ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ତାତି ଥମିବାର ନାଁ ନେଉନାହିଁ। ବୃଦ୍ଧିପାଉଥିବା ତାପମାତ୍ରା ପଶ୍ଚିମଓଡ଼ିଶାରେ ଅଂଶୁଘାତ ରୋଗୀଙ୍କ ସଂଖ୍ୟା ଲଗାତାର ଭାବେ ବୃଦ୍ଧି କରୁଛି। ପଶ୍ଚିମଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାରଦ ୪୫ ଡିଗ୍ରି ଉପରେ ରହିଥିବା ବେଳେ ଶୁକ୍ରବାର ୪ ସହରର ତାପମାତ୍ରା ୪୬ ଡିଗ୍ରି ଅତିକ୍ରମ କରିଛି। ୪୬.୫ ଡିଗ୍ରି ସହ ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ବଲାଙ୍ଗୀର, ସୋନପୁର ଓ ବରଗଡ଼ର ତାପମାତ୍ରା ୪୬ ଡିଗ୍ରି ପାର୍‌ କରିଛି। ମଙ୍ଗଳବାରଠାରୁ ପଶ୍ଚିମଓଡ଼ିଶାରେ ସବୁ ସହରର ତାତି ହଠାତ୍‌ ବୃଦ୍ଧି ପାଇଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଆର୍ଦ୍ରତା କମ୍‌ ରହୁଥିବାରୁ ଝାଞ୍ଜି ପବନ ବହୁଛି। ଦିନ ୧୧ଟା ମଧ୍ୟରେ ସହରଗୁଡ଼ିକର ତାପମାତ୍ରା ୪୨ଡିଗ୍ରି ପାର୍‌ କରୁଥିବାରୁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ନଦୀ, ନାଳ, ପୋଖରୀରେ ପାଣି ଦିନ ରାତି ୨୪ ଘଣ୍ଟା ଉତ୍ତପ୍ତ ରହୁଛି। ଘରେ ଲଗାଯାଇଥିବା ଟାଙ୍କି ପାଣି କଥା ନ କହିବା ଭଲ। ଭୋର୍‌ ସମୟରେ ମଧ୍ୟ ପାଇପ୍‌ରୁ ତତଲା ପାଣି ବାହାରୁଛି। ବିନା ଫ୍ରିଜର୍‌ରେ ପିଇ ପାରିବା ଭଳି ପାଣି ପାଇବା କଷ୍ଟକର ହୋଇଯାଇଛି। ଅସହ୍ୟ ତାତି ଆଗରେ ଫ୍ୟାନ୍‌, କୁଲର୍‌, ଏସି, କିଛି ବି କାମ କରୁନାହିଁ।

Advertisment

ଅନ୍ୟପଟେ ଶନିବାର ପ୍ରବଳ ଗ୍ରୀଷ୍ମ ପ୍ରବ‌ାହ ପାଇଁ ବଲାଙ୍ଗୀର, କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ବଲପୁର ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ୍ ଵାର୍ନିଂ ଜାରି କରାଯାଇଛି। ଶୁକ୍ରବାର ରାତି ମଧ୍ୟ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ସେଭଳି ନୂଆପଡ଼ା, ଝାରସୁଗୁଡ଼ା, ବରଗଡ଼ ଓ ବୌଦ୍ଧ ଜିଲ୍ଲାରେ ମଧ୍ୟ ଶନିବାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହୁଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟଲୋ ଵାର୍ନିଂ ଜାରି କରାଯାଇଛି। ୨ ତାରିଖ ଦିନ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ପଶ୍ଚିମ ଓଡ଼ିଶାରେ ୨ ତାରିଖ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଗ୍ରୀଷ୍ମ ପ୍ରବାହ: ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରିବାକୁ ଦାବି

ସମ୍ବଲପୁର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ସାମୟିକ ସମୟ ପାଇଁ ଦାବି କରିଛି ପଶ୍ଚିମ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ। ବର୍ତ୍ତମାନ ଯେଉଁଭଳି ସ୍ଥିତି ରହିଛି ଅଂଶୁଘାତରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଶିଶୁମାନଙ୍କୁ ଅଗ୍ରାଧିକାର ନ ଦେଇ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ରହିବା ଯୋଗୁଁ ସେମାନଙ୍କ ସ୍ଥିତି ଜଟିଳ ହେବାରେ ଲାଗିଛି। ଅନେକ ସ୍ଥାନରେ ଶିଶୁମାନେ ମଧ୍ୟ ଅଂଶୁଘାତରେ ଆକ୍ରାନ୍ତ ହେଉଛନ୍ତି। ସଂଘ କହିଛି, ବର୍ତ୍ତମାନ ବଜାରରେ ଅଣ୍ଡା ଦର ଗୋଟାକୁ ୭ ରୁ ୯ ଟଙ୍କା ରହିଛି। ଅଙ୍ଗନବାଡ଼ି କର୍ମୀଙ୍କୁ ମିଳୁଛି ୫.୫୦ ପଇସା। ବଜାର ଦର ଅନୁଯାୟୀ ଅଣ୍ଡା ବାବଦରେ ଟଙ୍କା ଦେବା ପାଇଁ କୁହାଯାଇଛି। ପଶ୍ଚିମ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ପ୍ରଭାସିନୀ ପାଢ଼ୀ, ଜିଲ୍ଲା ସଭାନେତ୍ରୀ ଦିଶିଲା ଧୁରୁଆ, ହେମାଦ୍ରି ପ୍ରଧାନ, ମଞ୍ଜୁଲତା ମାଝୀ, ଶାନ୍ତି ଲତା ପଟେଲ, ରତ୍ନ ମଣି ସାହୁ, ଦ୍ରୌପଦୀ ଗଉଡ ପ୍ରମୁଖଙ୍କ ହସ୍ତାକ୍ଷର ସମ୍ବଳିତ ସ୍ମାରକ ପତ୍ର ମହିଳା ଓ ଶିଶୁ ବିକାଶ ସଚିବଙ୍କୁ ଦିଆଯାଇଛି। ଅଙ୍ଗନବାଡ଼ି କେନ୍ଦ୍ରକୁ ଗ୍ରୀଷ୍ମ ଅବକାଶ ଦେବା ପାଇଁ ପୂର୍ବରୁ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ଏହାକୁ କାର୍ଯ୍ୟକାରୀ କରାଯାଉନଥିବା ନେଇ ସଂଘ କହିଛି।