ଟିଟିଲାଗଡ଼: ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ ଖଜୁରପଡ଼ାଠାରେ ‘ସମ୍ବାଦ’ ପକ୍ଷରୁ ପରିବେଶ ପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି, ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧି, ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ, ଜୀବନବୀମା ନିଗମର ଶାଖା ପରିଚାଳକ କେଶବ ବେରିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୁରକ୍ଷିତ ପରିବେଶ ପାଇଁ ସଚେତନ କରିଥିଲେ। ମୁଖ୍ୟଅତିଥି ବିଧାୟକ ଶ୍ରୀ ଜୈନ ଜଳବାୟୁ ପରିବର୍ତ୍ତନକୁ ସନ୍ତୁଳିତ ରଖିବା ନିମନ୍ତେ ଜନଜାଗରଣର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରକୃତି ଆମର ସମସ୍ତ ଆବଶ୍ୟକତା ପୂରଣ କରୁଥିବାରୁ ବର୍ତ୍ତମାନ ପ୍ରକୃତି ମାତାର ଋଣ ଶୁଝିବାର ସମୟ ଆସିଛି। ଆଗାମୀ ପିଢ଼ି ପାଇଁ ଏହା ଆମର ଉତ୍ତରଦାୟିତ୍ୱ ବୋଲି ଶ୍ରୀ ଜୈନ କହିଥିଲେ। ‘ସମ୍ବାଦ’ ପକ୍ଷରୁ ଏଭଳି ଉଦ୍ୟମକୁ ସେ ପ୍ରଶଂସା କରିବା ସହ ଦେଶର ଏକ ଉତ୍ତପ୍ତ ସହର ଭାବରେ ପରିଚିତ ଟିଟିଲାଗଡ଼ର ପାରଦ ନିୟନ୍ତ୍ରଣ ଓ ପରିବେଶ ସନ୍ତୁଳନ ପାଇଁ ବ୍ୟାପକ ବୃକ୍ଷରୋପଣ, ଜଳସଂରକ୍ଷଣ ଏବଂ ପ୍ଲାଷ୍ଟିକ ବର୍ଜନର ଆବଶ୍ୟକତା ଥିବା ମତ ଦେଇଥିଲେ।
ବନାଞ୍ଚଳ ଅଧିକାରୀ ଶ୍ରୀ ସୁବୁଦ୍ଧି ଲଣ୍ଡା ପାହାଡ଼ ପରିବେଷ୍ଟିତ ଟିଟିଲାଗଡ଼ ସହରକୁ ସବୁଜ କରିବା ଲାଗି ବନବିଭାଗର ପ୍ରୟାସ ଜାରି ରହିଥିବା କହିଥିଲେ। ସହରର ସାମାଜିକ ଅନୁଷ୍ଠାନଗୁଡ଼ିକ ଏଥିରେ ସହଭାଗୀ ହେବାକୁ ସେ ନିବେଦନ କରିଥିଲେ। ଅନ୍ୟତମ ଅତିଥି ଶ୍ରୀ ବେରିଆ ଜଳବାୟୁ ପରିବର୍ତ୍ତନର ସ୍ଥିତିକୁ ନେଇ ସାମୂହିକ ଚେତନାର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ। ଚଳିତବର୍ଷ ନିଗମ ପକ୍ଷରୁ ଟିଟିଲାଗଡ଼ ଶାଖା ଦ୍ବାରା ୫ ଶହ ଗଛ ଲଗାଯିବାକୁ ଲକ୍ଷ୍ୟ ରହିଥିବା ପ୍ରକାଶ କରିଥିଲେ। ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶିବପ୍ରସାଦ ପରିଡ଼ା ସ୍ୱାଗତ ଭାଷଣ ସହ ଅତିଥିଙ୍କୁ ଚାରା ପ୍ରଦାନ କରିଥିଲେ। ‘ସମ୍ବାଦ’ ଟିଟିଲାଗଡ଼ ପ୍ରତିନିଧି ମନୋଜ ଶତପଥୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ସହ ସଭା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସାମ୍ବାଦିକ ଦୀପକ ସମଜଦାର, ମା’ ମାଟି ସେବା ସମିତି ସଭାପତି ଲକ୍ଷ୍ମୀ ବଗର୍ତ୍ତି, ଗୀତାଞ୍ଜଳି ଦାସ, ଶୋଭାଗିନୀ ପ୍ରଧାନ, ଲାୟନ୍ସ କ୍ଲବ୍ ସଭାପତି ସଞ୍ଜୟ ସୋନୀ, ଆବାସ ଖାନ, ବଣିକ ସଂଘ ସଭାପତି ଶମ୍ଭୁପ୍ରସାଦ ଗୋୟଲ, ପ୍ରକୃତି ଫାଉଣ୍ଡେସନ୍ର ଅଧ୍ୟକ୍ଷା ସାରଦା ରାଓ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସାହିତ୍ୟଘର ସଭାପତି ସଞ୍ଜୟ ଅଗସ୍ତି ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/17/sfhhfsfhfshshsfhhf-2025-07-17-02-23-44.jpg)