୧୧ ସକାଳେ ଗୋପାଳପୁର ନିକଟରେ ମାଡ଼ ହେବ ତିତ୍‌ଲି: ପବନର ବେଗ ୧୨୫ କିଲୋମିଟର ଛୁଇଁପାରେ, ୪୮ ଘଣ୍ଟା ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ବର: ତିତ୍‌ଲି ଆଉ ମାତ୍ର ୪୬୦ କିଲୋମିଟର ଦୂରରେ ରହିଛି। ଘଣ୍ଟାକୁ ୮ କିଲୋମିଟର ବେଗରେ ଆଗଉଛି ଓଡ଼ିଶା ଉପକୂଳକୁ। ମଝିରେ ମଝିରେ ସ୍ଥିର ହୋଇ ଯାଉଛି। ସମୁଦ୍ର ଉପରେ ଯେତିକି ଅଟକୁଛି ସେତିକି ଅଧିକ ବଳ ଗୋଟାଇ କରାଳ ରୂପ ଧାରଣ କରୁଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ୍ (ଭୀଷଣ ଅବପାତ) ଆଜି ଅଧିକ ଘନୀଭୂତ ହୋଇ ଦୂର ସମୁଦ୍ରରେ ବାତ୍ୟା ରୂପ ନେବା ପରେ ଏମିତି ଢଙ୍ଗରେ ଭୀଷଣ ହେଉଛି ତିତଲି। ତିତଲି କେତେ ଉଗ୍ର ପ୍ରଦର୍ଶନ କରିବ,ସେ ନେଇ ପାଣିପାଗ ବିଜ୍ଞାନୀ ଏବେ ଠାରୁ ଚିତ୍ର ଆଙ୍କିଲେଣି। ପାଣିପାଗ ବିଜ୍ଞାନୀଙ୍କ ସୂଚନାନୁସାରେ, ବାତ୍ୟାର କେନ୍ଦ୍ରସ୍ଥଳ ଅର୍ଥାତ୍ ଆଖି ଦୃଶ୍ୟମାନ ହେଲାଣି। ପାଖାପାଖି ୧୫ କିଲୋମିଟର ଲମ୍ବା ଗୋଲାକାର ଆଖି ଭିତରେ ଭୟଙ୍କର ବେଗରେ ବୁଲୁଛି ପବନ। ତଳ ଏବ˚ ଉପର ସ୍ତରକୁ ଘାଣ୍ଟି ଦେଉଛି। ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ବେଗରେ ପବନ ବହୁଛି ସଂପୃକ୍ତ ଅଞ୍ଚଳରେ। ଆସନ୍ତାକାଲି ଏହା ଆହୁରି ଭୀଷଣ ରୂପ ନେବ ଓ ପବନ ବେଗ ଘଣ୍ଟାପ୍ରତି ୯୦ କିଲୋମିଟର ଛୁଇଁଯାଇପାରେ। କ୍ରମଶଃ ଏହା ବଢି ରାତି ବେଳକୁ ୧୧୦ କିଲୋମିଟର ପର୍ଯ୍ୟନ୍ତ ଛୁଇଁଯିବ। ସ୍ଥଳ ବିଶେଷରେ ଏହା ୧୨୫ କିଲୋମିଟର ଛୁଇଁପାରେ।

୧୧ ତାରିଖ ସକାଳ ସାଢ଼େ ପାଞ୍ଚଟା ପର୍ଯ୍ୟନ୍ତ ଏହା ଏଭଳି ଭୀଷଣ ଅବସ୍ଥାରେ ରହିବ। ପାଣିପାଗ ବିଭାଗର ଅଙ୍କ ଠିକ୍‌ ହେଲେ ୧୧ ତାରିଖ ସକାଳେ ହିଁ େଗାପାଳପୁର ନିକଟବର୍ତୀ ଉପକୂଳରେ ବାତ୍ୟା ମାଡ଼ ହେବ। ବାତ୍ୟାର ଭୀଷଣତମ ପ୍ରକୋପ ଅନୁଭୂତ ହେବ ପାଖାପାଖି ୪୦ରୁ ୫୦ କିଲୋମିଟର ଲମ୍ବା ଗୋଲେଇ ଭିତରେ। ଗୋପାଳପୁରଠାରୁ ୩୦ କିଲୋମିଟର ଉତ୍ତର ଅର୍ଥାତ୍‌ ବାଲୁଗାଁ ନିକଟବର୍ତୀ ଅଞ୍ଚଳ ପର୍ଯ୍ୟନ୍ତ ଘଣ୍ଟାପ୍ରତି ୧୧୦ କିମି ପର୍ଯ୍ୟନ୍ତ ପବନ ବହିପାରେ। ମଝି‌େର ମଝିରେ ଏହା ୧୨୫କୁ ଛୁଇଁବା ସମ୍ଭାବନା ଏଡାଇ ହେବ ନାହିଁ। ଉପକୂଳ ଛୁଇଁବା ପରେ ଏହାର ପ୍ରଭାବ କମିବ ଓ ଅପରାହ୍ନ ସାଢ଼େ ପାଞ୍ଚଟା ବେଳକୁ ଏହା ବାତ୍ୟା ରୂପ ନେବା ସହିତ ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୫ କିମିକୁ ଖସି ଆସିବ। ଗଞ୍ଜାମ, ଗଜପତି ଓ େଖାର୍ଧା ଜିଲ୍ଲାରେ ପବନର ବେଗ ସବୁଠାରୁ ଅଧିକ ରହିବ। ଉପକୂଳ ଓଡ଼ିଶାରେ ପବନର ଗତି ଅପେକ୍ଷାକୃତ କମ୍ ରହିବ। ତଥାପି ୬୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବା ଆଶଙ୍କାକୁ ଏଡାଇ ହେବ ନାହିଁ।

ବାତ୍ୟା ତିତଲି କିନ୍ତୁ ପ୍ରବଳରୁ ଅତି ପ୍ରବଳ, ଠାଏ ଠାଏ ଭୀଷଣ ବର୍ଷାକୁ ସାଙ୍ଗରେ ଆଣି ଆସୁଛି। ଏପରିକି ଅଧିକାଂଶ ସ୍ଥାନରେ ବର୍ଷାର ପରିମାଣ ୨୦୦ ମିଲିମିଟରରୁ ଅଧିକ ହୋଇପାରେ। ଏଣୁ ଦକ୍ଷିଣ, ଉପକୂଳ ଓ ଉତ୍ତର ଓଡ଼ିଶା ଜଳାର୍ଣ୍ଣବହେବାର ସମ୍ଭାବନା ଅଧିକ। ୧୨ ତାରିଖ ପର୍ଯ୍ୟନ୍ତ ୪୮ ଘଣ୍ଟା ଧରି ତିତଲି ଓଡ଼ିଶାକୁ ଅସ୍ତବ୍ୟସ୍ତ କରି ରଖିବ। ଅନ୍ୟପକ୍ଷରେ ବିଶେଷଜ୍ଞମାନେ ଏକଥା ବି ଚେତାଇ ଦେଇଛନ୍ତି ଯେ ଯେଉଁ ସମୟରେ ବାତ୍ୟା ଉପକୂଳରେ ମାଡ଼ ହେବ ସେହି ସମୟରେ ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଉପକୂଳବର୍ତ୍ତୀ ସମୂଦ୍ରରେ ଦୁଇ ଫୁଟ ଉଚ୍ଚର ଜୁଆର ଉଠିବ। ଏଥିସହିତ ୧୨ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ମଧ୍ୟ ମନା କରାଯାଇଛି ଓ ବନ୍ଦରମାନଙ୍କ‌େର ୪ ନମ୍ବର ବିପଦ ସଙ୍କେତ ସୂଚନା ଦିଆଦିଆଯାଇଛି।

୧୧ ସକାଳେ ଗୋପାଳପୁର ନିକଟରେ ମାଡ଼ ହେବ
ପବନର ବେଗ ୧୨୫ କିଲୋମିଟର ଛୁଇଁପାରେ
୪୮ ଘଣ୍ଟା ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା
ଅଧା ଓଡ଼ିଶାକୁ ବୁଡ଼ାଇବ, ଭିଜାଇବ

ପାଣିପାଗ ବିଭାଗ ସୂଚନା ଅନୁସାରେ, ଆସନ୍ତାକାଲି ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ େକନ୍ଦ୍ରାପଡାରେ ପ୍ରବଳ ବର୍ଷା ହେବ। ୧୧ ତାରିଖରେ ଏସବୁ ଜିଲ୍ଲା ବ୍ୟତୀତ ରାୟଗଡା, େକାରାପୁଟ,କନ୍ଧମାଳ, କଳାହାଣ୍ଡି, ବୌଦ୍ଧ,ଖୋର୍ଦ୍ଧା , ନୟାଗଡ, କଟକ, ଯାଜପୁର, େଢଙ୍କାନାଳ, ଭଦ୍ରକ, ବାଲେଶ୍ବରରେ ଭୀଷଣ ବର୍ଷା ହେବ। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ୍‌ ଆର୍‌ ବିଶ୍ବାସଙ୍କ ସୂଚନାନୁସାରେ, ତିତଲି ଘଣ୍ଟା ପ୍ରତି ୮ କିମି ବେଗରେ ଏବେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ମାଟି ଓ ଚାଳ ଘର ପ୍ରତି ବିପଦ ରହିଛି। ଏଥିସହ ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ କେତେକ ସ୍ଥାନରେ ଉପୁଡ଼ିଯାଇପାରେ। ଆସନ୍ତା ୧୧ ତାରିଖ ସକାଳ ସୁଦ୍ଧା ଏହା ଓଡ଼ିଶା ଉପକୂଳ ଛୁଇଁବ। ଆଜି ରାତିିଠାରୁ ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଭାରତର ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ପୂର୍ବାନୁମାନ କହୁଛି, ଆଜି ରାତିରୁ ଦକ୍ଷିଣ ଓଡ଼ିଶାରେ ଝିପି ଝିପି ବର୍ଷା ହେବ। ଆସନ୍ତାକାଲି ସକାଳେ ବର୍ଷାର ପରିମାଣ ଧୀରେ ଧୀରେ ବଢିବ ଓ ପବନର ଗତି ମଧ୍ୟ। ପବନର ବେଗ ସର୍ବାଧିକ ୧୦୦ରୁ ୧୧୦ କିମି ହେଇପାରେ।

ଅନ୍ୟ ପାଣିପାଗ ବିଜ୍ଞାନୀଙ୍କ ମତ େହଉଛି, ତିତଲିକୁ ସମୁଦ୍ରରେ ଭୀଷଣ ହେବା ପାଇଁ େଖାରାକ ମିଳୁଛି। ସାମୁଦ୍ରିକ ତାପମାତ୍ରା ଅଧିକ ଥିବା କାରଣରୁ ଏହା ଶକ୍ତିଶାଳୀ ହେଉଛି। ଯାହା ସୂଚନା ମିଳୁଛି, ୧୧ ତାରିଖ ସକାଳ ୬ଟାରୁ ୧୦ଟା ମଧ୍ୟରେ ଏହା ଗେୋପାଳପୁର ନିକଟରେ ସ୍ଥଳ ଭାଗ ଛୁଇଁବ। ସେତେବେଳକୁ ଏହା ସିଭିୟର ସାଇେକ୍ଲାନିକ୍ ଷ୍ଟର୍ମ ଅବସ୍ଥାରେ ହିଁ ଥିବ। ସ୍ଥଳଭାଗ ଛୁଇଁବା ପରେ ଏହାର ପ୍ରଭାବ କମିବ। ଏଣୁ କ୍ଷୟକ୍ଷତି ଟିକିଏ ଅଧିକ ହେଇପାରେ। ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଉଛି, ଗୋପାଳପୁର ନିକଟରେ ପହଞ୍ଚିବା ବେଳକୁ ତିତଲି ପ୍ରକୋପ ଟିକିଏ କମି ବାତ୍ୟା ରୂପ ଧାରଣ କରିବ। ୧୧ ତାରିଖ ମଧ୍ୟାହ୍ନ ବେଳକୁ ଏହା ଗୋପାଳପୁରରେ ସ୍ଥଳଭାଗକୁ ସ୍ପର୍ଶ କରିବ। ପରେ ଏହା ୪ କିମି ବେଗରେ ଆଭ୍ୟନ୍ତରୀଣ ଉପକୂଳ ଆଡକୁ ଗତି କରିବା ସହିତ ୧୧ ତାରିଖ ରାତିରେ ଡିପ୍ ଡିେପ୍ରସନ୍ (ଭୀଷଣ ଅବପାତ) ଓ ୧୨ ତାରିଖରେ ଭୁବନେଶ୍ବର ନିକଟବର୍ତୀ ଅଞ୍ଚଳରେ ଅବପାତରେ ପରିଣତ ହୋଇଥିବ। ଏହାର ପ୍ରଭାବରେ ବଡ଼ ବର୍ଷା ହେବ। କ୍ରମଶଃ ଏହା ଉତ୍ତର ପୂର୍ବ ଆଡକୁ ଗତି କରିବ।

ସମ୍ବନ୍ଧିତ ଖବର