍ଡ ମାନ୍ୟତା ଦେବାକୁ ଦାବି କରି ସଇନ୍ତଳାରେ ଗୁରୁବାର ୧୨ ଘଣ୍ଟିଆ ବନ୍ଦ ଶାନ୍ତିପୂର୍ଣ୍ଣ ରହିଥିଲା। ସଇନ୍ତଳା ବିକାଶ ପରିଷଦ, ବଣିକ ସଂଘ ଓ ସାମ୍ବାଦିକ ସଂଘତ ପକ୍ଷରୁ ସଇନ୍ତଳାରେ ବନ୍ଦ ପାଳନ କରାଯାଇଥିଲା। ଏହାକୁ ସମର୍ଥନ କରି ସଇନ୍ତଳା ସମେତ ଗ୍ରାମାଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଏହା ସହିତ ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ ଆଦି ଅନୁଷ୍ଠାନ ମଧ୍ୟ ବନ୍ଦ ରହିଥିଲା। ପୂର୍ବ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଆନ୍ଦୋଳନକାରୀଙ୍କ ସହ ଜାତୀୟ ରାଜପଥ ୨୬ ଉପରେ ଧାରଣାରେ ବସିଥିଲେ। ରାଜ୍ୟ ସରକାର ଟିଟିଲାଗଡ଼ ଜିଲ୍ଲା ଘୋଷଣା ନକଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦିଆଯାଇଛି।

ମୁରିବାହାଲ: ଟିଟିଲାଗଡ଼କୁ ଜିଲ୍ଲା ଦାବିରେ ଟିଟିଲାଗଡ଼ରେ ବନ୍ଦ ପାଳନ କରାଯାଇଛି। ସେହିପରି ଟିଟିଲାଗଡ଼କୁ ଜିଲ୍ଲା ତଥା ହଳଦୀକୁ ଏକ ବ୍ଲକ୍ କରାଯିବା ସମର୍ଥନରେ ମୁରିବାହାଲ ବ୍ଲକ୍‌ ଅଞ୍ଚଳରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବ୍ଲକ୍‌, ତହସିଲ, ବିଇଓ ଅଫିସ ସମେତ ହଳଦୀର ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ସ୍କୁଲ କଲେଜ ବନ୍ଦଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର